Advertisment

ଠକିଦେଲା ଦଲାଲ; ଶାରୀରିକ ସମ୍ପର୍କ ରଖିଲା, ମାଡ଼ ମାରିଲା; FIR ରଖୁନି ପୁଲିସ୍‌!

ନିର୍ଯାତନା ଅସହ୍ୟ ହେବାରୁ ପୂଜା ଫୋନ୍‌ କରି ନିଜ ଘରକୁ ଖବର ଦେଇଥିଲେ। ଆଉ ସୁଯୋଗ ଦେଖି ୫ ତାରିଖରେ ବସରେ ନିଜ ଗାଁକୁ ପଳାଇ ଯାଇଥିଲେ। ଗତ ୬ ତାରିଖରେ ସେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Girl

Girl

ଦାରିଦ୍ର୍ୟର ଦାରୁଣ ଦୁଃଖରେ ଛନ୍ଦି ହୋଇପଡ଼ିଥିବା ପରିବାର ମୁହଁରେ ଦାନା ଦେବା ପାଇଁ ଘରୁ ଗୋଡ଼ କାଢ଼ିଥିଲେ ଜଣେ ଯୁବତୀ। ହେଲେ ଦଲାଲର ମାୟା ଜାଲରେ ଛନ୍ଦି ହୋଇପଡ଼ିଲେ। କାମରେ ଲଗାଇବା ପରିବର୍ତ୍ତେ ଯୁବତୀଙ୍କ ସହିତ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କଲା ଦଲାଲ୍‌। ଏଥିରେ ରାଜି ନହେବାରୁ ମଦ ନିଶାରେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦାଦନର ପଞ୍ଝାରୁ ମୁକୁଳିବା ପରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ ଏଫ୍‌ଆଇଆର୍‌ ରଖିନଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

Advertisment

ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ୍‌ ଅଞ୍ଚଳର ପୂଜା(ଛଦ୍ମନାମ)। ସେ ମାଳିଗୁଡା ଗାଁର ଦାଦନ ଦଲାଲ ମନ ପାଇକଙ୍କ ସଂସ୍ପର୍ଶରେ ଆସିଥିଲେ। ପୂଜାଙ୍କ ସରଳତାର ସୁଯୋଗ ନେଇ ଅଧିକ ରୋଜଗାର ଲୋଭ ଦେଖାଇ କଟକ ଯିବା ପାଇଁ ପ୍ରସ୍ତାବ ଦେଇଥିଲା ଦାଦନ ଦଲାଲ। ଆଜିକୁ ୭ ମାସ ତଳେ ପୂଜା ରୋଜଗାର ଉଦ୍ଦେଶ୍ୟରେ ଘରୁ ଗୋଡ଼ କାଢ଼ିଥିଲେ।

ପୂଜାଙ୍କୁ ଦାଦନ ଦଲାଲ କଟକ ଆଣିଥିଲା। ଗୟା ଗାଁର ଜଣେ ସାହୁକାର ପାଖରେ ଛାଡ଼ିଥିଲା। ପୂଜା ସେଠାରେ ଧାନ ଓ ମୁଗ କ୍ଷେତରେ କାମ କରୁଥିଲେ। ପାରିଶ୍ରମିକ ବାବଦକୁ ଦଲାଲ ଜଣକ ସାହୁକାରଠାରୁ ଅଧିକ ଅର୍ଥ ଆଦାୟ କରିଥିଲେ ମଧ୍ୟ ମାସକୁ ୯୦୦୦ ଟଙ୍କା ପୂଜାଙ୍କୁ ଦେବେ ବୋଲି କହିଥିଲେ। ସେଥିରେ କିନ୍ତୁ ପୂଜା ରାଜି ହୋଇଥିଲେ।

Advertisment

ମାସେ କାମ କରିବା ପରେ ଦଲାଲ ଜଣକ ପୂଜାଙ୍କୁ ନେଇ ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର ଆଉ ଜଣେ ସାହୁକାର ପାଖରେ ଛାଡ଼ିଥିଲା। ମଜୁରୀ ମିଳୁଥିବାରୁ ପୂଜା ସେଠାକୁ ଯାଇ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ତାଙ୍କ ଉପରେ ପାପ ନଜର ପକାଇଥିଲା ଦାଦନ ଦଲାଲ୍‌। ଏପରିକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ପୂଜାଙ୍କୁ ପ୍ରସ୍ତାବ ଦେଇଥିଲା। ମାତ୍ର ଏଥିରେ ପୂଜା ରାଜି ନହେବାରୁ ଆରମ୍ଭ ହୋଇଥିଲା ଶାରୀରିକ ନିର୍ଯାତନା। ଦଲାଲ ଜଣକ ପ୍ରତିଦିନ ପ୍ରବଳ ମଦ ପିଇ ତାଙ୍କୁ ମାଡ଼ ମାରି ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି।

ନିର୍ଯାତନା ଅସହ୍ୟ ହେବାରୁ ପୂଜା ଫୋନ୍‌ କରି ନିଜ ଘରକୁ ଖବର ଦେଇଥିଲେ। ଆଉ ସୁଯୋଗ ଦେଖି ୫ ତାରିଖରେ ବସରେ ନିଜ ଗାଁକୁ ପଳାଇ ଯାଇଥିଲେ। ଗତ ୬ ତାରିଖରେ ସେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ହେଲେ ଡାବୁଗାଁ ଥାନା ପୁଲିସ ପୀଡିତାଙ୍କଠାରୁ ଏତଲା ଗ୍ରହଣ କରିବା ପରିବର୍ତ୍ତେ ଘୋଉଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଯାହାଫଳରେ ଆଜି ପୀଡିତା ନିଜ ପରିବାର ଲୋକଙ୍କ ସହ ନବରଙ୍ଗପୁର ଆସି ମାତୃ ଆଶ୍ରୟ ସଂଗଠନର ଦ୍ୱାରସ୍ଥ ହୋଇଛଥିଲେ।

ମାତୃ ଆଶ୍ରୟ ସଂଗଠନର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ଆଜି ପୁଲିସ ଉପରେ ବର୍ଷିଛନ୍ତି। ଯଦି ଦୋଷୀ ଦଲାଲ ବିରୋଧରେ ଆଗାମୀ ୭ଦିନ ମଧ୍ୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତାହାହେଲେ ଶହ ଶହ ମହିଳା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ ସ୍ୱରୂପ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ତେବେ ଏନେଇ ଡାବୁଗାଁ ଥାନା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ-ନବରଙ୍ଗପୁରରୁ ନବଘନ ବିଷୋୟୀ

Odisha Police Nabarangpur