Advertisment

ମୁଖ୍ୟମନ୍ତ୍ରୀ ପଦ ଛାଡ଼ନ୍ତୁ: ନରସିଂହ ମିଶ୍ର, ଜୟନାରାୟଣ ଠିକ୍ କଲେନି: ଓଡ଼ିଶା ପୁଲିସ ସେବା ସଂଘ

ନବ ଦାସ ହତ୍ୟା ମାମଲାରେ ପୁଲିସର ଭୂମିକା, କ୍ରାଇମବ୍ରାଞ୍ଚ ତଦନ୍ତ ନିରପେକ୍ଷତା ନେଇ ବିରୋଧୀଦଳମାନେ ପ୍ରଶ୍ନ ଉଠାଇଥିବା ବେଳେ ସେପଟେ ପୁଲିସ ଉପରେ ଭରସା ନ ଥିବା ନେଇ ମନ୍ତବ୍ୟ ରଖାଯିବା ଉପରେ ଓଡ଼ିଶା ପୁଲିସ ସେବା ସଂଘ ରିଆକ୍ଟିଭ୍ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Narsing mishra and Sarat pattanayak

Narsing mishra and Sarat pattanayak

ନବ ଦାସ ହତ୍ୟା ମାମଲାରେ ପୁଲିସର ଭୂମିକା, କ୍ରାଇମବ୍ରାଞ୍ଚର ତଦନ୍ତ ନିରପେକ୍ଷତା ଓ ମୁଖ୍ୟମନ୍ତ୍ରୀ ନିରବ ରହିବା ନେଇ ବିରୋଧୀଦଳମାନେ ପ୍ରଶ୍ନ ଉଠାଇଥିବା ବେଳେ ସେପଟେ ପୁଲିସ ଉପରେ ଭରସା ନ ଥିବା ନେଇ ଜୟନାରାୟଣ ମିଶ୍ର ମନ୍ତବ୍ୟ ରଖିବା ଉପରେ ଓଡ଼ିଶା ପୁଲିସ ସେବା ସଂଘ ରିଆକ୍ଟିଭ୍ ହୋଇଛି। ଯାହା ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି।

Advertisment

ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ କଂଗ୍ରସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୁଣି ରାଜ୍ୟ ସରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଏହି ମାମଲାକୁ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଦ୍ୱାରା ତଦନ୍ତ କରାଯାଉ। ଓଡ଼ିଶା ପୁଲିସ ଉପରେ ବିଶ୍ୱାସ ନାହିଁ। ଯଦିଓ ପୁଲିସ ବିଭାଗର ଦକ୍ଷ ଅଫିସ୍‌ର ଅଛନ୍ତି, ତାଙ୍କୁ ନିରପେକ୍ଷ ତଦନ୍ତ କରିବାକୁ ଦିଆଯାଉନି। ଅଭିଯୁକ୍ତ ଦୋଷ ମାନିବା ନେଇ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କାହିଁକି ପ୍ରସ୍ତୁତ କରାଯାଇନି ? ଗୁଳି ମନ୍ତ୍ରୀଙ୍କ ହୃତପିଣ୍ଡରେ ବାଜିଥିବା ବେଳେ ରାସ୍ତା ଉପରୁ ଗୁଳି କିମିତି ମିଳିଲା ? ଗୁଳି ଛାତି ଓ ହୃତପିଣ୍ଡ ଭେଦି ପିଠି ବାଟେ ବାହାରି ଯିବା ପରେ ବ୍ୟକ୍ତିର ତତ୍‌କ୍ଷଣାତ ମୃତ୍ୟୁ ହୋଇଥାଏ, ତେବେ ଏତେ ନାଟକ କ’ଣ ପାଇଁ ହେଲା ? ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନାଁରେ ବିଭିନ୍ନ ଅଭିଯୋଗ ଆସୁଛି। ଚିଟ୍‌ଫଣ୍ଡ ଆଦି ମାମଲାରେ ସିବିଆଇ ତଦନ୍ତରୁ କ’ଣ ଫଳ ମିଳିଲା ? ସେହିପରି ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ କଲେ ବି କିଛି ମିଳିବନି। ନବ ଦାସ ହତ୍ୟା ମାମଲାରେ ସମସ୍ତେ ଚାହାନ୍ତି ନିରପେକ୍ଷ ତଦନ୍ତ ହେଉ। ଯେଉଁ ତଦନ୍ତରେ ଲୋକେ ସନ୍ତୁଷ୍ଟ ନୁହଁନ୍ତି, ସେଭଳି ତଦନ୍ତ ଉଚିତ ନୁହେଁ। ପୁଲିସ ଡିଜିଙ୍କ କର୍ତ୍ତବ୍ୟ ହେଉଛି ଘଟଣାକୁ ସ୍ପଷ୍ଟ କରି ଜଣାଇବା। ଓଡ଼ିଶାର ଜଣେ ପୁଲିସ ଡିଜି ଥିବା ଭଳି ମନେ ହେଉନି। ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ। ଏଠି ଗୃହ ବିଭାଗ ମୁଖ୍ୟ ନିଦାବିଷ୍ଣୁ ସାଜିଛନ୍ତି। ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଗୃହ ବିଭାଗ ଛାଡ଼ନ୍ତୁ। ଜଣେ ଦକ୍ଷ ଲୋକଙ୍କୁ ଗୃହ ବିଭାଗ ଦାୟିତ୍ୱ ଦେଇ ମୁଖ୍ୟମନ୍ତ୍ରୀ ପଦ ଛାଡ଼ନ୍ତୁ।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ବାଣ ଛାଡ଼ିଛନ୍ତି। ପିସିସି ସଭାପତି ପଚାରିଛନ୍ତି, ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ? କ୍ରାଇମବ୍ରାଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କର କାହାର ଭରସା ନାହିଁ କି ? ସିଟିଂ ଜଜଙ୍କ ତତ୍ତ୍ୱାବଧାନ କିମ୍ବା ସିବିଆଇ ତଦନ୍ତ ହେଲେ ଘଟଣା କ’ଣ ଜଣାପଡ଼ିବ ? ପ୍ରଭୁ ଜଗନ୍ନାଥଙ୍କ ଉପରେ ସବୁ ଛାଡ଼ିଦେଲେ ଚଳିବନି। ନବଙ୍କ ହତ୍ୟା ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି। ପାଇଖାନା ଟାଙ୍କିରୁ ନଷ୍ଟ ହୋଇନଥିବା ଚିଠି ବାହାରିବା ଗପ ଭଳି ଲାଗୁଛି। ହତ୍ୟା ମାମଲାକୁ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପାଟି ଖୋଲନ୍ତୁ। ନଚେତ୍ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

