Advertisment

ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ବଡ଼ ଭାଇକୁ ଉଠାଇନେଲା କ୍ରାଇମବ୍ରାଞ୍ଚ

କ୍ରାଇମବ୍ରାଞ୍ଚ ଆଜି ତୃତୀୟ ଦିନରେ ପ୍ରମାଣ ଯୋଗାଡ଼ ପାଇଁ ବେଶ୍ ଝାଳବୁହାଇଛି। ବ୍ରଜରାଜନଗରର ଗାନ୍ଧୀଛକକୁ ଯାଇ କ୍ରାଇମସ୍ପଟ୍‌ର ୩ଡ଼ି ଲେଜର୍ ସ୍କାନିଂ କରିଛି କ୍ରାଇମବ୍ରାଞ୍ଚ।

author-image
Niranjan Mishra
ଅଦ୍ୟତନ ହୋଇଛି
accused ASI elder brother

accused ASI elder brother

ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ଙ୍କୁ କାହିଁକି ଗୁଳିକରିଲେ ଏଏସ୍‌ଆଇ ଗୋପାଳ ଦାସ ? ଏନେଇ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଯେତିକି ବଢୁଛି, ସେତିକି ବଢ଼ିଚାଲିଛି ରହସ୍ୟ। ଏତେବଡ଼ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡରେ ଗୋପାଳଙ୍କୁ ଆଉ କିଏ ସହଯୋଗ କରିଥିଲା ? ତାକୁ ନେଇ ଖୋଳତାଡ଼ ଭିତରେ ସାମ୍ନାକୁ ଆସିଛି ଗୋପାଳଙ୍କ ବଡ଼ଭାଇଙ୍କ ଚେହେରା। ଯିଏ ବ୍ରଜରାଜନଗରରେ ଚଳାଇଥିଲେ ହୋଟେଲ୍ ବ୍ୟବସାୟ। ଗତ ପ୍ରାୟ ମାସେ ତଳେ ଜଣେ ବ୍ୟକ୍ତିଙ୍କଠୁ ଏହି ଦୋକାନ ଘରକୁ ଭଡ଼ାରେ ନେଇ ହୋଟେଲ୍ ଚଳାଇଥିଲେ ଗୋପାଳଙ୍କ ବଡ଼ଭାଇ। ଯାହାର ନାଁ ରଖିଥିଲେ ‘ବ୍ରହ୍ମପୁର ହୋଟେଲ୍’ ଏବଂ ସେଇଠି ମିଲ୍ସ, ଫାଷ୍ଟଫୁଡ୍ ଖାଦ୍ୟ ସହ ଆଚାର, ପାମ୍ପଡ଼ ବ୍ୟବସାୟ କରୁଥିଲେ। ଗୋପାଳ ଏଠାକୁ ପ୍ରାୟତଃ ଆସୁଥିଲେ ଓ ବସାଉଠା କରୁଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଶନିବାର ଯାଏଁ ଖୋଲାଥିବା ହୋଟେଲ ରବିବାର ସକାଳୁ ହିଁ ବନ୍ଦ ହୋଇଯାଇଥିଲା। ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟ୍‌ରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ପୂର୍ବରୁ ହିଁ ତାଲା ପକାଇ ଦିଆଯାଇଥିଲା ଦୋକାନ। ଏନେଇ ପଡ଼ୋଶୀ ଦୋକାନୀ କହିବା ପରେ ମାମଲାର ଦିଗକୁ ନେଇ ପୁଣି ଆଲୋଚନା ବଢ଼ିଛି। ତେବେ ମାମଲା ପଛରେ ଏହା ସଂଯୋଗ ନା ବଡ଼ଭାଇଙ୍କ ବି ମିଳିତ ଷଡ଼ଯନ୍ତ୍ର ? ତାକୁ ନେଇ ନାନା ଚର୍ଚ୍ଚା ଭିତରେ ବ୍ରହ୍ମପୁର ଜଳେଶ୍ୱରପୁର ଘରୁ ଗୋପାଳଙ୍କ ସେହି ବଡ଼ଭାଇଙ୍କୁ ଉଠାଇନେଇଛି କ୍ରାଇମବ୍ରାଞ୍ଚ।

Advertisment

ସେପଟେ ବ୍ରଜରାଜନଗରର କ୍ରାଇମସ୍ପଟ୍‌ରୁ କ୍ରିମିନାଲ୍‌ର ଘର ବ୍ରହ୍ମପୁର ଯାଏଁ ଛାନ୍‌ଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍। ଫରେନ୍ସିକ୍ ଟିମ୍ ସହ ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ପ୍ରମାଣ ଗୋଟାଇଛନ୍ତି ବୋଥ୍ରା ଓ ତାଙ୍କ ଟିମ୍। ପୁଲିସ ଚାକିରୀରୁ ବହିଷ୍କୃତ ଗୋପାଳ ଦାସ ହିଁ ନବ ଦାସଙ୍କ ହତ୍ୟାକାରୀ ବୋଲି କହିଥିବା କ୍ରାଇମବ୍ରାଞ୍ଚ ଆଜି ତୃତୀୟ ଦିନରେ ବି ପ୍ରମାଣ ଯୋଗାଡ଼ ପାଇଁ ବେଶ୍ ଝାଳବୁହାଇଛି। ବ୍ରଜରାଜନଗରର ଗାନ୍ଧୀଛକକୁ ଯାଇ କ୍ରାଇମସ୍ପଟ୍‌ର ୩ଡ଼ି ଲେଜର୍ ସ୍କାନିଂ କରିଛି କ୍ରାଇମବ୍ରାଞ୍ଚ। ରାସ୍ତାର ଉଭୟ ପଟୁ ଯାନବାହନ ଚଳାଚଳକୁ ବନ୍ଦ ରଖି ତଦନ୍ତରେ ସହାୟକ ପାଇଁ ୩୬୦ ଡିଗ୍ରୀ ଆଙ୍ଗଲ୍‌ରେ ଫଟୋ ଉଠା ଯାଇଛି।

ତେଣେ ଝାରସୁଗୁଡ଼ାରେ ନବ ଦାସଙ୍କ ସରକାରୀ ଗାଡ଼ିର ଡ୍ରାଇଭର ଓ ପିଏସ୍ଓଙ୍କଠୁ ତଥ୍ୟ ଆଦାୟ କରିଛନ୍ତି କ୍ରାଇମବ୍ରାଞ୍ଚ୍ ଏଡିଜି ଅରୁଣ ବୋଥ୍ରା। ଗୁଳିକାଣ୍ଡ ସମୟରେ କ’ଣ ଦେଖିଥିଲେ ପିଏସ୍ଓ ? ଘଟଣାବେଳେ ନବ ଦାସଙ୍କ ପାଖରେ ଥିଲେ ନା ନାହିଁ ? ଆଗରୁ ଅଭିଯୁକ୍ତ ଗୋପାଳଙ୍କୁ ପିଏସ୍ଓ ଏବଂ ଡ୍ରାଇଭର ଜାଣିଥିଲେ କି ? ଏସବୁ ଦିଗକୁ ଧରି କ୍ରାଇମବ୍ରାଞ୍ଚ୍ ଏଡିଜି ତଥ୍ୟ ଆଦାୟ କରିଛନ୍ତି। ଏପଟେ ବ୍ରହ୍ମପୁର ବିଏନ୍‌ ଥାନା ପୁଲିସ ସହ ଜଳେଶ୍ୱରପୁରକୁ ଯାଇ ଅଭିଯୁକ୍ତ ଗୋପାଳ ଦାସଙ୍କ ପୈତୃକ ଘରେ କ୍ରାଇମବ୍ରାଞ୍ଚ ଟିମ୍ ଛାନ୍‌ଭିନ୍ କରିଛି। ଗୋପାଳଙ୍କ ପତ୍ନୀ ଓ ପରିବାର ସଦସ୍ୟଙ୍କୁ ଦେଢ଼ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନ ପଚାରିଛି କ୍ରାଇମବ୍ରାଞ୍ଚ୍ ଟିମ୍।

Advertisment

ତେଣେ ଗୋଟିଏ ପଟେ ଚାଲିଛି ହତ୍ୟାର କାରଣ ଖୋଜା ତ, ଆଉ ଗୋଟାଏ ପଟେ ଚାଲିଛି ପ୍ରମାଣ ଖୋଜା। ୨ଟି ଦିଗକୁ ଧରି ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଜବତ କରିଥିବା ୯ ଏମ୍ଏମ୍ ପିସ୍ତଲ, ୩ ରାଉଣ୍ଡ ଅଫୁଟା ଗୁଳି, ଖୋକା, ଗୋପାଳଙ୍କ ୟୁନିଫର୍ମ ଏବଂ ମନ୍ତ୍ରୀଙ୍କ ରକ୍ତଭିଜା ସାର୍ଟକୁ ଧରି ସୁରାଗ୍ ଖୋଜୁଛି। ଫରେନ୍ସିକ ଟିମ୍ ମଧ୍ୟ ଏହାକୁ ନେଇ ଅଧିକ ଛାନଭିନ୍ ମଧ୍ୟ କରୁଛି। ଜବତ ବନ୍ଧୁକରୁ ନବ ଦାସଙ୍କୁ ଗୁଳି କରାଯାଇଥିଲା କି ନାହିଁ, ବନ୍ଧୁକର ଗନ୍ ପାଉଡର୍ ସହ ଗୋପାଳଙ୍କ ହ୍ୟାଣ୍ଡ ସ୍ୱାବ୍‌କୁ ଫରେନ୍ସିକ ଟିମ୍ ମିଳାଇବ। ନବ ଦାସଙ୍କ ଶରୀରକୁ ଭେଦି ବାହାରିଯାଇଥିବା ଗୁଳିକୁ ଠାବ ପାଇଁ ବି ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।

କ୍ରାଇମବ୍ରାଞ୍ଚ ତଦନ୍ତର ଗତିବିଧି ଭିତରେ ମନ୍ତ୍ରୀ ନବ ଦାସଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ ହୋଇଛି। ପୋଷ୍ଟମର୍ଟମ କରିଥିବା ଟିମ୍‌ର ଜଣେ ଡାକ୍ତର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିଛନ୍ତି। ତେବେ ରିପୋର୍ଟରେ କଣ ଅଛି ? ମୃତ୍ୟୁର କାରଣ କଣ ? ଗୁଳିମାଡ଼ର କେତେ ସମୟ ପରେ ନବ ଦାସ ଆଖିବୁଜିଛନ୍ତି ? ସେନେଇ ମୁହଁ ଖୋଲିନାହାଁନ୍ତି ହସ୍ପିଟାଲ୍ କର୍ତ୍ତୃପକ୍ଷ।

ଅନ୍ୟପଟେ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବଦଳି କରାଯାଇଛି। ତାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଏସ୍‌ଡିପିଓ ଦାୟିତ୍ୱ ଦିଆଯାଇଛି। 

accused ASI elder brotherଅଭିଯୁକ୍ତ ଏଏସ୍‌ଆଇ ଗୋପାଳଙ୍କ ବଡ଼ଭାଇ କରିଥିବା ହୋଟେଲ।