Advertisment

ନକଲି ସୁନା ଶଙ୍ଖ ଦେବାରୁ ଠକକୁ ଅପହରଣ କଲେ ବାବା, ପ୍ରାଇଭେଟ୍ ପାଟ୍ କାଟିଦେଲେ

ନକଲି ସୁନା ଶଙ୍ଖ ବିକ୍ରି କରିବାକୁ ଯାଇଥିଲେ। ଜଣେ ବାବାଙ୍କୁ ଏହି ଶଙ୍ଖ ଦେଇ ୫୦ ହଜାର ଟଙ୍କା ହାତେଇଥିଲେ। ହେଲେ ଏହା ନକଲି ଶଙ୍ଖ ଜାଣିବା ପରେ ଏହି ବାବାଙ୍କ ଦ୍ୱାରା ଅପହରଣ ହେଲେ ୪୨୦ ଠକ।

author-image
Niranjan Mishra
police arrest cheater and priest

police arrest cheater and priest

ନକଲି ସୁନା ଶଙ୍ଖ ବିକ୍ରି କରିବାକୁ ଯାଇଥିଲେ। ଜଣେ ବାବାଙ୍କୁ ଏହି ଶଙ୍ଖ ଦେଇ ୫୦ ହଜାର ଟଙ୍କା ହାତେଇଥିଲେ। ହେଲେ ଏହା ନକଲି ଶଙ୍ଖ ଜାଣିବା ପରେ ଏହି ବାବାଙ୍କ ଦ୍ୱାରା ଅପହରଣ ହେଲେ ୪୨୦ ଠକ। ସେପଟେ ଠକାମୀରେ ପଡ଼ି ଟଙ୍କା ହରାଇଥିବା ବାବା ଏହି ଠକକୁ ଅପହରଣ କରିବା ପରେ ତାର ପରିବାର ଲୋକଙ୍କୁ ଫୋନ୍ କରିଥିଲେ। ୬ ଲକ୍ଷ ଟଙ୍କା ଦେଲେ ଛାଡ଼ିବେ ବୋଲି କହିଥିଲେ। ଏନେଇ ଠକର ପରିବାର ଅକଲ ଗୁଡୁମ୍ ହୋଇଥିଲା। ଏହି ପରିବାର ଲୋକେ ପୁଲିସରେ ଅପହରଣ ନେଇ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଅପହୃତ ହୋଇଥିବା ଠକ ଓ ଅପହରଣକାରୀ ବାବାକୁ ଗିରଫ କରିଛି। ଆଜି ଏନେଇ ନବରଙ୍ଗପୁର ଜିଲ୍ଲାର ମୈଦଲପୁର ପୁଲିସ ସୂଚନା ଦେଇଛି। ନକଲି ଶଙ୍ଖ ବିକ୍ରି କରୁଥିବା ୪୨୦ ଠକ ବିରୋଧରେ ୪୨୦ ଦଫା ଲଗାଇ କୋର୍ଟ ଚାଲାଣ କରିଛି। ଅପହରଣ କରିଥିବା ବାବା ମଧ୍ୟ କୋର୍ଟ ଚାଲାଣ ହୋଇଛି। ଠକ ବାବା ଜଣକ ମଧ୍ୟପ୍ରଦେଶ ବେତୁଲ ଗ୍ରାମର ବିଦ୍ୟାସାଗର ଦୁବେ ହୋଇଥିବା ବେଳେ ଠକ ସୁନାଶଙ୍ଖ ବିକ୍ରେତା ଜଣକ ନବରଙ୍ଗପୁର ମୈଦଲପୁର ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ମିର୍ଗାନ। ଠକ ରବୀନ୍ଦ୍ର ଟଙ୍କା ନ ଫେରାଇବାରୁ ତାଙ୍କ ଗୁପ୍ତାଙ୍ଗକୁ ବାବା କାଟି ଥିବା ଅଭିଯୋଗ ହୋଇଛି।

Advertisment

ମୈଦଲପୁର ଥାନାରେ ଏକ ପ୍ରେସ ମିଟ କରି ପାପଡାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନ କହିଛନ୍ତି, ରବୀନ୍ଦ୍ର ନକଲି ସୁନାଶଙ୍ଖ ଦେଇ ମଧ୍ୟପ୍ରଦେଶର ବିଦ୍ୟାସାଗରଙ୍କ ଠାରୁ ୫୦ ହଜାର ଟଙ୍କା ଅଗ୍ରିମ ଆଣିଥିଲେ। ତେବେ ବିଦ୍ୟାସାଗର ଏହା ନକଲି ସୁନାଶଙ୍ଖ ବୋଲି ପରେ ଜାଣିବାକୁ ପାଇଥିଲେ। ବାକି ୨ ଲକ୍ଷ ଟଙ୍କା ଆଣିବାକୁ ଯାଇଥିବା ବେଳେ ରବିନ୍ଦ୍ରଙ୍କୁ ଅପହରଣ କରି ରଖିଥିଲେ ବିଦ୍ୟାସାଗର। ରାଗ ସୁଝାଇବା ପାଇଁ ରବୀନ୍ଦ୍ରଙ୍କ ପରିବାର ଲୋକଙ୍କ ଫୋନ୍‌ କରି ୬ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍‌ ରଖିଥିଲେ।

ରବୀନ୍ଦ୍ରଙ୍କ ସ୍ତ୍ରୀ ଏନେଇ ମୈଦଲପୁର ଥାନାରେ ଏତଲା ଦେଇଥିଲେ। ମୈଦଲପୁର ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ରବୀନ୍ଦ୍ରଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟପ୍ରଦେଶ ଯାଇଥିଲା। ଅପହୃତ ରବୀନ୍ଦ୍ରଙ୍କୁ ଠାବ କରିବା ପରେ ତାଙ୍କୁ ଓ ଅପହରଣ କରି ବିଦ୍ୟାଦସାଗରଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ସେମାନେ ଘଟଣା ନେଇ ସବୁ କଥା କହିବା ପରେ ପୁଲିସ ଦୁଇ ଜଣଙ୍କୁ ବିଭିନ୍ନ ଦଫାରେ ଗିରଫ କରିଥିଲା। ରବୀନ୍ଦ୍ର ନାମରେ ପୂର୍ବରୁ ପୁଲିସର ଅନ୍ୟ ଦୁଇଟି ସଂଗୀନ୍ ଅଭିଯୋଗ ମଧ୍ୟ ରହିଛି।

Advertisment

ଏହି ସୁନାଶଙ୍ଖ କିଣାବିକାରେ ସମ୍ପୃକ୍ତ ଉଭୟ ପକ୍ଷର ୪ ଜଣ ଫେରାର ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି। ଏହି ଘଟଣାରେ ୨ଟି ମାମଲା ରୁଜୁ ହୋଇଛି।

ଅନ୍ୟପକ୍ଷରେ ରବୀନ୍ଦ୍ର ଗଣମାଧ୍ୟମକୁ କହିଛି, ସେ ନକଲି ସୁନାଶଙ୍ଖ କାରବାରରେ ଜଡିତ ନୁହେଁ। ସାଙ୍ଗମାନଙ୍କ ଚକ୍ରାନ୍ତରେ ଫସିବା ପରେ ଭଣ୍ଡ ବାବା ଦ୍ୱାରା ଅପହରଣ ହୋଇଥିଲେ। ସେଠାରେ ହତ୍ୟା ଉଦ୍ୟମ ଓ ନିର୍ଯାତନାର ଶିକାର ହୋଇଛନ୍ତି। ତାଙ୍କ ଗୁପ୍ତାଙ୍ଗରେ କ୍ଷତ କରାଯାଇଛି। ଟଙ୍କା ନଦେଲେ କିଡନୀ ବିକ୍ରି କରି ଦେବ ବୋଲି ଏହି ବାବା ଧମକ ଦେଉଥିଲା। ଏନେଇ ଏକ ସାଦା କାଗଜରେ ଜୋରକରି ସ୍ୱୀକୃତି ପତ୍ର ଲେଖାଇ ନେଇଥିଲା।

ବିଦ୍ୟାସାଗର କହିଛନ୍ତି, ୪ ଜଣ ବ୍ୟକ୍ତି ସୁନାଶଙ୍ଖ ବିକ୍ରି କରିବାକୁ ତାଙ୍କ ପାଖକୁ ଯାଇଥିଲେ। ଏହି ଶଙ୍ଖ ପାଇବା ପରେ ସେ ୫୦ ହଜାର ଟଙ୍କା ଦେଇଥିଲେ। ତେବେ ସୁନା ଶଙ୍ଖ ଉପରେ ସନ୍ଦେହ ହେବାରୁ ସେ ଏହାକୁ ଯାଞ୍ଚ କରିବେ ବୋଲି କହିଥିଲେ। ଏହି ସମୟରେ ୩ ଜଣ ବ୍ୟକ୍ତି ଟଙ୍କା ନେଇ ପଳାଇଥିବା ବେଳେ ରବୀନ୍ଦ୍ର ରହିଥିଲା। ଯାଞ୍ଚ ବେଳେ ଏହା ନକଲି ସୁନାଶଙ୍ଖ ବୋଲି ଜଣାପଡ଼ିଥିଲା। ତେଣୁ ଟଙ୍କା ଫେରାଇବାକୁ ରବୀନ୍ଦ୍ରକୁ କହିଥିଲେ। ହେଲେ ରବୀନ୍ଦ୍ର ଟଙ୍କା ଫେରାଇ ନ ଥିଲା। ପରେ ପୁଲିସ ତାଙ୍କୁ ଉଠାଇ ଆଣିଛି। ରବୀନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ ଓ କିଡନୀ ବାହାର କରିବା ଅଭିଯୋଗ ମିଛ ବୋଲି ସେ କହିଛନ୍ତି।

ନବରଙ୍ଗପୁର ନବଘନ ବିଷୋୟୀଙ୍କ ରିପୋର୍ଟ

Crime