Advertisment

ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ବନ୍ଧୁକ ପରୀକ୍ଷା ହେବ

ଏନେଇ କ୍ରାଇମ୍ ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସୂଚନା ଦେଇ କହିଛନ୍ତି, ଘଟଣା ଘଟାଇଥିବା ମାନିଛି ଅଭିଯୁକ୍ତ ଗୋପାଳ ଦାସ।

ଅଦ୍ୟତନ ହୋଇଛି
Accused gopal das

Accused gopal das

Advertisment

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଏଏସ୍‌ଆ ଗୋପାଳ ଦାସଙ୍କ ପିସ୍ତଲ ବାଲିଷ୍ଟିକ୍ ପରୀକ୍ଷା ପାଇଁ ଲ୍ୟାବକୁ ପଠାଇବ କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଗୋପାଳଙ୍କୁ ଗିରଫ କରିବା ପରେ କ୍ରାଇମ୍‌ବ୍ରାଞ୍ଚ ଏହି ହତ୍ୟା ମାମଲାର ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରିଛି। ଗୋଟିଏ ଝାରସୁଗୁଡ଼ାରେ ତଦନ୍ତ କରିବ। ଅନ୍ୟଟି ଭୁବନେଶ୍ୱରରେ ତଥ୍ୟ ପ୍ରମାଣ ଯାଞ୍ଚ କରି ରିପୋର୍ଟ ଏକାଠି କରିବ।

Advertisment

କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆହୁରି କୁହାଯାଇଛି, ଯେଉଁ ସ୍ଥାନରେ ମନ୍ତ୍ରୀଙ୍କୁ ଗୁଳି କରାଯାଇଥିଲା ଘଟଣା ସ୍ଥଳରେ ବିଭାଗୀୟ ଅଧିକାରୀମାନେ ପହଞ୍ଚି ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିଛନ୍ତି। ଘଟଣା ସ୍ଥଳରୁ ଗୋଟିଏ ଖୋକା ସହ କିଛି ଜିନିଷ ଜବତ କରାଯାଇଛି। ଏହାଛଡ଼ା ଗୋପାଳଙ୍କ ୯ଏମ୍‌ଏମ୍ ପିସ୍ତଲ ଓ ୩ଟି ଜୀବନ୍ତ ଗୁଳି ମଧ୍ୟ ଜବତ ହୋଇଛି। ସେହିପରି ନବ ଦାସଙ୍କ ରକ୍ତଭିଜା ପୋଷାକ ଓ ମେଡିକାଲ ରେକର୍ଡକୁ ଭିଜିଲାନ୍ସ ତଦନ୍ତ ପରିସରକୁ ନେଇଛି। ପୋଷ୍ଟମର୍ଟମ କରିଥିବା ଡାକ୍ତର ଟିମ୍ ସହ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଆଲୋଚନା କରିଛି। ଅଧିକ ଟେଷ୍ଟ ପାଇଁ ନବଙ୍କ ଭିସେରା ନମୂନା ସଂରକ୍ଷିତ ରଖାଯାଇଛି।

ଏନେଇ କ୍ରାଇମ୍ ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇ କହିଛନ୍ତି, ଘଟଣା ଘଟାଇଥିବା ମାନିଛି ଅଭିଯୁକ୍ତ ଗୋପାଳ ଦାସ। ତାଙ୍କୁ ଗିରଫ କରାଯାଇଛି। ଆଗକୁ ରିମାଣ୍ଡ ଆବେଦନ କରାଯିବ। ରିମାଣ୍ଡରେ ନେଇ ଜେରା କଲେ ପୂରା ଘଟଣା ଜଣାପଡ଼ିବ। ତଦନ୍ତ ବେଳେ ସମସ୍ତ ପ୍ରତ୍ୟେକ୍ଷଦର୍ଶୀଙ୍କୁ ଜେରା କରାଯିବ।

Advertisment

ତେବେ ଏସବୁ ଭିତରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଗୁମୁର ଫିଟାଇ ପାରିନି କ୍ରାଇମବ୍ରାଞ୍ଚ। ତେଣୁ ସବୁଠି ଗୋଟିଏ ଅଲୋଚନା ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଟାର୍ଗେଟ୍ କଲେ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ? ଏ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ପଛର ଅସଲ ରହସ୍ୟ କଣ? ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ପୁଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ମୁହଁରୁ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଘଟଣାର ତଦନ୍ତ ଦାୟିତ୍ୱ ନେଇଥିବା କ୍ରାଇମବ୍ରାଞ୍ଚ।

