Advertisment

ନବ ଦାସଙ୍କୁ ହତ୍ୟା ମାମଲା: ବିଜେପି-କଂଗ୍ରେସ ଟାର୍ଗେଟରେ ସରକାର, ରାଜନୀତିକ ରଙ୍ଗ ଦେଲା ବିଜେଡି

ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବାର ୫୬ଘଣ୍ଟା ପରେ ବିତିଯିବା ପରେ ହତ୍ୟାର କାରଣ ରହସ୍ୟମୟ ହୋଇ ରହିଛି।

ଅଦ୍ୟତନ ହୋଇଛି
Naba das

Naba das

Advertisment

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବାର ୫୬ଘଣ୍ଟା ପରେ ବିତିଯିବା ପରେ ହତ୍ୟାର କାରଣ ରହସ୍ୟମୟ ହୋଇ ରହିଛି। ପରିବାର ଲୋକେ ଏହି ହତ୍ୟା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା କହିବା ଏବଂ ପୁଲିସର ନିରବତା ଯୋଗୁ ସମୟ ଗଡ଼ିବା ସହ ଲୋକଙ୍କ ମନରେ ସନ୍ଦେହ ବେଶୀ ବଢ଼ିବାରେ ଲାଗିଛି । ଏପଟେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ଓ ବିଚାରବିଭାଗୀୟ ତଦନ୍ତ ଦାବି କରିବା ସହ ଶୀର୍ଷସ୍ତରରେ ଥିବା ଲୋକଙ୍କ ଷଡ଼ଯନ୍ତ୍ରରେ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି । ଆଉ ବିଜେଡି ଏହି ଘଟଣାରେ ବିରୋଧୀ ଦଳ କରୁଥିବା ଦାବିକୁ ରାଜନୀତିକ ବୋଲି କୌଣସି ଉତ୍ତମ ଦେବାକୁ ଚାହୁଁନଥିବା କହିଛି । ଆଉ ନବ ଦାସଙ୍କ ହତ୍ୟାର ବାସ୍ତବ କାରଣକୁ ନେଇ ପୁଲିସ ଏପର୍ଯ୍ୟନ୍ତ କୌଣସି ପ୍ରାଥମିକ ନିର୍ଯ୍ୟାସରେ ପହଂଚି ନଥିବାବେଳେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ବାକଯୁଦ୍ଧ ପରୋକ୍ଷରେ ସାଧାରଣ ଲୋକଙ୍କ ମଧ୍ୟରେ ନାନାଦି ଚର୍ଚ୍ଚାକୁ ବଢ଼ାଇ ଦେଇଛି ।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି  କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା ନାହିଁ, ତୁରନ୍ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି । ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସ୍ପଷ୍ଟ ଦିବାଲୋକରେ ହତ୍ୟା ହେବା ସତ୍ତ୍ୱେ ପୁଲିସ ଡିଜି ଘଟଣାସ୍ଥଳକୁ ନଯିବା ଓ ଗୃହ ସଚିବ ନିରବତା ଅବଲମ୍ବନ କରିବା ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି । ରାଜ୍ୟରେ କିଏ ସରକାର ଚଳାଉଛି ବୋଲି ସେ ପ୍ରଶ୍ନ କରିବା ସହ ଜଣେ ପୁଲିସ ହତ୍ୟା କରିଥିବାବେଳେ ଅନ୍ୟ ଜଣେ ପୁଲିସ କିଭଳି ଏହାର ତଦନ୍ତ କରିବ ତଥା ଏହା କିପରି ବିଶ୍ୱାସଯୋଗ୍ୟ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଗତ ଦିନମାନଙ୍କରେ ଅନେକ ସଙ୍ଗୀନ ଘଟଣାରେ ପୁଲିସ ଲଗାଇ ପ୍ରମାଣ ନଷ୍ଟ କରାଯାଇଛି ଏବଂ ଏବେ ଅନୁରୂପ ପ୍ରମାଣ ନଷ୍ଟ ପାଇଁ ରାସ୍ତା ତିଆରି କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ୨୩ବର୍ଷ ଧରି ରାଜ୍ୟର ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ସମସ୍ତ ଘଟଣାରେ ମୁହଁ ନଖୋଲିବା ବି ଅତ୍ୟନ୍ତ ଲଜ୍ୟାର ବିଷୟ ବୋଲି ସେ କହିଛନ୍ତି ।

ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ଯେ, ନବ ଦାସଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଖବର ଆମକୁ ମିଳିଛି । ଝାରସୁଗୁଡ଼ା ହସ୍ପିଟାଲ ତାଙ୍କୁ ରେଫର କରିବା ପାଇଁ ସାର୍ଟିଫାଏ କରିଥିଲା କି? ଯଦି ତାଙ୍କର ସ୍ପଷ୍ଟରେ ମୃତ୍ୟୁ ଘଟିଥିଲା, ତା’ହେଲେ ଏଭଳି ଡ୍ରାମା କରିବାର କ’ଣ ଆବଶ୍ରକତା ଥିଲା । ଯଦି ସେ ପୁଲିସ ଏଏସଆଇ ପାଗଳ, ତାକୁ ସର୍ଭିସ ପିସ୍ତଲ କ’ଣ ପାଇଁ ଦେଉଥିଲେ । ଘଟଣାରେ ବଡ଼ ରହସ୍ୟ ରହିଛି ଓ ବହୁତ ବଡ଼ ବଡ଼ ଲୋକ ସମ୍ପୃକ୍ତ ଅଛନ୍ତି । ଆଗରୁ ପ୍ଲଟ କରି ତାକୁ ପାଗଳ ଆଖ୍ୟା ଦେଉଛନ୍ତି । ଓଡ଼ିଶା ପୁଲିସରେ ଆଉ କେତେ ଏଭଳି ପାଗଳ ଅଛନ୍ତି ସରକାର ସ୍ପଷ୍ଟ କରନ୍ତୁ । ଆଈମା’ କାହାଣୀ ଶୁଣିବାକୁ ଆଉ ଆମେ ପ୍ରସ୍ତୁତ ନାହୁଁ ବୋଲି ସେ କହିଛନ୍ତି ।

