Advertisment

ଚେକ୍‌ଅପ୍‌ ନାଁରେ ଗର୍ଭବତୀଙ୍କୁ ଦୁଷ୍କର୍ମ, ଭିଡିଓ ଶୁଟିଂ କଲେ ଆଶା ଦିଦି!

ଦୁଷ୍କର୍ମ କରିବା ପରେ ରେବୀଙ୍କୁ ଧରି ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ଭଣ୍ଡାରଘରଣୀଙ୍କ ମନ୍ଦିରକୁ ନେଇଥିଲେ ଲିଲିଆ ଓ ପଦ୍ମା। ଘଟଣା ପ୍ରଘଟ ନକରିବା ପାଇଁ ସେଠାରେ ତାଙ୍କୁ ଶପଥପାଠ କରାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Rape

ମେଡିକାଲ୍‌ ଚେକ୍‌ଅପ୍‌ ନାଁରେ ୫ ମାସ ଗର୍ଭବତୀଙ୍କୁ ଦୁଷ୍କର୍ମ! ଆଉ ଦୁଷ୍କର୍ମ କଲେ ଆଶା ଦିଦିଙ୍କ ସ୍ୱାମୀ! ଦୁଷ୍କର୍ମ ସମୟରେ ଭିଡିଓ ଶୁଟିଂ କରିଥିଲେ ଆଶା ଦିଦି। ପରେ ସେହି ଭିଡିଓକୁ ସୋଶାଲ ମିଡିଆରେ ଭାଇରାଲ୍‌ କରିଦେଲେ। ଯାହା ଏବେ ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲୁଛି। ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲାରୁ ଆସିଛି।

Advertisment

ନନ୍ଦାହାଣ୍ଡି ବ୍ଲକ୍‌ ଅଞ୍ଚଳର ରେବୀ (ଛଦ୍ମନାମ) ୫ ମାସର ଗର୍ଭବତୀ ଅଛନ୍ତି। ଗତ ୨୮ ତାରିଖରେ ଗାଁର ଆଶାଦିଦି ପଦ୍ମା ରୁଞ୍ଜିଆ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ତାଙ୍କ ପୁଅ ବାଇକ୍‌ରେ ରେବୀଙ୍କୁ ଧରି ନବରଙ୍ଗପୁର ମେଡିକାଲ୍‌ ନେଉଥିଲେ ପଦ୍ମା। ହେଲେ ଅଧା ରାସ୍ତାରେ ଆଶା ଦିଦି ଓ ରେବୀଙ୍କୁ ଅଟକାଇଥିଲେ ଲିଲିଆ ରୁଞ୍ଜିକାର (ଆଶା ଦିଦି ପଦ୍ମା ରୁଞ୍ଜିକାରଙ୍କ ସ୍ୱାମୀ)। ସେ ନିଜ ପୁଅଠାରୁ ବାଇକ୍‌ ନେଇ ପଦ୍ମା ଓ ରେବୀଙ୍କୁ ଧରି ନବରଙ୍ଗପୁର ଅଭିମୁଖେ ନେବା ପାଇଁ ଚାହିଁଥିଲେ। ହେଲେ ଏଥିରେ ରେବୀ ରାଜି ହୋଇନଥିଲେ। କାରଣ ଲିଲିଆ ହେଉଛନ୍ତି ରେବୀଙ୍କର ସମ୍ପର୍କୀୟ ଦେଢ଼ଶୁର। ପରେ ଲିଲିଆ ଧମକ ଚମକ ଦେବାରୁ ବାଧ୍ୟ ହୋଇ ତାଙ୍କ ବାଇକ୍‌ରେ ଯାଇଥିଲେ ରେବୀ।

ଲିଲିଆ ଓ ତାଙ୍କ ସ୍ତ୍ରୀ ଥିଲେ ଭାରି ଚତୁର। ସେମାନେ ରେବୀଙ୍କୁ ନବରଙ୍ଗପୁର ମେଡ଼ିକାଲ୍‌ ନେବା ପରିବର୍ତ୍ତେ ତାଙ୍କ ସମ୍ପର୍କୀୟ ମାଉସୀଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ରେବୀଙ୍କୁ ଏକ ଘରେ ପୂରାଇ ଲିଲିଆ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ଦୁଃଖର ବିଷୟ ସ୍ୱାମୀ ଦୁଷ୍କର୍ମ କରୁଥିବା ବେଳେ ଆଶା ଚାକିରି କରିଥିବା ପତ୍ନୀ ପଦ୍ମ ମୋବାଇଲରେ ଭିଡିଓ ଶୁଟିଂ କରୁଥିଲେ। ରେବୀ ଯେତେ କାକୁତି ଓ ମିନତି ହେଉଥିଲେ ମଧ୍ୟ ନା ପଦ୍ମା ନା ଲିଲିଆଙ୍କ କାନରେ ପଡ଼ୁଥିଲା। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଦୁଷ୍କର୍ମ କରିବା ପରେ ରେବୀଙ୍କୁ ଧରି ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ଭଣ୍ଡାରଘରଣୀଙ୍କ ମନ୍ଦିରକୁ ନେଇଥିଲେ ଲିଲିଆ ଓ ପଦ୍ମା। ଘଟଣା ପ୍ରଘଟ ନକରିବା ପାଇଁ ସେଠାରେ ତାଙ୍କୁ ଶପଥପାଠ କରାଇଥିଲେ। କିଛି ଉପାୟ ନପାଇ ମାଆ ଭଣ୍ଡାରଘରଣୀଙ୍କ ପାଦ ତଳେ ଶପଥ ପାଠ କରିଥିଲେ ରେବୀ। ଏହା ପରେ ସମସ୍ତେ ନିଜ ନିଜ ଘରକୁ ଫେରି ଆସିଥିଲେ।

Advertisment
Nabarangpurଗିରଫ ହୋଇଥିବା ଆଶା ଦିଦି ଓ ତାଙ୍କ ସ୍ୱାମୀ

ଘରକୁ ଫେରିବା ପରେ ରେବୀ କିନ୍ତୁ ସେ କଥାକୁ ଭୁଲି ପାରୁନଥିଲେ। ପ୍ରତିକ୍ଷଣ ସେଦିନର ସେ କଥା ତାଙ୍କର ମନେ ପଡ଼ୁଥିଲା। ଲୋକ ଲଜ୍ଜ୍ୟା ଭୟରେ ସେହି କଳଙ୍କିତ କଥା କାହାକୁ କହିପାରୁନଥିଲେ। ସେ କଥାକୁ ଭାବି ଭାବି ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଥିଲେ ରେବୀ। ଗତ ୧୧ ତାରିଖରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ(ରେବୀଙ୍କୁ) ଆତ୍ମହତ୍ୟା ଉଦ୍ୟମର କାରଣ ସମ୍ପର୍କରେ ପଚାରିଥିଲେ ପରିବାର ଲୋକେ। ସେହି ସମୟରେ ସେ ୨୮ ତାରିଖର କଳଙ୍କିତ ଘଟଣା ସମ୍ପର୍କରେ ବଖାଣି ଥିଲେ।

ସୋମବାର ପରିବାର ଲୋକେ ଖାତିଗୁଡା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ପଦ୍ମା ଓ ତାଙ୍କ ସ୍ୱାମୀ ରେକର୍ଡିଂ କରିଥିବା ଭିଡିଓକୁ ଭାଇରାଲ୍‌ କରିଦେଇଥିଲେ। ଯେଉଁ ଭିଡିଓ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି। ଆଜି ଖାତିଗୁଡା ଥାନା ପୁଲିସ ଆଶା ଦିଦି ପଦ୍ମା ଓ ତାଙ୍କ ସ୍ୱାମୀ ଲିଲିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Crime Rape Nabarangpur