ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଗୋପାଳ ଦାସର ହେବ ଫରେନ୍ସିକ୍ ସାଇକୋଲୋଜିକାଲ ଆସେସମେଣ୍ଟ

ଅନ୍ୟପଟେ ଏହି ହତ୍ୟା ପଛରେ କୋଇଲା ସିଣ୍ଡିକେଟର ଷଡ଼ଯନ୍ତ୍ର ରହିଛି କି ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନବ ଦାସ ହତ୍ୟା ମାମଲା।

  • Published: Saturday, 04 February 2023
  • , Updated: 04 February 2023, 09:40 PM IST

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ଫରେନ୍ସିକ୍ ସାଇକୋଲୋଜିକାଲ ଆସେସମେଣ୍ଟ ହୋଇଛି। ସିଏଫ୍‌ଏସ୍‌ଏଲ୍‌ ଦ୍ୱାରା ଗୋପାଳର ଏଲଭିଏ ଟେଷ୍ଟ ମଧ୍ୟ କରାଯାଇଛି। ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ ହୋଇଛି। ଆଜି ସନ୍ଧ୍ୟାରେ ମାମଲାର ତଦନ୍ତ ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚର ଏହି ସୂଚନା ଦେଇଛି। ସୂଚନାରେ ଆହୁରି କୁହାଯାଇଛି ଯେ, ମିଳିଥିବା ୨୨ ଖଣ୍ଡ କାଗଜକୁ ହ୍ୟାଣ୍ଡରାଇଟିଙ୍ଗ ବ୍ୟୁରୋକୁ ପଠାଯାଇଛି। ଏହାଛଡ଼ା ଗୋପାଳର ବ୍ରହ୍ମପୁର ଓ ଝାରସୁଗୁଡ଼ା ଘରୁ ବହୁ କାଗଜାତ ଜବତ ହୋଇଛି। ଗୋପାଳ ଏବଂ ପରିବାରର ଆର୍ଥିକ ନେଣଦେଣର ତଥ୍ୟ ସଂଗ୍ରହ ହୋଇଛି। ଯାହାର ଯାଞ୍ଚ ଚାଲିଛି ବୋଲି କ୍ରାଇମ୍‌ବ୍ରାଞ୍ଚ ସୂଚନା ଦେଇଛି।

ଆଜିଠୁ ପୁଣି ଗୋପାଳକୁ ୪ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା। ଆଜି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ଗୋପାଳକୁ ଝାରସୁଗୁଡ଼ା ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଆଉ ୪ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ। ତେବେ ପୁଣି ଥରେ ୪ ଦିନିଆ ରିମାଣ୍ଡରେ ଯାଉଥିବା ଗୋପାଳ ଆଗକୁ କେଉଁ ତଥ୍ୟ ଉଗାଳୁଛି ଏବଂ କ୍ରାଇମବ୍ରାଞ୍ଚ କେତେ ସତ ସାମ୍ନାକୁ ଆଣୁଛି, ତାକୁ ଅପେକ୍ଷା।

ଅନ୍ୟପଟେ ନବ ଦାସ ହତ୍ୟା ପରଠୁ ହୁଲସ୍ତୁଲ୍ ପାୱାର କରିଡର୍। ଘଟଣା ନେଇ କେତେବେଳେ ଡିଜିପିଙ୍କ କ୍ୟାମ୍ପ ଅଫିସରେ ହାଜର ହେଉଛନ୍ତି ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ତ କେତେବେଳେ ପହଞ୍ଚୁଛନ୍ତି ଡିଆଇଜି ଓ ଆଇନଶୃଙ୍ଖଳା ଏଡିଜି। ଦିନ ତମାମ ବସୁଛି ଘନ ଘନ ବୈଠକ। ଚାଲୁଛି ଆଲୋଚନା ପର୍ଯ୍ୟାଲୋଚନା। ହେଲେ ଏପର୍ଯ୍ୟନ୍ତ ନବ ଦାସଙ୍କ ହତ୍ୟାକାଣ୍ଡ ପଛର ରହସ୍ୟ ଉନ୍ମୋଚନ କରାଯାଉନି। ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଓ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ସମସ୍ତେ ଚୁପ୍। କେବଳ ଗୋଳିଆ ମିଶା କଥା କୁହାଯାଉଛି।