Advertisment

ସେହିପରି କଂଗ୍ରେସର ବରିଷ୍ଠ ନେତା ପଂଚାନନ କାନୁନଗୋ ଓ ମୁଖପାତ୍ର ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ପଛରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଛନ୍ତି । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତ୍ତରଦାୟୀ । ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ସମଗ୍ର ଘଟଣାକ୍ରମର ଏସଆଇଟି ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି । କଂଗ୍ରେସ ପକ୍ଷରୁ ଏହି ମାମଲା ସହ ଜଡ଼ିତ ୭ଟି ପ୍ରଶ୍ନ ସରକାରଙ୍କୁ ପଚରାଯାଇଛି । ଆସନ୍ତା ୭ଦିନ ମଧ୍ୟରେ ସରକାର ଏହାର ଉତ୍ତର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । କ୍ରାଇମବ୍ରାଂଚ ତଦନ୍ତ ଏକ ପ୍ରହସନ ଓ ରାଜ୍ୟରେ ଅତୀତରେ କ୍ରାଇମ୍ ପଛର ପ୍ରକୃତ ସତ୍ୟତାକୁ ଲୋକଲୋଚନକୁ ଆଣିବା ପରିବର୍ତ୍ତେ ପୁଲିସ ଘଂଟ ଘୋଡ଼ାଇ ଥିବାର ନଜିର ରହିଛି । ନବ ଦାସଙ୍କ ହତ୍ୟା ଘଟଣାର କ୍ରାଇମବ୍ରାଂଚ ତଦନ୍ତ ମଧ୍ୟ ସେଭଳି ହେବ ବୋଲି କଂଗ୍ରେସ ଆଶଙ୍କା କରିଛି ।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ତଥା ଦଳର ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ର ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଭଳି ସ୍ପର୍ଶକାତର ଘଟଣାରେ ବିଜେପି ନିମ୍ନମାନର ରାଜନୀତି କରୁଛି । ତଦନ୍ତରେ ସ୍ୱଚ୍ଛତା ରକ୍ଷା ଲାଗି ଜଣେ ବିଚାରପତିଙ୍କ ତଦାରଖରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ହାଇକୋର୍ଟଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ଜୟନାରାୟଣ ମିଶ୍ର ନିଜେ ଜଣେ ହତ୍ୟା ଅଭିଯୁକ୍ତ । ବିଜେଡି କର୍ମୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ରହିବା ପରେ ଏବେ ସେ ଜାମିନରେ ଆସିଛନ୍ତି । ନବ ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଂଚ ତଦନ୍ତ ଚାଲିଥିବାବେଳେ ତାଙ୍କ ମନୁ ସ୍ୱାଭାବିକ ଭାବେ ଭୟ ଗ୍ରାସିଛି । ଶ୍ରୀ ମିଶ୍ର ଏବେ ବାଉଳିଚାଉଳି ହୋଇ ଏଭଳି ନାନା ଅବାନ୍ତର ମନ୍ତବ୍ୟ ଦେଉଛନ୍ତି । ତାଙ୍କ ଭଳି ଜଣେ ହତ୍ୟା ଅଭିଯୁକ୍ତର ମନ୍ତବ୍ୟକୁ ବିଜେଡି ଆଦୌ ଗୁରୁତ୍ୱ ଦେଉନାହିଁ କିମ୍ବା ତା’ଉପରେ ପ୍ରତିକ୍ରିୟା ରଖିବାକୁ ଚାହୁଁନି । ସେହିପରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଶୋକସନ୍ତପ୍ତ ପରିବାର ପ୍ରତି ଗୋଟିଏ ଶବ୍ଦ ବି ସମବେଦନା ଭାବେ ବ୍ୟକ୍ତ ନକରି ନବ ଦାସଙ୍କ ହତ୍ୟା ଉପରେ ରାଜନୀତି କରିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି ତାହା ନିନ୍ଦନୀୟ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

ତେବେ ବିଜେଡି ଦ୍ୱାରା ଏଭଳି ରାଜନୀତିକ ବୟାନବାଜି ପରେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, ନବ ଦାସଙ୍କ ହତ୍ୟାର ସଠିକ୍ ତଦନ୍ତ ହେବା ବିଜେଡି ଚାହୁଁନି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ ପ୍ରେସ୍ ବିବୃତ୍ତି ନବ ଦାସଙ୍କ ହତ୍ୟାର ଷଡ଼ଯନ୍ତ୍ରକାରୀମାନଙ୍କୁ ସୁହାଇଲା ଭଳି ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ରିପୋର୍ଟ-ଭୁବନେଶ୍ୱରରୁ ପ୍ରକାଶ ସେଠୀ

Naba Das Shootout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe