Advertisment

ହାଇକୋର୍ଟ ପ୍ରୋସିଜିଓର ଅନୁସାରେ ନବ ଦାସ ହତ୍ୟା ମାମଲାର ତଦନ୍ତ ହେଉଛି: ଜଷ୍ଟିସ ଜେପି ଦାସ

ନବଙ୍କ ପୁଅ ପ୍ରୟାଜରାଜ ଯାଇ ଆଜି ଅସ୍ତି ବିସର୍ଜନ କରିଥିବା ଜଣାପଡ଼ିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
justice JP das

justice JP das

ହାଇକୋର୍ଟ ପ୍ରୋସିଜିଓର ଅନୁସାରେ ନବ ଦାସ ହତ୍ୟା ମାମଲାର ତଦନ୍ତ ହେଉଛି। ଏହା କହିଛନ୍ତି ମାମଲାର ନ୍ୟାୟିକ ତଦାରଖ କରୁଥିବା ଜଷ୍ଟିସ ଜେପି ଦାସ। ଏହି ମାମଲାର ତଦନ୍ତ ନେଇ ବିରୋଧୀ ଦଳ ଉଠାଇଥିବା ପ୍ରଶ୍ନ ଉପରେ ଜେପି ଦାସ ପ୍ରତିକ୍ରିୟାରେ କହିଛନ୍ତି, ସେଇଟା ସେମାନେ କହିବେ। ଆଜି ଏହି ମାମଲାର ନିରୀକ୍ଷଣ ପାଇଁ ଝାରସୁଗୁଡ଼ା ଯାଉଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଗଣମାଧ୍ୟମକୁ ସେ ଏହା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ମାମଲାର ତଦନ୍ତ କିପରି ଚାଲିଛି ଜାଣିବାକୁ ଆବଶ୍ୟକ ପଡ଼ିଲେ ଘଟଣାସ୍ଥଳକୁ ଯିବେ। ସେଠାରେ ପହଞ୍ଚିବା ପରେ କ’ଣ କରାଯିବ ସେନେଇ ସ୍ଥିର କରାଯିବ। ଯେହେତୁ ଆଜି କ୍ରାଇମ୍‌ ରିକ୍ରେଏସନ୍ ଚାଲିଛି ତେଣୁ ଆଇଓ ଓ ଅନ୍ୟ ଅଫିସରମାନେ ଘଟଣାସ୍ଥଳରେ ଅଛନ୍ତି, ତେଣୁ ଆଜି ନ ହେଲେ ଆସନ୍ତାକାଲି ସେମାନଙ୍କ ସହ ଆଲୋଚନା କରାଯିବ। ପରାମର୍ଶ ଅନୁସାରେ ତଦନ୍ତ ହେଉଛି ନା ନାହିଁ ନିରୀକ୍ଷଣ କରାଯିବ। ଆଉ କିଛି ଆବଶ୍ୟକ ପଡ଼ିଲେ ପଦକ୍ଷେପ ନିଆଯିବ। ମାମଲାର ଠିକ୍ ତଦନ୍ତ ଚାଲିଛି ବୋଲି ଖବର ମିଳିଛି। ଏହାପରେ କ’ଣ ଡେଭଲପମେଣ୍ଟ ଦେଖିବାକୁ ପଡ଼ିବ। ସେଠାରେ ପହଞ୍ଚିବା ପରେ ପରବର୍ତ୍ତି ପଦକ୍ଷେପ ବିଷୟରେ କୁହାଯାଇପାରିବ। ଯେହେତୁ ସେ ମାମଲାର ତଦନ୍ତ କରୁନାହାନ୍ତି, କେବଳ ନିରୀକ୍ଷଣ କରୁଛନ୍ତି, ତେଣୁ ମ୍ୟାଜିକ୍ ବ୍ୟାଣ୍ଡ ଭଳି ବାଡ଼ି ହଲାଇ ଦେଲେ ମ୍ୟାଜିକ୍ ହୋଇଯିବନି। ତେଣୁ ସେଠାରୁ ଫେରିଲା ପରେ ତଦନ୍ତ ନେଇ ଅଧିକ କୁହାଯାଇପାରିବ। ସମସ୍ତଙ୍କ ବିଶ୍ୱାସ ନ୍ୟାୟ ବ୍ୟବସ୍ଥା ଉପରେ ରହିଛି। ତେଣୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ଜଷ୍ଟିସ ଜେପି ଦାସ କହିଛନ୍ତି।

ସେପଟେ ଏହି ମାମଲାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଅନୁଧ୍ୟାନ ପାଇଁ ପୁଲିସ୍ ଡିଜି ସୁନୀଲ ବଂଶଲ, ଆଇନ ଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ଝାରସୁଗୁଡ଼ା ଯାଇଥିବା ଜଣାପଡ଼ିଛି।

Advertisment

ଅନ୍ୟପଟେ ବ୍ରଜରାଜ ନଗରରେ ନବ ଦାସଙ୍କ ଉପରେ ଗୁଳିମାଡ ସମୟରେ ଗୋଟିଏ ଗୁଳିମାଡ଼ ଖାଇ ଆହତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ୩୮ ବର୍ଷିୟ ଜୀବନ ନାୟକ ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ହସ୍ପିଟାଲରୁ ବାହାରିବା ପରେ ସେ ବୁର୍ଲା ହସ୍ପିଟାଲରୁ ସିଧା ଯାଇ ମା' ସମଲେଇଙ୍କ ମନ୍ଦିରରେ ଠାକୁରାଣୀଙ୍କ ଦର୍ଶନ କରିଥିଲେ।

ଘଟଣା ଦିନର ସେହି ଲୋମ ଟାଙ୍କୁରା ଅନୁଭୁତି ବାବଦରେ ସେ କହିଛନ୍ତି, ଦାଦା ନବ ଦାସଙ୍କ ବାଟ ଚାହିଁ ସମସ୍ତେ ପେଣ୍ଡାଲ ପାଖରେ ଠିଆ ହୋଇଥିଲେ। ଦାଦା ପହଞ୍ଚିବାରୁ ତାଙ୍କୁ ସ୍ୱାଗତ କରି ଆଣିବାକୁ ଯାଇଥିଲୁ। ଦାଦା କାର୍‌ରୁ ବାହାରି ଗୋଡ଼ ଦୁଇଟି ବାହାରେ ଥୋଉଥିବା ବେଳେ ସେ ଜୁହାର ହେବାକୁ ନଇଁ ପଡ଼ିଥିଲେ। ଏହି ସମୟରେ ତାଙ୍କ ମୁଣ୍ଡ ଉପରେ ଢ଼ୋ’ କରି ଶବ୍ଦ ହୋଇଥିଲା। ଏମିତି ଲାଗିଥିଲା ମୁଣ୍ଡ ଉପରେ ବୋମା ଫୁଟି ଗଲା କି ? ଭୟରେ ମୁଣ୍ଡକୁ ଧରି ପଛକୁ ଦୁଇ ପାଦ ଘୁଞ୍ଚି ଯାଇ ଦାଦାଙ୍କୁ ଦେଖିବା ବେଳକୁ ଦାଦା ତଳେ ପଡ଼ି ଗଲେଣି। ଦାଦାଙ୍କ ସାଟ୍ ରକ୍ତ ହୋଇଯାଇଥିଲା। ତାଙ୍କୁ କେହି ଗୁଳି ମାରି ଦେଲା ବୋଲି ଅଶଙ୍କା କରିଥିଲି। ଏହି ସମୟରେ ଦୁଇ ହାତ ଦେଖିବା ବେଳକୁ ଏହା ବି ରକ୍ତାକ୍ତ ହୋଇଗଲାଣି। ନିଜ ବେକରେ ହାତ ମାରିଲା ବେଳକୁ ଗାତ ହୋଇଯାଇଥିବା ଭଳି ଅନୁଭବ ହେଲା। ରୁମାଲ କାଢ଼ି ସାଙ୍ଗେସାଙ୍ଗେ ବେକକୁ ଚାପି ଧରିଥିଲି। ଦୁଇ ଜଣ କାଲନ୍‌ସିଲର ମୋତେ ଓ ଦାଦାଙ୍କୁ ଉଠାଇ ନେଇ ଝାରସୁଗୁଡ଼ା ପଳାଇଥିଲେ। ସେଠାରେ ଏକ୍ସରେ ହୋଇଥିଲା। ସେଥିରୁ ଗୁଳି ବାହାରି ଯାଇଥିବା ଜଣାପଡ଼ିଥିଲା। ସେଠାରେ ତାଙ୍କ ବେକକୁ ଷ୍ଟିଜ୍ କରି ବୁର୍ଲା ପଠାଇ ଦେଇଥିଲେ। ବୁର୍ଲାରେ ପହଞ୍ଚିବା ପରେ ଅଧିକ ଚିକିତ୍ସା କରାଯାଇଥିଲା। ବେକରେ ପ୍ରାୟ ୧୫ଟି ଷ୍ଟିଜ୍ ପଡ଼ିଥିଲା ବୋଲି ଜୀବନ କହିଛନ୍ତି।

ଜୀବନ ଗଜପତି ଜିଲ୍ଲାର ହୋଇଥିବା ବେଳେ ଝାରସୁଗୁଡ଼ା କଳୀନଗରରେ ରହି ଏକ କୋଇଲା ଖଣିରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ଘଟଣା ଦିନ ନବ ଦାସଙ୍କୁ ମୁଣ୍ଡିଆ ମାରୁଥିବା ବେଳେ ଗୋଟିଏ ରାଉଣ୍ଡ ଗୁଳିର ସ୍ପ୍ରିଂଟର ତାଙ୍କ ବେକରେ ଘଷି ହୋଇ ଚାଲି ଯାଇଥିଲା।

ଅନ୍ୟପଟେ ନବଙ୍କ ପୁଅ ପ୍ରୟାଜରାଜ ଯାଇ ଆଜି ଅସ୍ତି ବିସର୍ଜନ କରିଥିବା ଜଣାପଡ଼ିଛି।

Naba Das Murder