ସୁନା ଇଟା ବିକ୍ରି ନାଁରେ ପୂରା ଖେଳ ରଚିଥିଲେ, ଧରା ପଡ଼ିବା ପରେ ମୁଖା ଖୋଲିଲା

ନବରଙ୍ଗପୁର (ନବଘନ ବିଷୋୟୀ): ସୁନା ଇଟା ବିକ୍ରି ନାଁରେ ପୂରା ଖେଳ ରଚିଥିଲେ। ମିଠା ମିଠା କଥାରେ ବନ୍ଧୁଙ୍କୁ ଫସାଇ ତାଙ୍କ ସ୍ୱାମୀଙ୍କୁ ଡକାଇ ଥିଲେ। ଆଉ ସୁନା ଇଟା ବିକ୍ରି ବେଳେ ଚୁପ୍‌ ରହି ଲୋକ ଲଗାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏପରିକି ସାଙ୍ଗରେ ଯାଇ ଥାନାରେ ଅଭିଯୋଗ କରିଥିଲେ। ହେଲେ ନିଜ ଜାଲରେ ନିଜେ ପଡ଼ିଗଲେ ଚତୁର ମିଥୁନ ସାହୁ। ନବରଙ୍ଗପୁର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ମିଥୁନଙ୍କ ସମେତ ୪ […]

Nabarangpur

  • Published: Thursday, 08 September 2022
  • , Updated: 08 September 2022, 08:17 PM IST

ନବରଙ୍ଗପୁର (ନବଘନ ବିଷୋୟୀ): ସୁନା ଇଟା ବିକ୍ରି ନାଁରେ ପୂରା ଖେଳ ରଚିଥିଲେ। ମିଠା ମିଠା କଥାରେ ବନ୍ଧୁଙ୍କୁ ଫସାଇ ତାଙ୍କ ସ୍ୱାମୀଙ୍କୁ ଡକାଇ ଥିଲେ। ଆଉ ସୁନା ଇଟା ବିକ୍ରି ବେଳେ ଚୁପ୍‌ ରହି ଲୋକ ଲଗାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏପରିକି ସାଙ୍ଗରେ ଯାଇ ଥାନାରେ ଅଭିଯୋଗ କରିଥିଲେ। ହେଲେ ନିଜ ଜାଲରେ ନିଜେ ପଡ଼ିଗଲେ ଚତୁର ମିଥୁନ ସାହୁ। ନବରଙ୍ଗପୁର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ମିଥୁନଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ନବରଙ୍ଗପୁର ସହର ଈଛାବତୀ ଗୁଡା ଗାଁର ମିଥୁନ୍‌ ସାହୁ। ତାଙ୍କର ବନ୍ଧୁ ହେଉଛନ୍ତି ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗର ଅଞ୍ଚଳର ସାଗର ଗୌଡ଼ଙ୍କ ପତ୍ନୀ। ଦିନେ ସାଗରଙ୍କ ପତ୍ନୀଙ୍କ ପାଖକୁ ଫୋନ୍‌ କରିଥିଲେ ମିଥୁନ। ଆଉ ମାଗିଥିଲେ ୫ ଲକ୍ଷ ଟଙ୍କା। କାରଣ ପଚାରିବାରୁ ମିଥୁନ୍‌ କହିଥିଲେ, ମୋର ଜଣେ ବନ୍ଧୁ ଗୋଟିଏ ସୁନା ଇଟା ପାଇଛି। ତାକୁ ବିକିଲେ ଟଙ୍କା ଫେରାଇବି।

ସୁନା ଇଟା ସମ୍ପର୍କରେ ସାଗରଙ୍କୁ ତାଙ୍କ ପତ୍ନୀ କହିଥିଲେ। ଏକଥା ଜାଣିବା ପରେ ସୁନା ଇଟା କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ସାଗର। ସେଥିପାଇଁ ମିଥୁନ ସାହୁଙ୍କ ପାଖକୁ ଫୋନ୍‌ କରିଥିଲେ। ସୁନା ଇଟା କିଣିବା ପାଇଁ କହିଥିଲେ। ଏହା ପରେ ସାଗରଙ୍କୁ ମିଥୁନ ଡାକିଥିଲେ। ଗତ ୩୦ ତାରିଖ ସନ୍ଧ୍ୟାରେ ସାଗର ଓ ତାଙ୍କ ବନ୍ଧୁ ୧୦ ଲକ୍ଷ ଟଙ୍କା ଧରି ନବରଙ୍ଗପୁରରେ ପହଞ୍ଚି ଥିଲେ।

