Naxal
ଅସୁସ୍ଥ ଥିଲେ ହାର୍ଡକୋର ମହିଳା ନକ୍ସଲ। ସେଥିପାଇଁ ଚିକିତ୍ସା ହେବାକୁ ଜଣେ କ୍ୱାକ୍ଙ୍କ ପାଖକୁ ଆସିଥିଲେ। ଉଭୟ ଜଙ୍ଗଲରେ ଥିବା ବେଳେ ମାଡ଼ି ବସିଲେ ଯବାନ। ଗିରଫ ହାର୍ଡକୋର ମହିଲା ନକ୍ସଲ ଓ କ୍ୱାକ୍ ଭାବେ କାମ କରୁଥିବା ବ୍ୟକ୍ତି ଜଣଙ୍କ ମେନପୁର-ନୂଆପଡ଼ା ଡିଭିଜନ ପାଇଁ କାମ କରୁଥିଲେ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ କହିଛନ୍ତି।
ରାଇଘର ଥାନା ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ସୂଚନା ମିଳିଥିଲା। ଏହାପରେ ସିଆରପିଏଫ, ଏସ୍ଓଜି ଓ ଡିଭିଏଫ୍ ଯବାନମାନେ ଆଜି ସକାଳେ କମ୍ୱିଂ ଅପରେସନ୍ରେ ଯାଇଥିଲେ। ସେହି ସମୟରେ ଏହି ଦୁଇ ଜଣଙ୍କୁ ଗିରଫ କରିଥିଲେ। ଗିରଫ ହାର୍ଡକୋର ମହିଳା ନକ୍ସଲ ଜଣଙ୍କ ହେଉଛନ୍ତି ପୂଜା ମାଣ୍ଡଭି। ଗିରଫ କ୍ୱାକ୍ଙ୍କ ନାଁ ସମୁଦ୍ର ବାଘ। ସେ ମିଲିସିଆ ଭାବେ ନକ୍ସଲ ସଂଗଠନ ପାଇଁ କାମ କରିବା ସହିତ କ୍ୱାକ୍ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।
ଗିରଫ ହୋଇଥିବା ଦୁଇ ନକ୍ସଲପୂଜାଙ୍କ ଘର ଛତିଶଗଡ଼ର ସୁକୁମା ଜିଲ୍ଲାରେ। ସେ ୨୦୧୦ ମସିହାରେ ନକ୍ସଲ ସଙ୍ଗଠନରେ ଯୋଗ ଦେଇଥିଲେ। ସେ ଓଡ଼ିଶାର ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ସହିତ ଛତିଶଗଡ଼ ରାଜ୍ୟରେ ସକ୍ରିୟ ଥିଲେ। ୨୦୧୬ ମସିହା ଫେବ୍ରୁଆରୀ ୨୫ ତାରିଖରେ କଳାହାଣ୍ଡି ଜିଲ୍ଲାରେ ହୋଇଥିବା ଗୁଳିକାଣ୍ଡରେ ସେ ସମ୍ପୃକ୍ତ ଥିଲେ। ଏଥିସହ ୨୦୨୨ ମସିହାରେ ନୂଆପଡ଼ା ଜିଲ୍ଲା କୋମନା ଓ ବୋଡେନ୍ ଥାନା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡରେ ମଧ୍ୟ ପୂଜାଙ୍କ ସମ୍ପୃକ୍ତି ରହିଥିଲା। ସେହିପରି ନବରଙ୍ଗପୁର ଜିଲ୍ଲାରେ ପୋଷ୍ଟର ମରା କାମ ମଧ୍ୟ କରୁଥିଲେ ପୂଜା।
ଅନ୍ୟପକ୍ଷରେ ସୁମୁଦ୍ର ବାଘ ୨୦୧୭ ମସିହାରେ ନକ୍ସଲ ସଙ୍ଗଠନରେ ଯୋଗ ଦେଇଥିଲେ। ସେ ପୋଷ୍ଟର ମାରିବା ସହିତ କ୍ୱାକ୍ ଭାବେ କାର୍ଯ୍ୟରତ ଥିଲେ। ପୂଜା ମାଣ୍ଡଭି ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ସମୁଦ୍ର ବାଘଙ୍କ ନିକଟକୁ ଆସିଥିଲେ।
ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Naxal_1674558839.jpg)