Advertisment

ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୨୫୬ଟି ଡାକ୍ତର ପଦବୀରୁ ୧୫୯ଟି ଖାଲି

ଜିଲ୍ଲାରେ ମୋଟ ୬୮ ଜଣ ବିଶେଷଜ୍ଞ ଡାକ୍ତର ରହିବା କଥା। ହେଲେ ଅଛନ୍ତି ମାତ୍ର ୧୫ ଜଣ ବିଶେଷଜ୍ଞ ଡାକ୍ତର।

author-image
Jitendra Garnayak
Doctor

Doctor

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁରରେ ସ୍ୱାସ୍ଥ୍ୟସେବା ପୂରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାର ଜନସଂଖ୍ୟା ୧୪ ଲକ୍ଷରୁ ଅଧିକ ହୋଇଥିବା ବେଳେ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ସହ ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୪୧ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। କିନ୍ତୁ ଏସବୁ ଡାକ୍ତରଖାନାରେ ରହିଛି ଏକ ସମାନ ସମସ୍ୟା। କେଉଁଠି ବି ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି।

Advertisment

ଜିଲ୍ଲାରେ ମୋଟ ୨୫୬ଟି ଡାକ୍ତର ପଦ ରହିଛି। କିନ୍ତୁ ଏବେ ସେଥିରୁ ୧୫୯ଟି ପଦ ଖାଲି ପଡ଼ିଛି । ଜିଲ୍ଲାରେ ମୋଟ ୬୮ ଜଣ ବିଶେଷଜ୍ଞ ଡାକ୍ତର ରହିବା କଥା। ହେଲେ ଅଛନ୍ତି ମାତ୍ର ୧୫ ଜଣ ବିଶେଷଜ୍ଞ ଡାକ୍ତର। ୮୩ଟି ଏମ୍‌ବିବିଏସ୍ ସ୍ଥାୟୀ ଡାକ୍ତର ପଦରୁ ୩୭ଟି ଖାଲି ପଡ଼ିଛି। ଜିଲ୍ଲାରେ ୯୪ ଜଣ ଚୁକ୍ତିଭିତ୍ତିକ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୩୩ ଜଣ। ଆହୁରି ୬୧ଟି ପଦବୀ ଖାଲି ପଡ଼ିଛି।

ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କଥା ଛାଡ଼ନ୍ତୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଡାକ୍ତରଙ୍କ ଘୋର ଅଭାବ ରହିଛି। ଏଠାରେ ୨୩ଟି ବିଶେଷଜ୍ଞ ଡାକ୍ତର ପଦବୀ ରହିଛି। ହେଲେ ମାତ୍ର ୧୩ ଜଣ ବିଶେଷଜ୍ଞ ଡାକ୍ତର ଅଛନ୍ତି। ଆଉ ୧୦ଟି ଖାଲି ପଡ଼ିଛି।

Advertisment

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୭ ଜଣ ଏମ୍‌ବିବିଏସ୍ ଡାକ୍ତର ରହିବା କଥା। ତେବେ ଅଛନ୍ତି ମାତ୍ର ୭ ଜଣ। ସେହିପରି ଏଠାରେ ୩୨ଟି ଚୁକ୍ତିଭିତ୍ତିକ ଡାକ୍ତର ପଦବୀ ରହିଥିଲା ବେଳେ ଅଛନ୍ତି ମାତ୍ର ୨ ଜଣ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁ, ନିଦାନ, ଚର୍ମ, ଇଏନ୍‌ଟି ଓ ମାନସିକ ରୋଗ ବିଭାଗରେ ଆଦୌ ଡାକ୍ତର ନାହାନ୍ତି।

ଏଥିରୁ ସହଜରେ ଅନୁମାନ କରାଯାଇପାରେ ଜିଲ୍ଲାବାସୀ ସ୍ୱାସ୍ଥ୍ୟସେବା ପାଇବା ପାଇଁ କେମିତି ହଇରାଣ ହେଉଛନ୍ତି। ସେଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।

ନବରଙ୍ଗପୁର ସିଡିଏମ୍‌ଓ କାଳୀ ପ୍ରସାଦ ବେହେରା କହିଛନ୍ତି, ଜିଲ୍ଲାର ସବୁ ସ୍ଥାନରେ ଡାକ୍ତରଙ୍କ ଅଭାବ ରହିଛି। ଏନେଇ ଆମେ ପଦକ୍ଷେପ ନେଇଛୁ। ମୋର ବିଶ୍ୱାସ ଖୁବ୍ ଅଳ୍ପ ଦିନ ଭିତରେ ପଦବୀ ଗୁଡ଼ିକୁ ପୂରଣ କରିବା ପାଇଁ ସରକାର ପଦକ୍ଷେପ ନେବେ।

- ନବରଙ୍ଗପୁରରୁ ନବଘନ ବିଶୋୟୀଙ୍କ ରିପୋର୍ଟ -

Health Service Odisha Odisha Health Minister Nabarangpur