ପୂର୍ବ ଯୋଜନା ମୁତାବକ ସାଗରଙ୍କୁ ମିଥୁନ ଡିଏଫ୍‌ଓ ଅଫିସ୍‌ ପଛ ପାର୍ଶ୍ୱକୁ ନେଇ ଯାଇଥିଲେ। ସେଠାରେ ୬ ଜଣ ଯୁବକ ସୁନା ଇଟା ଧରି ପହଞ୍ଚି ଥିଲେ। ମିଥୁନ୍‌ଙ୍କ ସମ୍ମୁଖରେ ସାଗରଙ୍କୁ ସୁନା ଇଟା ଦେଇଥିଲେ ୬ ଯୁବକ। ସୁନା ଇଟା ପାଇବା ପରେ ଟେଷ୍ଟ(ସୁନା କି ନୁହେଁ) କରିବା ପାଇଁ ଚାହିଁଥିଲେ ସାଗର। କିନ୍ତୁ ୬ ଜଣ ଯୁବକ ସୁନା ପରୀକ୍ଷା କରିବାକୁ ଦେଲେନାହିଁ।

ବରଂ ସାଗରଙ୍କୁ ଖଣ୍ଡା ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ମିଥୁନ୍‌ଙ୍କ ସମ୍ମୁଖରେ ସବୁ ଘଟୁଥିବା ବେଳେ ସେ ଚୁପ୍‌ ରହୁଥିଲେ। ପ୍ରତିବାଦ କରୁନଥିଲେ। ଟଙ୍କା ଲୁଟ୍‌ ପରେ ମିଥୁନ୍‌ ଓ ସାଗରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଲୁଟ୍‌ ହୋଇଥିବା ଟଙ୍କା ମିଥୁନଙ୍କୁ ମାଗିଥିଲେ ସାଗର। ମାତ୍ର ମିଥୁନ ଅସହାୟ ପ୍ରକାଶ କରିଥିଲେ। ପରେ ଅର୍ଥାତ ବୁଧବାର ମିଥୁନ୍‌ଙ୍କ ପରାମର୍ଶରେ ସାଗର ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏପରିକି ସାଗରଙ୍କ ସହିତ ମିଥୁନ୍‌ ଥାନାକୁ ଯାଇଥିଲେ।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ପୁଲିସ୍‌ର ସନ୍ଦେହୀ ଆଖି ଯାଇଥିଲା ମିଥୁନଙ୍କ ଉପରକୁ। ପୁଲିସ ତାଙ୍କୁ ଡାକି ଘନଘନ ଜେରା କରିଥିଲା। ଜେରା ବେଳେ ସବୁ କଥା ମାନି ଥିଲେ ମିଥୁନ। ପୂରା ଘଟଣାର ସେ ମାଷ୍ଟରମାଇଁଣ୍ଡ ବୋଲି ଜାଣିବାକୁ ପାଇଥିଲା ପୁଲିସ୍‌। ପରେ ମିଥୁନ ସମସ୍ତ ଅଭିଯୁକ୍ତଙ୍କ ନାଁ କହିଥିଲେ।

ମିଥୁନ ବୟାନ୍‌ ଆଧାରରେ ପୁଲିସ୍‌ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୪ ଲକ୍ଷ ୬୦ ହଜାର ଟଙ୍କା ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଈଛାବତୀ ଗୁଡ଼ାର ମିଥୁନ ସାହୁ, ବଂଶୀଧର ପରିଡା, ଖଲିଗୁଡା ଗାଁର ଶ୍ୱଶୁର ଟୁନା ଓ ଜ୍ୱାଇଁ ଯତୀନ୍ଦ୍ର ଖରା। ପୁଲିସ୍‌ ସେମାନଙ୍କଠାରୁ ଗୋଟିଏ ଖଣ୍ଡା, ଗୋଟିଏ ଛୁରା, ତିନିଟି ମୋବାଇଲ, ୪ କିଲୋ ୩୦୦  ଗ୍ରାମ ଓଜନର ନକଲି ସୁନା ଇଟା ଜବତ କରିଛି। ମିଥୁନଙ୍କ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ବାକି ୩ ଜଣଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏନେଇ ସୂଚନା ଦେଇଛନ୍ତି ଏଏସ୍‌ପି ଜୟକୃଷ୍ଣ ବେହେରା।

Related story