Advertisment

ନବ ଦାସଙ୍କ ବିଜ୍‌ନେସ୍ ପାର୍ଟନରଙ୍କୁ ଶନିବାର ମିଳିଥିଲା ହତ୍ୟା ଧମକ

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା।

author-image
Jitendra Garnayak
Sanjay Nanda and Naba Kishore Das

Sanjay Nanda and Naba Kishore Das

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଆଜି ଗୁଳିମାଡ଼ ପରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଗତକାଲି ତାଙ୍କ ବିଜ୍‌ନେସ୍ ପାର୍ଟନର ସଞ୍ଜୟ ନନ୍ଦଙ୍କୁ ହତ୍ୟା ଧମକ ମିଳିଥିଲା। ଏନେଇ ସଞ୍ଜୟ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ସୂଚନା ଅନୁଯାୟୀ, କେହି ଦୁର୍ବୃତ୍ତ ସଞ୍ଜୟଙ୍କୁ ୫୦ ଲକ୍ଷ ଟଙ୍କା ମାଗିବା ସହିତ ହତ୍ୟା କରିବାକୁ ଧମକ ଦେଇଥିଲେ। ସୂଚନାଯୋଗ୍ୟ, ସଞ୍ଜୟ ନନ୍ଦ ହେଉଛନ୍ତି ମା’ ତାରିଣୀ ଟ୍ରାନ୍ସପୋର୍ଟର ମାଲିକ। ଆଉ ନବ ଦାସଙ୍କର ଏଥିରେ ଶେଆର ରହିଛି।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। କାର୍ଯ୍ୟକ୍ରମ ସ୍ଥଳ ନିକଟରେ ରାସ୍ତାରେ ସେ କାର୍‌ରୁ ଓହ୍ଲାଇବା କ୍ଷଣି ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ବ୍ରଜରାଜନଗର ଗାନ୍ଧି ଛକ ପୁଲିସ୍ ଆଉଟ୍‌ପୋଷ୍ଟର ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ଛାତିରେ ବାଜିଥିଲା। ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ନବ ଦାସଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଥିଲା। ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ପୁଲିସ୍ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ, ତାହା ଜଣାପଡ଼ିନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଘଟଣାସ୍ଥଳ ଅଭିମୁଖେ ଯାତ୍ରା କରିଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମଧ୍ୟ ସେଠାକୁ ଯାଇଛନ୍ତି।

Advertisment
Odisha Health Minister Naba Das Jharsuguda