Advertisment

ଅସ୍ତ ହୋଇ ଗଲେ ସୂର୍ଯ୍ୟ!

ରୋଗୀଣା ଶରୀର ଧରି ଦାରିଦ୍ର୍ୟ ସହିତ ସଂଘର୍ଷ କରୁଥିବା ସୂର୍ଯ୍ୟ ହରିଜନ ବୁଧବାର ରାତିରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ମେଡ଼ିକାଲ୍‌ ନେବା ପୂର୍ବରୁ ଆଖି ବୁଜିଥିଲେ।

ଅଦ୍ୟତନ ହୋଇଛି
Surya

Surya

Advertisment

ତାତିକୁ ଖାତିର ନକରି ମାଇଲ୍‌ ମାଇଲ୍‌ ଦୂର ଚାଲିଥିବା ସୂର୍ଯ୍ୟ ଅସ୍ତ ହୋଇଗଲେ! ଆଜି ଗାଁ ମଶାଣୀରେ ଜଳିଛି ତାଙ୍କ ଚିତା। ଲୋହରେ ଭିଜିଛି ପୂରା ପରିବାର। ରୋଗୀଣା ଶରୀର ଧରି ଦାରିଦ୍ର୍ୟ ସହିତ ସଂଘର୍ଷ କରୁଥିବା ସୂର୍ଯ୍ୟ ହରିଜନ ବୁଧବାର ରାତିରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ମେଡ଼ିକାଲ୍‌ ନେବା ପୂର୍ବରୁ ଆଖି ବୁଜିଥିଲେ ସୂର୍ଯ୍ୟ। ଇଏ ହେଉଛନ୍ତି ସେହି ସୂର୍ଯ୍ୟ, ଯିଏ ପ୍ରଚଣ୍ଡ ଖରାରେ ନିଜ ହକ୍‌ ମାଗିବା ପାଇଁ ଚୌକି ସାହାଯ୍ୟରେ କୋଷ କୋଷ ଦୂର ଚାଲି ଚର୍ଚ୍ଚାକୁ ଆସିଥିଲେ।

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବାଣୁଆଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରହୁଥିଲେ ସୂର୍ଯ୍ୟ ହରିଜନ। ଘରଠାରୁ ମାତ୍ର ୧୦ରୁ ୧୫ ମିଟର ଦୂରରେ ରହିଛି ପଞ୍ଚାୟତ କାର୍ଯ୍ୟାଳୟ ଓ କିଓସ୍କ ବ୍ୟାଙ୍କ। ହେଲେ ସେ ସେଠାରୁ ଉଠାଇ ପାରୁନଥିଲେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା। ବାୟୋମ୍ୟାଟ୍ରିକ୍‌ ମ୍ୟାଚ୍‌ କରୁନଥିବାରୁ ସୂର୍ଯ୍ୟଙ୍କୁ ମିଳୁନଥିଲା ଭତ୍ତା ଟଙ୍କା। ଏନେଇ ସେ ବହୁବାର ଗୁହାରୀ ମଧ୍ୟ କରିଥିଲେ। ହେଲେ ସବୁଠାରୁ ନିରାଶ ହେଲେ। ଶେଷରେ ଭୋକର ବିକଳରେ ଖରାକୁ ଖାତିର ନକରି ସୂର୍ଯ୍ୟ ଚେୟାରକୁ ଆଶ୍ରାବାଡ଼ି କରି ୩ କିମି ଦୂରରେ ଥିବା ବ୍ୟାଙ୍କରେ ଗୁହାରୀ କରିବାକୁ ଯାଇଥିଲେ।

ଭତ୍ତା ପାଇଁ ସୂର୍ଯ୍ୟ ଚେୟାରକୁ ଆଶ୍ରାବାଡ଼ି କରି ଚାଲିବାର ଭିଡିଓ ଓଡ଼ିଶା ରିପୋର୍ଟରେ ପ୍ରକାଶ ପାଇଥିଲା। ତା’ପରେ ଏହି ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ସୂର୍ଯ୍ୟଙ୍କର ଏପରି ଅବସ୍ଥା ଦେଖି ଉଦ୍‌ବେଗ ପ୍ରକାଶ କରିଥିଲେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଟ୍ୱିଟ୍‌ କରି ଲେଖିଥିଲେ, ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି? ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ।

Advertisment

ତେବେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଟ୍ୱିଟର ଜବାବ ରଖିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା ଯେ, ତୁରନ୍ତ ସମ୍ପୃକ୍ତ ବୃଦ୍ଧାଙ୍କ ପେନସନ ଟଙ୍କା ପଇଠ କରାଯାଇଛି। ଆସନ୍ତା ମାସରୁ ତାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଉଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା।

ରିପୋର୍ଟ-ଉମରକୋର୍ଟରୁ କାର୍ତ୍ତିକ ମଲ୍ଲିକ

Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe