Advertisment

ଆଉ ୫ ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ ଗୋପାଳ

ଡିଜିପି ସୁନୀଲ ବଂଶଲ କହିଛନ୍ତି, ତଦନ୍ତକୁ ଆଉ କିଛି ଦିନ ସମୟ ଲାଗିବ।

ଅଦ୍ୟତନ ହୋଇଛି
Justice JP Das

Justice JP Das

Advertisment

ନବ ଦାସ ହତ୍ୟା ମାମଲାରେ ପୁଣି ୫ ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ ଗୋପାଳ ଦାସ। ଆଜି ତୃତୀୟ ଦଫାରେ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଝାରସୁଗୁଡା ଜେଏମ୍‌ଏଫସି କୋର୍ଟ। ଏହି ସମୟରେ ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ହେବ। ଏଥିପାଇଁ ମଧ୍ୟ କୋର୍ଟ ଅନୁମତି ଦେଇଥିବା ଜଣାପଡ଼ିଛି। ଆଜି ତାଙ୍କର ଦ୍ୱିତୀୟ ଦଫା ରିମାଣ୍ଡ ଅବଧି ସରିଥିଲା। କୋର୍ଟରେ ତାଙ୍କୁ ହାଜର କରିବା ପରେ କ୍ରାଇମ୍‌ବ୍ରାଞ୍ଚ ପୁନଶ୍ଚ ରିମାଣ୍ଡ ପାଇଁ ଆବେଦନ କରିଥିଲା।

Advertisment

ସେପଟେ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମ ସ୍ପଟ୍ ଅନୁଧ୍ୟାନ ପରେ ଡିଜିପି ସୁନୀଲ ବଂଶଲ କହିଛନ୍ତି, ତଦନ୍ତକୁ ଆଉ କିଛି ଦିନ ସମୟ ଲାଗିବ। କାରଣ ସବୁ ଦିଗରୁ ତଦନ୍ତ ହେଉଛି। ତଦନ୍ତ ପାଇଁ ତାଙ୍କ ସହିତ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ଓ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ମଧ୍ୟ ଝାରସୁଗୁଡ଼ାରେ ଥିଲେ । ଏହି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ମର୍ଡର ସଂପର୍କରେ ଆଲୋଚନା ହୋଇଛି। ଦେଖିବା ଯାହା ବାହାରିବ ବୋଲି ସେ କହିଛନ୍ତି।

ସେହିପରି ଜଷ୍ଟିସ୍ ଜେପି ଦାସ କହିଛନ୍ତି, ଅଭିଯୁକ୍ତର ଭଏସ୍ ଆନାଲିସିସ ଟେଷ୍ଟ କରାଯାଇଛି। ଆହୁରି ଟେଷ୍ଟ ହେବାର ବାକି ରହିଛି। ତେବେ ନିମହାନସର କୌଣସି ବିଶେଷଜ୍ଞ ଟିମ୍ ଆସିନାହାନ୍ତି। ସେ ଆଜି ଷ୍ଟଟ୍‌କୁ ଯାଇ ଯାଞ୍ଚ କରିଥିଲେ। ଏଡିଜି କ୍ରାଇମ୍‌ବ୍ରାଞ୍ଚ ସହ ଏ ବାବଦରେ ଅଲୋଚନା କରିଥିଲେ। ଏହି ଅପରାଧ ପଛର ରହସ୍ୟ ଖୋଜା ଚାଲିଛି। ଅଭିଯୁକ୍ତର ଆହୁରି ବହୁ ପ୍ରକାର ମାନସୀକ ଟେଷ୍ଟ କରାଯିବା ବାକି ରହିଛି। ତେବେ ତଦନ୍ତ ଠିକ୍ ବାଟରେ ଚାଲିଛି। ଏହିଭଳି ମାମଲାର ତଦନ୍ତ ଶେଷ କରିବା ପ୍ରାବଧାନ ୧୨୦ ଦିନ ରହିଛି। ତେଣୁ ୧୦ ଦିନରେ ତଦନ୍ତ ରହସ୍ୟ କିପରି ଜଣାପଡ଼ିବ ବୋଲି ଜଷ୍ଟିସ୍ ଦାସ କହିଛନ୍ତି।

Advertisment

ଅନ୍ୟପଟେ ଏହି ମାମଲାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ଆଶା ନବଙ୍କ ପାଇଁ କାଳ ହେଲା। ନବୀନଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବ, ସେହି ବିବାଦ ହିଁ ହତ୍ୟାର କାରଣ ହୋଇଛି। ସେ ତ କ୍ୟାବିନେଟ ମନ୍ତ୍ରୀ ଥିଲେ, ପୁଣି ଶନିଙ୍କ ପାଖକୁ କାହିଁକି ଯାଇଥିଲେ। ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ସେ ଶନିଙ୍କ ପାଖକୁ ଯାଇଥିଲେ। ଯିଏ ବିଜେଡିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖୁଛି, ସେ ହିଁ ହତ୍ୟାକାରୀ। ଏହା ରାଜନୈତିକ ହତ୍ୟା, ସରକାର ଜାଣିଶୁଣି ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି। ସେଥିପାଇଁ ବିଜେପି ସିବିଆଇ ତଦନ୍ତ ଦାବି କରୁଛି ବୋଲି ପ୍ରଦୀପ କହିଛନ୍ତି।

ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି,‘ହତ୍ୟାରେ ଗୋପାଳ କେବଳ ସୁଟର । ହେଲେ ଏହି ହତ୍ୟାକାଣ୍ଡର ହ୍ୟାଣ୍ଡଲରକୁ ଖୋଜୁନି ପୁଲିସ। ନବ ଦାସ ହତ୍ୟା ପଛରେ ବହୁତ ବଡ଼ ବଡ଼ ମୁଣ୍ଡ ରହିଛି। ଓଡ଼ିଶା ପୁଲିସ ତଦନ୍ତ ନାଁରେ କେବଳ ଡ୍ରାମା କରୁଛି। କାରସାଦି କରି ଏହି ଘଟଣାକୁ ସଂପୂର୍ଣ୍ଣ ଚାପି ଦେବେ ରାଜ୍ୟ ସରକାର।’

Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe