Advertisment

କାହା ଟଙ୍କା ରଖିଥିଲେ କୋଟିପତି ଓଏଏସ୍, ରାଜନୀତିକ ଲିଙ୍କ ସନ୍ଦେହ

ଭଦ୍ରକରେ ଜନ୍ମିତ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉବେଳେ ନଗଦ ୩.୦୨କୋଟି ଟଙ୍କା ବ୍ୟାଙ୍କ ଓ ଇନସ୍ୟୁରାନ୍ସରେ ୬୨ଲକ୍ଷ ଟଙ୍କା ଡିପୋଜିଟ୍ (୨୦୧୯ ମସିହା ପରେ ବେନାମୀ ଆକାଉଣ୍ଟରେ ୨୧ଲକ୍ଷ ଟଙ୍କା ଜମା) ହୋଇଥିବା ଜାଣିବାକୁ ପାଇଛି।

Prasanta Kumar Rout

Prasanta Kumar Rout

Advertisment

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ତଥା ୧୯୯୨ ବ୍ୟାଚ୍ ଓଏଏସ୍ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି ମୋଟ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କା ନଗଦ ଜବତ କରିଛି । ଯାହାକି ରାଜ୍ୟ ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ୱିତୀୟ ସର୍ବାଧିକ । ତେବେ ୨୦୧୮ ନଭେମ୍ବରରେ ୧ଲକ୍ଷ ଟଙ୍କା ଲାଂଚ ନେବା ଅଭିଯୋଗରେ ଗିରଫ ହୋଇ ୨୦୨୦ ଜାନୁୟାରୀ ପର୍ଯ୍ୟନ୍ତ ନିଲମ୍ବିତ ଥିବା ପ୍ରଶାନ୍ତଙ୍କଠୁ କିଭଳି ଏତେ ଟଙ୍କା ନଗଦ ମିଳିଲା ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।  ପ୍ରଶାନ୍ତଙ୍କର ରାଜନୀତିକ ଲିଙ୍କ୍ ଥିବା ଓ ସେ ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କର ଟଙ୍କାକୁ ନିଜ ପାଖରେ ରଖିଥିବା ସନ୍ଦେହ କରାଯାଉଛି ।

Advertisment

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭଦ୍ରକରେ ଜନ୍ମିତ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉବେଳେ ନଗଦ ୩.୦୨କୋଟି ଟଙ୍କା ବ୍ୟାଙ୍କ ଓ ଇନସ୍ୟୁରାନ୍ସରେ ୬୨ଲକ୍ଷ ଟଙ୍କା ଡିପୋଜିଟ୍ (୨୦୧୯ ମସିହା ପରେ ବେନାମୀ ଆକାଉଣ୍ଟରେ ୨୧ଲକ୍ଷ ଟଙ୍କା ଜମା) ହୋଇଥିବା ଜାଣିବାକୁ ପାଇଛି। ସେହିପରି ଭୁବନେଶ୍ୱରର କାନନ ବିହାର ଅଂଚଳରେ ଏକ ବହୁତଳ କୋଠା, କଟକ ଓ ଭୁବନେଶ୍ୱରରେର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ , ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ଜବତ ହୋଇଛି । ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ତାଙ୍କର ୨ଟି ଚାରିଚକିଆ ଯାନ, ୨୧.୩୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାରକୁ ଜବତ କରାଯାଇଛି ବୋଲି ଭିଜିଲାନ୍ସ କହିଛି । ଭିଜିଲାନ୍ସ ଏବେ ତାଙ୍କର ସମ୍ପତ୍ତିର ଅଧିକ ଖୋଳତାଡ଼ କରୁଛି । ଭିଜିଲାନ୍ସ ସୂଚନା ଅନୁସାରେ ପ୍ରଶାନ୍ତ ୨୦୧୮ ମସିହାରେ ବିଶ୍ରା ବ୍ଲକ ବିଡିଓ ଥିବାବେଳେ ଏକ ଲକ୍ଷ ଟଙ୍କା ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ । ୨୦୧୮ ନଭେମ୍ବର ୬ରେ ପ୍ରଶାନ୍ତଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଥିଲା ଓ  ୨୦୨୦ ଜାନୁୟାରୀ ୧୮ରେ ନିଲମ୍ବନ ହଟିଥିଲା ତଥା ସେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ପୁନଃ ଅବସ୍ଥାପିତ ହୋଇଥିଲେ । ତେବେ ସେ ନିଲମ୍ବିତ ଥିବାବେଳେ ୨୦୧୯ ମସିହା ପରଠୁ ଭୁବନେଶ୍ୱରର ଇଣ୍ଡସଇଣ୍ଡ ବ୍ୟାଙ୍କରେ ପ୍ରଶାନ୍ତ ଜମା କରିଥିବା ଏହି ୨୧ଲକ୍ଷ ଟଙ୍କାର ବେନାମୀ ଜମା ରଖିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।

ପ୍ରଶାନ୍ତ ୧୯୯୨ ମସିହାରେ ଓଏଏସ୍ ଅଫିସର ଭାବେ ପ୍ରଶାସନିକ ସେବାରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ବରଗଡ଼ ଜିଲ୍ଲାରେ ତହସିଲଦାର ଏବଂ ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଡିଓ ଭାବେ ଯୋଗ ଦେଇଥିଲେ । ତା’ପରେ ନବରଙ୍ଗପୁରରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ସେ ସରକାରୀ ଚାକରିରୁ ୨୦୨୬ ଜୁଲାଇ ମାସରେ ଅବସର ନେଇଥାନ୍ତେ ।

Advertisment

ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଶାନ୍ତ ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କ ଖାସ୍ ଅନୁଗତ ହୋଇ ଗତ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଟଙ୍କା କାରବାର କରୁଥିଲେ । ଏହି ନଗଦ ଟଙ୍କା ସମ୍ପୃକ୍ତ ନେତାଙ୍କ ବ୍ୟକ୍ତିଗତ ଟଙ୍କା ବୋଲି ଚର୍ଚ୍ଚା ହେଉଛି । ନଚେତ୍ ପ୍ରଶାନ୍ତଙ୍କର ଏଭଳି କୌଣସି ଉପାର୍ଜନର ସ୍ରୋତ ନାହିଁ ଯେଉଁଥିରେ ସେ ଏତେ ଟଙ୍କା ନଗଦ ଉପାର୍ଜନ କରିପାରିବେ । କାରଣ ୨୦୧୮ ନଭେମ୍ବର ମାସରେ ପ୍ରଶାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା ଓ ୨୦୨୦ ଜାନୁୟାରୀ ପର୍ଯ୍ୟନ୍ତ ପ୍ରଶାନ୍ତ ନିଲମ୍ବିତ ହୋଇ ଘରେ ବସିଥିଲେ । ୨୦୨୦ ଜାନୁୟାରୀରେ ତାଙ୍କୁ ପୁନଃ ନିଯୁକ୍ତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ମିଳିଥିଲେ ମଧ୍ୟ ସେହି ପଦବୀରେ ଏତେ ଟଙ୍କା ସଂଗ୍ରହ କରିବାର ସୁଯୋଗ କିମ୍ବା ସମ୍ଭାବନା ବି ନାହିଁ । ତେଣୁ ଯେଉଁ ନେତାଙ୍କର ଏହି ଟଙ୍କା ବୋଲି ଚର୍ଚ୍ଚା ହେଉଛି, ସମ୍ପୃକ୍ତ ନେତାଙ୍କ ମାଧ୍ୟମରେ ହିଁ ସେ ନିଜର ନିଲମ୍ବନ ହଟାଇ ପାରିଥିଲେ ତଥା ପଂଚାୟତ ଓ ପୌର ନିର୍ବାଚନବେଳେ ତାଙ୍କର ଖାସ୍ ଭାବେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟ କରିଥିଲେ ପାୱାର କରିଡରରେ ଚର୍ଚ୍ଚା । ତେବେ ପ୍ରଶାନ୍ତ କିମ୍ବା ଭିଜିଲାନ୍ସ ଉଭୟ ଏତେ ପରିମାଣର ନଗଦ ଟଙ୍କା କେଉଁ ସୂତ୍ରରୁ ମିଳିଲା ତାକୁ ନେଇ ମୁହଁ ଖୋଲୁନାହାନ୍ତି ।

ଭିଜିଲାନ୍ସ ଇତିହାସରେ ସର୍ବାଧିକ ନଗଦ ଟଙ୍କା ଜବତ

୧- ୨୦୨୨ ଏପ୍ରିଲ ୭ରେ ଗଞ୍ଜାମର ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଚଢ଼ଉ, ନଗଦ ୩କୋଟି ୪୧ଲକ୍ଷ ୬୬ହଜାର ୨୮୦ଟଙ୍କା ଜବତ

୨- ୨୦୨୩ ଜୁନ୍ ୨୩ରେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ଚଢ଼ଉ, ନଗଦ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କା ଜବତ

୩- ୨୦୨୨ ମାର୍ଚ୍ଚ ୨୫ରେ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ଡିଭିଜନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଆଶୀଷ କୁମାର ଦାସଙ୍କ ଘରେ ଚଢ଼ଉ,  ନଗଦ ୧କୋଟି ୪୦ଲକ୍ଷ ୧୮ହଜାର ୦୭୦ଟଙ୍କା ଜବତ

୪-୨୦୨୨ ଫେବୃୟାରୀ ୨୪ରେ ନିମାପଡ଼ା ଚାରିଛକସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ଡାକ୍ତର ସୁକାନ୍ତ ଜେନାଙ୍କ ଘରେ ଚଢ଼ଉ, ନଗଦ ୧କୋଟି ୧୩ଲକ୍ଷ ୧୬ହଜାର ୭୨୦ଟଙ୍କା ଜବତ

୫- ୨୦୨୨ ଡିସେମ୍ବର ୨୧ତାରିଖରେ ଇଡକୋ ଜଏଣ୍ଟ ମ୍ୟାନେଜର ଗୟା ସାନ୍ତରାଙ୍କ ଘରେ ଚଢ଼ଉ, ନଗଦ ୧କୋଟି ୬ଲକ୍ଷ ୪୪ହଜାର ୫୦୦ଟଙ୍କା ଜବତ

୬- ୨୦୧୬ ଫେବୃୟାରୀ ୨୫ରେ ଆଠଗଡ଼ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ଘରେ ଚଢ଼ଉ, ନଗଦ ୧କୋଟି ୧ଲକ୍ଷ ୭୦ହଜାର ଟଙ୍କା ଜବତ ।

Vigilance Raid Odisha Vigilance Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe