Advertisment

ଭିତରେ 5T ସଚିବ, ବାହାରେ ବିଧାୟକ ବବି ଦାସ

ରାଜ୍ୟର ଶାସନ ଡୋରି ବାବୁମାନଙ୍କ ହାତରେ ରହିଛି ବୋଲି ବେଶ୍ କିଛି ବର୍ଷ ହେଲା ଆଲୋଚନା ହୋଇଆସୁଥିବା ବେଳେ ଏହାକୁ ଆହୁରି ଖୋରାକ ଯୋଗାଇଛି ଗତକାଲିର ଦୃଶ୍ୟ।

ଅଦ୍ୟତନ ହୋଇଛି
Pranab Prakash Das

Pranab Prakash Das

Advertisment

ଶୁକ୍ରବାରଠୁ ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଅଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ। ଆଜି ହେଉଛି ତାଙ୍କ ଗସ୍ତର ଶେଷ ଦିନ। ଗତକାଲିଠାରୁ ସେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସାରିଲେଣି। ଏହି ସବୁ କାର୍ଯ୍ୟକ୍ରମ ଭିତରେ ଗତକାଲି ସେ ଗୋଟିଏ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନବରଙ୍ଗପୁର ସ୍ଥିତ ସର୍କିଟ୍ ହାଉସ୍‌ରେ ଏହି ଅଭିଯୋଗ ଶୁଣାଣି ହୋଇଥିଲା। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କାହାର କେଉଁ ଅଭିଯୋଗ ଶୁଣି 5T ସଚିବ କି ପ୍ରକାର ସମାଧାନ କଲେ, ତାକୁ ନେଇ ଯେତିକି ଚର୍ଚ୍ଚା ହେଉନାହିଁ, ତା’ଠୁ ବେଶ୍ ଚର୍ଚ୍ଚା ହେଉଛି ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବାହାରେ ଦୁଇ ଘଣ୍ଟା ଧରି ଛିଡ଼ା ହୋଇଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ ନେଇ।

Advertisment

ସର୍କିଟ୍ ହାଉସ୍‌ର ଏକ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ବାହାରେ ଅନ୍ୟମାନଙ୍କ ସହିତ ଠିଆ ହୋଇଥିଲେ ବବି ଦାସ। ସେ ଠିକ୍ ପ୍ରକୋଷ୍ଠ ବାହାରେ ଦ୍ୱାର ପାଖରେ ଠିଆ ହୋଇଥିଲେ। ବିଧାୟକ ବବି ଦାସ କେବଳ ଠିଆ ହୋଇନଥିଲେ, ଯେଉଁମାନେ 5T ସଚିବଙ୍କୁ ସେମାନଙ୍କ ସମସ୍ୟା ନେଇ ଅଭିଯୋଗ କରିବାକୁ ଆସିଥିଲେ ସେମାନଙ୍କୁ ବଡ଼ ପାଟିରେ ଡାକ ପକାଉଥିଲେ। ଏପରିକି ଲୋକଙ୍କୁ ଶୃଙ୍ଖଳିତ ଭାବେ ଧାଡ଼ିରେ ଯିବାକୁ କହୁଥିଲେ। ଏହା ବି ଦେଖିବାକୁ ମିଳିଥିଲା ଯେ ଡାକ ପକାଇବା ସତ୍ତ୍ୱେ ଯଦି କେହି ଆସୁ ନଥିଲେ ସେତେବେଳେ ବିଧାୟକ ବବି ଦାସ ସେଠାରେ ଦାୟିତ୍ୱରେ ଥିବା ଲୋକଙ୍କ ଉପରେ ବିରକ୍ତ ହେଉଥିଲେ। ସଂପୃକ୍ତ ଲୋକଙ୍କୁ ବା ସଂଘ ବା ସଂଗଠନର ସଦସ୍ୟଙ୍କୁ ଖୋଜି ଡାକି ଆଣିବାକୁ ତାଗିଦ କରୁଥିଲେ। ଆଉ ଏହି ଦୃଶ୍ୟକୁ ଅନେକ ଲୋକ ହଜମ କରିପାରୁ ନାହାନ୍ତି।

ରାଜ୍ୟର ଶାସନ ଡୋରି ବାବୁମାନଙ୍କ ହାତରେ ରହିଛି ବୋଲି ବେଶ୍ କିଛି ବର୍ଷ ହେଲା ଆଲୋଚନା ହୋଇଆସୁଥିବା ବେଳେ ଏହାକୁ ଆହୁରି ଖୋରାକ ଯୋଗାଇଛି ଗତକାଲିର ଏହି ଦୃଶ୍ୟ। ସଚେତନ ନାଗରିକଙ୍କ ମତରେ ଅଫିସରମାନେ ଲୋକଙ୍କ ଅଭିଯୋଗ ଶୁଣିବାରେ କିଛି ସମସ୍ୟା ନାହିଁ। ଏହା ସେମାନଙ୍କର କାମ। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜଣେ ଜନପ୍ରତିନିଧି ପ୍ରକୋଷ୍ଠ ବାହାର ଛିଡ଼ା ହୋଇ ଲୋକଙ୍କୁ ଡାକ ପକାଇ ଭିତରକୁ ପଠାଇବା ଆଦୌ ଏକ ଭଲ ପରମ୍ପରା ନୁହେଁ। ଗଣତନ୍ତ୍ର ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ। ଅବଶ୍ୟ ସ୍ଥାନୀୟ ବିଧାୟକ ଓ ନବରଙ୍ଗପୁର ସାଂସଦ ମଧ୍ୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଭିତରେ ଉପସ୍ଥିତ ଥିଲେ।

Advertisment

ଅଭିଯୋଗ ଶୁଣାଣି ପୂର୍ବରୁ ବା 5T ସଚିବ ସର୍କିଟ୍‌ହାଉସ୍‌ରେ ପହଞ୍ଚିଲା ବେଳକୁ ଆଉ ଏକ ଅଦ୍ଭୁଦ ଦୃଶ୍ୟ ଦେଖିବାକୁ ମିଳିଥିଲା। 5T ସଚିବ ପହଞ୍ଚିବା ପୂର୍ବରୁ ସେଠାରେ ବବି ଦାସଙ୍କ ସହିତ ସ୍ଥାନୀୟ ବିଧାୟକ ଓ ସାଂସଦ ପହଞ୍ଚି ସାରିଥିଲେ। 5T ସଚିବଙ୍କ ଗାଡ଼ିକୁ ରାସ୍ତା ଦେବାକୁ ସେମାନେ ଲୋକଙ୍କୁ ସେଠାରୁ ହଟାଉ ଥିବା ଦେଖିବାକୁ ମିଳିଥିଲା। ଜଣେ ପ୍ରଶାସନିକ ଅଧିକାରୀଙ୍କ ପାଇଁ ନିର୍ବାଚିତ ଜନପ୍ରତିନିଧିଙ୍କ ଏଭଳି ଆଚରଣ ବି ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ନବରଙ୍ଗପୁରର ବାସିନ୍ଦା କାହ୍ନୁ ଦାସ କହିଛନ୍ତି ଯେ କିଏ କାହା ପାଖରେ ଦାୟୀ ରହିବା କଥା? ଆଉ ଏ ଦୃଶ୍ୟ ଦେଖିଲେ କିଏ କାହା ପାଖରେ ଦାୟୀ ରହୁଛି, ତାହା ବେଶ୍ ବୁଝା ପଡ଼ୁଛି।

ସୂଚନାଯୋଗ୍ୟ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରୁ ପ୍ରାୟ ୨୦୦୦ ହଜାର ଲୋକ ଗତକାଲି ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ନବରଙ୍ଗପୁରରୁ ନବଘନ ବିଷୋୟୀଙ୍କ ରିପୋର୍ଟ

Vk Pandian Nabarangpur Pranab Prakash Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe