ଶୀତଳ ଶଷ୍ଠୀ ଉତ୍ସବରେ ଯୋଗ ଦେବାକୁ ପିକଅପ୍ ଭ୍ୟାନରେ ଘରୁ ଖୁସିରେ ବାହାରିଥିଲେ ଦୁଇ ସାହିର ମହିଳା। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିନଥିଲା। ବାଟରେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ୧୦ରୁ ଅଧିକ ମହିଳା ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଗତକାଲି ବିଶମପୁରୀଆ ସାହି ଓ କଚିଆ ସାହିର ପ୍ରାୟ ୩୦ରୁ ଅଧିକ ମହିଳା ଏକ ପିକଅପ୍ ଭ୍ୟାନ ଯୋଗେ ଉମରକୋଟ ଗୁଲିପାଟଣା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଶୀତଳ ଷଷ୍ଠୀ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିଲେ। ଏହି ସମୟରେ ଉମରକୋଟ-ଝରିଗାଁ ରାଜ୍ୟ ରାଜପଥର ଅଞ୍ଚଳ ନିକଟରେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଗାଡ଼ିଟି ଓଲଟି ପଡ଼ିବାରୁ ସେଥିରେ ବସିଥିବା ସମସ୍ତ ଯାତ୍ରୀ ଛିଟିକି ତଳେ ପଡ଼ିଯାଇଥିଲେ।
ଦୁର୍ଘଟଣାରେ ୧୦ରୁ ଅଧିକ ମହିଳା ଆହତ ହୋଇଥଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଉମରକୋଟ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।