Advertisment

ଅନ୍ୟପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବୟାନକୁ ନେଇ ଓଡ଼ିଶା ପୁଲିସ ସେବା ସଂଘର କ୍ଷୋଭ ପ୍ରକାଶ କରିଛି। ଆଜି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ କ୍ଷୋଭ ପ୍ରକାଶ କରିଛି ସଂଘ। ଜଣେ ବ୍ୟକ୍ତିଙ୍କୁ ନେଇ ପୂରା ପୁଲିସ ବିଭାଗକୁ ଆକ୍ଷେପ ଠିକ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସଂଘ ସଭାପତି ରତିକାନ୍ତ ମହାପାତ୍ର ଓ ରଣଜିତ ନାୟକ କହିଛନ୍ତି, ଜୟ ନାରାୟଣଙ୍କ ଏଭଳି ମନ୍ତବ୍ୟ ଦ୍ୱାରା ପୁଲିସର ମନୋବଳ ଭାଙ୍ଗିଯିବ। ଓଡ଼ିଶା ପୁଲିସର ଇତିହାସ ବେଶ ସୁଦୃଢ଼। ନକ୍ସଲ ଦମନ, ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଆଦି କ୍ଷେତ୍ରରେ ଓଡ଼ିଶା ପୁଲିସର ଉଲ୍ଲେଖନୀୟ ଅବଦାନ ରହିଛି। ଅନେକ ପୁଲିସ ସେବା କରିବା ବେଳେ ସହିଦ୍ ହୋଇଛନ୍ତି। ପୁଲିସ ବିଭାଗର କାର୍ଯ୍ୟକୁ ଉନ୍ନତ କରିବା ନିମନ୍ତେ ମତ ରଖିବା ଠିକ୍ ହେବ, କିନ୍ତୁ ଜଣେ ପୁଲିସ କର୍ମଚାରୀଙ୍କ ତ୍ରୁଟି ନିମନ୍ତେ ପୂରା ବିଭାଗକୁ ଆକ୍ଷେପ କରିବା ଠିକ୍ ନୁହେଁ। ଏଭଳି ଆପତ୍ତିଜନକ ମନ୍ତବ୍ୟରୁ ଜୟନାରାୟଣଙ୍କୁ ନିବୃତ୍ତ ରହିବା ପାଇଁ ସଂଘ ଦାବି କରୁଛି।

ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଦ୍ୱାରା ଘଟଣାର ତଦନ୍ତ ହେଉଥିବାରୁ ଖୁବ୍‌ଶୀଘ୍ର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

OPSAଓଡ଼ିଶା ପୁଲିସ ସେବା ସଂଘ ପକ୍ଷରୁ ପ୍ରେସ୍ ମିଟ୍

ସେପଟେ ଏହି ମାମଲାରେ ଅଭିଯୁକ୍ତ ପୁଲିସ ଏଏସ୍ଆଇ ଗୋପାଳ ଦାସକୁ କଟକ ଏସ୍‌ସିବିର ଏକ ୪ ଜଣିଆ ମାନସିକ ରୋଗ ବିଶେଷଜ୍ଞ ଟିମ୍ ଝାରସୁଗୁଡ଼ାରେ ପହଞ୍ଚି ପଚରାଉଚରା କରୁଛନ୍ତି। ସେହିପରି ଆଜିଠୁ ପୁଣି ଆରମ୍ଭ ହୋଇଛି ଗୋପାଳ ଦାସର ୪ ଦିନିଆ ରିମାଣ୍ଡ। ଗତ ୧ ତାରିଖରୁ ଚାରି ଦିନିଆ ରିମାଣ୍ଡରେ ଆସିଥିବା ଗୋପାଳ ଦାସର ରିମାଣ୍ଡ ଗତକାଲି ଶେଷ ହୋଇଥିଲା। ଆଜିଠୁ ପୁଣି ରିମାଣ୍ଡରେ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ବେଳେ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ମିଳିଥିବା ୨୨ ଖଣ୍ଡ କାଗଜକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଙ୍ଗ ବ୍ୟୁରୋକୁ ପଠାଯାଇଛି।

Naba Das Murder