Advertisment

ନବ ଦାସ ହତ୍ୟା ମାମଲା: ସୌଜନ୍ୟ ଭୁଲିଗଲେ କି ରାଜ୍ୟ କ୍ୟାବିନେଟ୍‌ ?

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୯ଦିନ ବିତିଲାଣି, ପ୍ରଥମ ଦିନରୁ ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଂଚ ନବଙ୍କ ହତ୍ୟା ପଛର ପ୍ରକୃତ କାରଣ କ’ଣ ତା’ର ରହସ୍ୟ ଭେଦ କରିବାକୁ ସକ୍ଷମ ହୋଇପାରୁନଥିବାବେଳେ ବିରୋଧୀ ଦଳ ଓ ସାଧାରଣ ଲୋକଙ୍କ ମଧ୍ୟରେ କ୍ରାଇମବ୍ରାଂଚର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଉଠିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
Naba Das murder

Naba Das murder

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୯ଦିନ ବିତିଲାଣି, ପ୍ରଥମ ଦିନରୁ ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଂଚ ନବଙ୍କ ହତ୍ୟା ପଛର ପ୍ରକୃତ କାରଣ କ’ଣ ତା’ର ରହସ୍ୟ ଭେଦ କରିବାକୁ ସକ୍ଷମ ହୋଇପାରୁନଥିବାବେଳେ ବିରୋଧୀ ଦଳ ଓ ସାଧାରଣ ଲୋକଙ୍କ ମଧ୍ୟରେ କ୍ରାଇମବ୍ରାଂଚର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଉଠିଛି । ଆଉ ଏସବୁ ଭିତରେ ନବଙ୍କ ହତ୍ୟା କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜଣା କହି ପୁଲିସ ଡିଜି ହାତ ଟେକିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ କିମ୍ବା ତାଙ୍କର କୌଣସି କ୍ୟାବିନେଟ୍ ସହଯୋଗୀ ମୁହଁ ନଖୋଲିବା ଏହି ହତ୍ୟାକୁ ଅଧିକ ରହସ୍ୟମୟ କରିବାରେ ଲାଗିଛି ।

Advertisment

ନିଜ କ୍ୟାବିନେଟ୍ ସହଯୋଗୀଙ୍କୁ ହରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ କ୍ୟାବିନେଟର ଆନୁଷ୍ଠାନିକ ବୈଠକ ଡକାଇ ନବଙ୍କ ମୃତ୍ୟୁ ପାଇଁ ଶୋକ ପ୍ରସ୍ତାବଟିଏ ପାରିତ କରିବାର ସୌଜନ୍ୟକୁ ନବୀନ ପଟ୍ଟନାୟକ ସରକାର ଭୁଲି ଯାଇଛି । ପାରିପାଶ୍ୱିର୍କ ସ୍ଥିତ, କ୍ରାଇମବ୍ରାଂଚ ତଦନ୍ତର ଗତି ଓ ଦିଗକୁ ଦେଖିଲେ ନବ ଦାସ ହତ୍ୟା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଥିବା ଏବଂ ହତ୍ୟା ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସଙ୍କୁ କେବଳ ମୋହରା କରାଯାଇଥିବା ନେଇ ବିରୋଧୀ ଦଳ, ପରିବାର ସଦସ୍ୟ ଓ ସାଧାରଣ ଲୋକଙ୍କ ଅଭିଯୋଗ ମଧ୍ୟ ଧୀରେ ଧୀରେ ଶାଣିତ ହେବାରେ ଲାଗିଲାଣି । ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଅକାଳ ମୃତ୍ୟୁ ପରେ ଜରୁରୀକାଳୀନ ରାଜ୍ୟ କ୍ୟାବିନେଟ ବୈଠକ ଡାକି ଶୋକ ପ୍ରସ୍ତାବ ପାରିତ କରିବାର ସୌଜ୍ୟନ୍ୟ କାହିଁକି ମୁଖ୍ୟମନ୍ତ୍ରୀ ଦେଖାଇଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।

ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୁଲିସ ଗୁଳି ମାରି ହତ୍ୟା କରିବା ଓଡ଼ିଶା ଇତିହାସରେ ପ୍ରଥମ ହୋଇଥିବାବେଳେ ରାଜ୍ୟ କ୍ୟାବିନେଟ ତାଙ୍କୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଶ୍ରଦ୍ଧାଞ୍ଜଳି  ଦେବାକୁ ଆଗ୍ରହ ଦେଖାଇ ନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାର ନବ ଦାସଙ୍କ ହତ୍ୟା ପାଇଁ ୩ଦିନ ରାଜ୍ୟସ୍ତରୀୟ ଶୋକ ପାଳନ ପାଇଁ ନିର୍ଦ୍ଦେଶ ଦେବା ରାଷ୍ଟ୍ରୀୟ ମର୍ଯ୍ୟାଦାରେ ନବଙ୍କ ଅନ୍ତିମ ସଂସ୍କାର କଲେ । କିନ୍ତୁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଅକାଳ ମୃତ୍ୟୁ ବା ହତ୍ୟା ପାଇଁ ତାଙ୍କ କ୍ୟାବିନେଟ୍ ସହଯୋଗୀମାନେ ତାଙ୍କୁ ଆନୁଷ୍ଠାନିକ ଭାବେ ଶୋକ ବ୍ୟକ୍ତ କରିବାର ସୁଯୋଗ ପାଇଲେ ନାହିଁ । ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ କାର୍ଯ୍ୟାଳୟ ଏଭଳି ସୌଜନ୍ୟ ପ୍ରଦର୍ଶନ ନେଇ ଆଗ୍ରହ ମଧ୍ୟ ଦେଖାଇ ନାହାନ୍ତି ।

Advertisment

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ “ ପରମ୍ପରା ହେଉଛି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମୃତ୍ୟୁ ହେଲେ କ୍ୟାବିନେଟ୍ ବୈଠକ ଡାକି ଶୋକ ପ୍ରସ୍ତାବ ପାରିତ କରିବା ଉଚିତ୍ । କ୍ୟାବିନେଟ ବୈଠକରେ ୩ଦିନ ଶୋକ ପାଳନ ବି ଉଲ୍ଲେଖ କରାଯାଇ ପାରିଥାନ୍ତା । କିନ୍ତୁ ସେଭଳି ନକରି ଏଠାରେ ଯିଏ ‘ଅଘୋଷିତ କ୍ୟାବିନେଟର ମୁଖ୍ୟମନ୍ତ୍ରୀ’ ଅଛନ୍ତି, ସେ ପରାମର୍ଶ ଦେଲେ ଆଉ ମୁଖ୍ୟମନ୍ତ୍ରୀ ତାକୁ ଅନୁସରଣ କଲେ ଏବଂ ୩ଦିନ ଶୋକ ପାଳନ ହେଲା । କିନ୍ତୁ କ୍ୟାବିନେଟ ବୈଠକ ଡକାଗଲାନି କି ଶୋକ ପ୍ରସ୍ତାବ ପାରିତ ହେଲାନି ।”

ସେହିପରି ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ପ୍ରତିକ୍ରିୟାରେ କହିଛନ୍ତି ଯେ, “କ୍ୟାବିନେଟ ବୈଠକ ଡାକି ମନ୍ତ୍ରୀଙ୍କ ମୃତ୍ୟୁ ପାଇଁ ଦୁଃଖପ୍ରକାଶ କରି ତାଙ୍କ ପରିବାରକୁ ଜଣାଇପାରିଥାନ୍ତେ । ଏଭଳି ବାଧ୍ୟବାଧକତା ନଥିଲେ ବି ସୌଜନ୍ୟ ଦୃଷ୍ଟିରୁ କରିଥିଲେ ଭଲ ହୋଇଥାନ୍ତା । ମୁଖ୍ୟମନ୍ତ୍ରୀ ତ କାହାକୁ କେୟାର କରନ୍ତିନାହିଁ ? ନା ରାଜ୍ୟବାସୀ ନା ନିଜ କ୍ୟାବିନେଟ୍ ସହଯୋଗୀକୁ ସେ କେୟାର କରନ୍ତି ନା କିଛି ବୁଝନ୍ତି? ତେଣୁ ଯାହା ଚାଲିଛି ଚାଲିଛି କ’ଣ କରାଯାଇପାରିବ” ।

ଏପଟେ ନବଙ୍କ ହତ୍ୟା ପଛର କାରଣକୁ ନେଇ ନୂଆ ନୂଆ ଥିଓରି କ୍ରାଇମବ୍ରାଂଚ କିଛି ନିର୍ଦ୍ଦିଷ୍ଟ ମିଡିଆ ମାଧ୍ୟମରେ ଲୋକଙ୍କ ସମ୍ମୁଖରେ ରଖିବାକୁ ପ୍ରୟାସ କରୁଥିଲେ ମଧ୍ୟ ଶାସକ ଦଳର ହାତବାରିସି ହୋଇ ପୂର୍ବରୁ କିଛି ମାମଲାରେ କ୍ରାଇମବ୍ରାଂଚ ନିଜର ବିଶ୍ୱସନୀୟତା ହରାଇଥିବାରୁ ଏବେ ଏହି ତଦନ୍ତ ଉପରେ ସାଧାରଣ ଲୋକ ଭରସା କରିପାରୁନାହାନ୍ତି । ଏଭଳି ସ୍ଥିତିରେ ନବ ଦାସଙ୍କ ହତ୍ୟା ରାଜନୀତିକ ବ୍ୟବସାୟିକ କାରଣ ପାଇଁ ହୋଇଛି ଓ ଜଣେ ପ୍ରଭାବଶାଳୀ ଉପକୂଳ ଓଡ଼ିଶାର ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି ବୋଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଖୋଲାଖୋଲି ଅଭିଯୋଗ ଆଣିଛନ୍ତି ।

ଆଉ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏହି ହତ୍ୟା ପଛରେ ବ୍ୟବସାୟିକ ଓ ରାଜନୀତିକ ଶତ୍ରୁତା ପ୍ରମୁଖ କାରଣ ହୋଇପାରେ ବୋଲି କହିବା ପରେ ସାଧାରଣରେ କ୍ରାଇମବ୍ରାଂଚ ତଦନ୍ତର ଗତି ଓ ଦିଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତା’ଛଡ଼ା ନବ ଗୁଳିମାଡ଼ ପରେ ଘଟଣାସ୍ଥଳରେ ମୃତ୍ୟୁ ହୋଇ ସାରିଥିବାର ଇସିଜି ରିପୋର୍ଟ ଏବେ ଗଣମାଧ୍ୟମରେ ଘୁରି ବୁଲୁଥିବାବେଳେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ କି ପ୍ରକାରର ଅସ୍ତ୍ରୋପଚାର କରାଯାଇଥିଲା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଥର ସେଠାକୁ ଯାଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାର ଡ୍ରାମା କିଏ ରଚିଥିଲା ତାକୁ ନେଇ ମଧ୍ୟ ସାଧାରଣରେ ସନ୍ଦେହ ବଢ଼ିଛି ।

ସେହିପରି ନବ ଦାସ ହତ୍ୟା ମାମଲାରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କ ନିଯୁକ୍ତି ସଂକ୍ରାନ୍ତ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ‘ଓଡ଼ିଶା କମିଶନ ଅଫ ଇନକ୍ୱାରୀ ରୁଲସ-୧୯୭୯’ର କେଉଁ ପ୍ରାବଧାନ ଅନୁସାରେ ତଦନ୍ତରେ ଜଷ୍ଟିସ ଦାସଙ୍କ ଭୂମିକା କ’ଣ ରହିବ ତାହା ଉଲ୍ଲେଖ ନଥିବା ଏବଂ କେବଳ କ୍ରାଇମବ୍ରାଂଚ ତଦନ୍ତକୁ ଜଷ୍ଟିସ ଦାସ ମନିଟରିଂ କରିବେ ବୋଲି ଉଲ୍ଲେଖ ଥିବା ସୂଚନା ମିଳିଛି ।

ତେଣୁ ପାରିପାଶ୍ୱିର୍କ ପରିସ୍ଥିତି ଓ ତଦନ୍ତ ପ୍ରକ୍ରିୟାର ଗତି ସମେତ ଶାସକ ବିଜେଡି  ନିରବ ରହିବା ଆଦି ସାଧାରଣ ଲୋକଙ୍କ ମନରେ ଅଧିକ ସନ୍ଦେହ ବଢ଼ାଇଥିବାବେଳେ କ୍ୟାବିନେଟ୍ ବୈଠକରେ ନିଜର ସହଯୋଗୀଙ୍କୁ ଶ୍ରଦ୍ଧାଞ୍ଜଳି ନଦେବା ଭଳି ନିଷ୍ପତ୍ତି ମଧ୍ୟ ଏହି ହତ୍ୟା ରହସ୍ୟକୁ ଅଧିକ ରହସ୍ୟମୟ ଓ ଜଟିଳ କରିଦେଇଥିବା ଚର୍ଚ୍ଚା ।

Naba Das Murder