ସେପଟେ ମାମଲାର ତଦନ୍ତର ତତ୍ତ୍ୱାବଧାନ ଦାୟିତ୍ୱରେ ଥିବା ଜଷ୍ଟିସ ଜେ.ପି. ଦାସଙ୍କ କଟକ ଘରେ ପହଞ୍ଚି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ତଦନ୍ତର ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି। ତେବେ ଜଷ୍ଟିସ ଦାସ କହିଛନ୍ତି, ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହ ଗ୍ରାଉଣ୍ଡ ଜିରୋକୁ ଯିବି।

ତେଣେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ଆର୍ଥିକ ସାମ୍ରାଜ୍ୟ ଉପରେ ଆଖି ପକାଇଛି କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ବ୍ରହ୍ମପୁର ବଡ଼ ମେଡ଼ିକାଲ କ୍ୟାମ୍ପସରେ ଥିବା ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇ ଗୋପାଳର ଆର୍ଥିକ କାରବାରର ଯାଞ୍ଚ କରିଛି। ଏହାସହ ବ୍ରହ୍ମପୁର ଶିଳ୍ପାଞ୍ଚଳରେ ରହୁଥିବା ଗୋପାଳଙ୍କ ପତ୍ନୀ ଏବଂ ପୁତୁରାକୁ କ୍ରାଇମବ୍ରାଞ୍ଚ ଆର୍ଥିକ ଦିଗ ସଂପର୍କରେ ପଚରାଉଚରା କରିଛି। ଏପିରିକି ଆଖପାଖ ବ୍ୟକ୍ତି ଏବଂ ପଡ଼ୋଶୀଙ୍କଠୁ ତଥ୍ୟ ସଂଗ୍ରହ କରିଛନ୍ତି। ତେବେ କାହିଁକି ଆର୍ଥିକ କାରବାର ଦିଗ ଉପରେ ଫୋକସ୍ କରିଛି ତଦନ୍ତକାରୀ ସଂସ୍ଥା ?

ଗତକାଲି ବ୍ରଜରାଜନଗର କ୍ୱାର୍ଟର୍ସରୁ ମିଳିଥିବା ଏକ ରହସ୍ୟଜନକ ଡାଏରୀରେ ରହିଛି କି ଆର୍ଥିକ କାରବାରର ହିସାବ ? ସେଥିରୁ କିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ ପାଇବା ପରେ ଆର୍ଥିକ ଦିଗକୁ ଖୋଳତାଡ଼ କରୁଛି କି କ୍ରାଇମବ୍ରାଞ୍ଚ ? ତାକୁ ନେଇ ଲାଗିରହିଛି ନାନା ଚର୍ଚ୍ଚା। ଏହି ହତ୍ୟାକାଣ୍ଡକୁ ସପ୍ତାହେ ପୂରିବାକୁ ଯାଉଛି। ଅଥଚ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ଆସିପାରୁନି।

ଅନ୍ୟପଟେ ଏହି ହତ୍ୟା ପଛରେ କୋଇଲା ସିଣ୍ଡିକେଟର ଷଡ଼ଯନ୍ତ୍ର ରହିଛି କି ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହିଁକି ନା ବର୍ଷ ବର୍ଷ ଧରି କୋଇଲା କାରବାରକୁ ନେଇ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଗଡ଼ିଛି ଅନେକ ଖଣି ବ୍ୟବସାୟୀଙ୍କ ମୁଣ୍ଡ। ସୂଚନା ଅନୁସାରେ ଗତ ୨୦ ବର୍ଷ ଭିତରେ କୋଇଲା ବିଜନେସକୁ ନେଇ ଏ ଅଂଚଳରେ ୭ରୁ ଅଧିକ ହାଇପ୍ରୋଫାଇଲ୍ ଲୋକଙ୍କ ଜୀବନ ଯାଇଛି। ତେଣୁ ଏ ଦିଗରେ ତଦନ୍ତ କରିବାକୁ ଦାବି କରିଛନ୍ତି ବିରୋଧୀ।

କଳା ହୀରାକୁ ନେଇ ୧୯୯୯ରେ ବୁଲୁ ଦାସ, ୨୦୦୩ରେ ସେ ସମୟର କଂଗ୍ରେସ ଜିଲ୍ଲା ସଭାପତି ସାମୁ କେଡିଆ ଓ କାନ୍ତା ଦାସ, ୨୦୦୮ରେ କୋଇଲା ବ୍ୟବସାୟୀ ସ୍ୱରୂପ ଦାସ, ୨୦୧୦ରେ କୋଇଲା ବ୍ୟବସାୟୀ ଅର୍ଜୁନ୍ ସିଂ, ୨୦୧୯ରେ ଅମିତ ଧଳ ଓ ମଣ୍ଟୁ ଘୋଷ ପ୍ରମୁଖଙ୍କ ଜୀବନ ଯାଇଛି। କୋଇଲା ପରିବହନ, ଟେଣ୍ଡର ଫିକ୍ସିଂ, ଚୋରା କୋଇଲା କାରବାର, ଖଣି ବ୍ୟବସାୟକୁ ନେଇ ଅନେକ ସମୟରେ ଗ୍ୟାଙ୍ଗୱାର୍ ଓ ସୁପାରି କିଲିଂ ଘଟିଛି। ତେଣୁ ସେଇ ଧାରାରେ ନବ ଦାସଙ୍କ ହତ୍ୟା ହୋଇନି ତ ? କୋଇଲ ମାଫିଆ, ଗୋପାଳଙ୍କୁ ଅସ୍ତ୍ର କରି ନବଙ୍କୁ ରାସ୍ତାରୁ ହଟାଇ ନାହାନ୍ତି ତ ? ଯାହାକୁ ନେଇ ସବୁଠି ଅଲୋଚନା। କାରଣ ସୁନ୍ଦରଗଡ଼ ହେଉକି ସମ୍ବଲପୁର କିମ୍ବା ନବଙ୍କ ନିଜ ଜିଲ୍ଲା ଝାରସୁଗୁଡା, ସବୁଠି ନବଙ୍କ ଏତେ ପ୍ରଭାବ ଥିଲା ଯେ, ଏହି ବ୍ୟବସାୟରେ ପଶିବା ପାଇଁ ଅନ୍ୟମାନେ ଯେତେ ଚେଷ୍ଟା କଲେ ବି ସଫଳ ହୋଇପାରୁନଥିଲେ। କ୍ରାଇମବ୍ରାଂଚ ଏହି ଦିଗରେ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ବିରୋଧୀ।

ସେପଟେ ଗୋପାଳ ଦାସ ବ୍ୟବହାର କରୁଥିବା ଓଆର୧୫ଏନ୍ ୪୨୬୩ ନମ୍ବର କାରକୁ କ୍ରାଇମବ୍ରାଂଚ ଜବତ କରି ଯାଂଚ କରିଛି। ଏହି କାର ଝାରସୁଗୁଡ଼ାର କୋଇଲା ଲୋଡିଂ ବ୍ୟବସାୟୀ ଅରୁଣ କୁମାର ମୁନ୍ଦ୍ରାଙ୍କ ନାଁରେ ରହିଛି। ତେବେ ଖୋଳତାଡ଼ ଆରମ୍ଭ ହେବା ପରେ ମୁନ୍ଦ୍ରା କହିଛନ୍ତି, ଗାଡିଟି ଗୋପାଳ ଦାସଙ୍କୁ ସେ ବିକ୍ରି କରିଥିଲେ। ଏବାବଦରେ ଗୋପାଳ ୫୦ ହଜାର ଟଙ୍କା ଦେଇଥିବା ବେଳେ ଆଉ ୫୦ ହଜାର ଦେବାର ଥିଲା। ସେପଟେ ଡିଜିପି ସୁନିଲ ବଂଶଲ କହିଛନ୍ତି ସବୁ ଦିଗରୁ ତଦନ୍ତ କରାଯାଉଛି। 

ଅନ୍ୟପଟେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯିବା ସମୟର ଏକ ଭିଡ଼ିଓକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ସୁରକ୍ଷା ବଳୟରେ ମିଟିଂ ପାଇଁ ଆସୁଥିବା ମନ୍ତ୍ରୀ ନବ ଦାସ ଗାନ୍ଧି ଛକରେ ନିଜ କାରର ଆଗ ସିଟରୁ ନିଜେ ଡୋର୍ ଖୋଲି ଓହ୍ଲାଉଥିଲେ। ଆଉ ସେହି ସମୟରେ ଦୁଇଜଣ କର୍ମୀ ତାଙ୍କ ବେକରେ ଦୁଇଟି ଫୁଲ ମାଳ ପକାଉଥିବା ସମୟରେ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ଗୁଳି। ସବୁଠୁ ବଡ଼ କଥା ହେଉଛି ମନ୍ତ୍ରୀଙ୍କୁ ଦୁଇଜଣ ପିଏସ୍ଓ ଯୋଗାଇ ଦିଆଯାଇଥିଲେ ବି ମନ୍ତ୍ରୀଙ୍କ ଗାଡ଼ିରେ କେହି ଜଣେ ବି ନଥିଲେ। ମନ୍ତ୍ରୀ ଓହ୍ଲାଉଥିଲା ବେଳେ ଜଣେ ପିଏସ୍ଓ ପଛ କାରରୁ ଓହ୍ଲାଇ ଆସୁଥିବା ଦେଖିବାକୁ ମିଳିଥିଲା। ଏବଂ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଉଥିବା ବ୍ରଜରାଜନଗର ଆଇଆଇସି, ମନ୍ତ୍ରୀ ଗାଡ଼ିରୁ ଏକା ଓହ୍ଲାଉଥିବା ସମୟରେ ତାଙ୍କ ପାଖକୁ ଆସିବା ବଦଳରେ ଥିଲେ ଡ୍ରାଇଭର ସିଟ୍ ସାଇଡରେ। କେବଳ ଏତିକି ନୁହେଁ, ମନ୍ତ୍ରୀଙ୍କ ଦେହରେ ଗୁଳି ବାଜିବା ପରେ ସେ ଯେତେବେଳେ ତଳେ ପଡିଯାଉଥିଲେ ସେତେବେଳେ ବି ତାଙ୍କୁ ଉଠାଇବା ପାଇଁ ସେଠାରେ ଉପସ୍ଥିତ ଥିବା ପିଏସ୍ଓ କି ପୁଲିସ୍ ତତ୍ପରତା ଦେଖାଇ ନ ଥିଲା।

ତେବେ ଯଦିଓ ଏହାଭିତରେ ଜଣେ ପିଏସ୍ଓ ମିତ୍ରଭାନୁ ଦେଓଙ୍କୁ କେବଳ ନିଲମ୍ବନ ହିଁ କରାଯାଇଛି, ହେଲେ ହତ୍ୟାକାଣ୍ଡ ସମୟରେ ପିଏସ୍ଓଙ୍କ ଭୂମିକାକୁ ନେଇ ବଡ଼ ପ୍ରଶ୍ନ ଠିଆ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ଏ ସମୟରେ ପିଏସ୍ଓଙ୍କ ଭୂମିକା କଣ ରହିବା ଦରକାର?

ପ୍ରେସମିଟରେ ଗତକାଲି ପୁଲିସ୍ ଡିଜି କହିଥିଲେ ପିଏସ୍ଓ ସ୍ତରରେ ବଡ଼ ଧରଣର ପରବିର୍ତ୍ତନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏପରିକି ପିଏସ୍ଓଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଏସପିଜିର ସହାୟତା ନିଆଯିବ।

ସେହିପରି ଏହି ଘଟଣା ପରେ ପରେ ବିଭିନ୍ନ ଜିଲ୍ଲାରେ ପିଏସଓମାନଙ୍କୁ ସେମାନଙ୍କ ସର୍ଭିସ୍ ପିସ୍ତଲ, ରିଭଲଭର ଓ ଗୁଳିକୁ ଜିଲ୍ଲା ଅସ୍ତ୍ରାଗାରରେ ଜିମା ଦେବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିସହ ସୁରକ୍ଷା ଯୋଗାଇଲା ବେଳେ ପିଏସଓମାନେ କ’ଣ କରିବା ଉଚିତ୍ ଓ ନକରିବା ଉଚିତ୍ ସେ ସଂପର୍କରେ ଜିଲ୍ଲାସ୍ତରରେ ବି ଆରମ୍ଭ ହୋଇଯାଇଛି କସରତ୍।

Related story