ଗୋପାଳଙ୍କୁ ଆଜି ସୁନ୍ଦରଗଡ଼ ରିଜର୍ଭ ବାରାକ୍‌ରେ ମାରାଥନ ଜେରା କରିଥିଲେ କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍। ଏଡିଜି ଅରୁଣ ବୋଥ୍ରା ବି ଏହି ଜେରା ଟିମରେ ସାମିଲ ହୋଇଥିଲେ। କାହିଁକି ଏବଂ କେଉଁ ପରିସ୍ଥିତିରେ କର୍ତ୍ତବ୍ୟରତ ଅବସ୍ଥାରେ ଥାଇ ଜଣେ ଦାୟିତ୍ୱବାନ ପୁଲିସ ଅଧିକାରୀ ଏ କାଣ୍ଡ ଘଟାଇଲେ, ସେ ନେଇ ଗୋପାଳଙ୍କୁ ଗୁଡ଼େଇ ତୁଡେଇ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍।

ପ୍ରଶ୍ନ ୧-ମନ୍ତ୍ରୀ ନବ ଦାସଙ୍କ ସହ ଆଗରୁ କିଛି ତିକ୍ତତା ଥିଲା କି ? ୨-ମନ୍ତ୍ରୀ ପୂର୍ବରୁ କେବେ ଗାଳି କରିଥିଲେ କି? ୩-ମନ୍ତ୍ରୀଙ୍କୁ ହତ୍ୟା ପାଇଁ କିଏ ପ୍ରବର୍ତ୍ତାଇ ଥିଲା କି? ୪-କାହାରି ଷଡ଼ଯନ୍ତ୍ର ପାଇଁ ସୁପାରୀ କିଲରର ଭୂମିକା ନେଇଥିଲ କି? ନା ଏ ହତ୍ୟା ପାଇଁ ଆଉ କେଉଁ କାରଣ ଦାୟୀ, ସେ ନେଇ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ୍ ଟିମ୍ ପ୍ରଶ୍ନ କରିଥିବା ସୂଚନା ମିଳିଛି।

ସେପଟେ ଅଭିଯୁକ୍ତକୁ କୋର୍ଟରେ ହାଜର ପରେ ୭ ଦିନିଆ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ୍ ଯୋଜନା କରିଛି। ଆବଶ୍ୟକ ହେଲେ ଅଭିଯୁକ୍ତକୁ ନେଇ କ୍ରାଇମ ସିନ୍ ରିକ୍ରିଏଟ୍ ପାଇଁ ବି ଯୋଜନା କରାଯାଉଛି। ତେଣେ ଅଭିଯୁକ୍ତ ଗୋପାଳ ନବ ଦାସଙ୍କ ପିଏସ୍ଓ ଥିଲେ ବୋଲି ଗତକାଲିଠୁ ଯେଉଁ ଚର୍ଚ୍ଚା ହେଉଥିଲା, ସେ କଥାକୁ ଆଜି ଖଣ୍ଡନ କରିଛନ୍ତି ଏଡିଜି ଅରୁଣବୋଥ୍ରା। ଏପଟେ ଗୋପାଳଙ୍କ ସହ ମନ୍ତ୍ରୀ ନବ ଦାସଙ୍କ କୌଣସି ସମ୍ପର୍କ ନଥିବା କଥା ଆଜି ଆଉଥରେ ଦୋହରାଇଛନ୍ତି ଗୋପାଳଙ୍କ ପତ୍ନୀ।

ଅନ୍ୟପଟେ ତଦନ୍ତରେ ସ୍ୱଚ୍ଛତା ରକ୍ଷା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି ରାଜ୍ୟ ସରକାର। କାର୍ଯ୍ୟରତ/ଅବସରପ୍ରାପ୍ତ କିମ୍ବା ଜିଲ୍ଲାଜଜଙ୍କୁ ମାମଲାର ତଦାରଖ ପାଇଁ ଚିଠିରେ ଅନୁରୋଧ କରାଯାଇଛି।

Health Minister Naba Das Shootout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe