Advertisment

ଦାରିଦ୍ର୍ୟ ଦାଉରେ ଗଲା ଯୁବକଙ୍କ ଜୀବନ

ଆଜି ସକାଳେ ଏକ ଆମ୍ୱୁଲାନ୍ସ କେନ୍ଦୁଗୁଡ଼ା ଗାଁକୁ ଆସିଥିଲା। ଆଉ ଆମ୍ୱୁଲାନ୍ସରେ ମୁକୁନ୍ଦଙ୍କ ମୃତଦେହ ଆସିଥିବା ପ୍ରଚାରିତ ହୋଇଯାଇଥିଲା। ଏହି ଦୁଃଖଦ ଖବର ଶୁଣିବା ପରେ ପରିବାର ଲୋକ ବିଚଳିତ ହୋଇପଡ଼ି ଥିଲେ।

author-image
Manoranjan Sial
Ambulance

Ambulance

ଦାରିଦ୍ର୍ୟ ଜ୍ୱାଳାରେ ଗଲା ଜଣେ ଯୁବକଙ୍କ ଜୀବନ। ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଘରକୁ ଫେରିଲେ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ରୁ ଆସିଛି ଏପରି ଦୁଃଖଦ ଖବର।

Advertisment

ଚନ୍ଦାହାଣ୍ଡି ବ୍ଲକ୍‌ କୋଇଲିମୁଣ୍ଡା ପଞ୍ଚାୟତ କେନ୍ଦୁଗୁଡ଼ା ଗାଁର ମୁକୁନ୍ଦ ବାଘ। ମହାମାରୀ କରୋନା ପରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡ଼ିଥିଲା। ତେଣୁ ପରିବାର ପାଇଁ ଦାନା ଯୋଗାଡ଼ କରିବାକୁ ସେ ୪ ମାସ ତଳେ ତେଲେଙ୍ଗାନା ଚାଲି ଯାଇଥିଲେ। ସେଠାରେ ଏକ ଇଟା ଭାଟିରେ କାମ କରୁଥିଲେ। କାମ କରୁଥିବା ବେଳେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଏନେଇ ପରିବାର ଲୋକଙ୍କୁ କୌଣସି ସୂଚନା ଦିଆଯାଇନଥିଲା।

ଆଜି ସକାଳେ ଏକ ଆମ୍ୱୁଲାନ୍ସ କେନ୍ଦୁଗୁଡ଼ା ଗାଁକୁ ଆସିଥିଲା। ଆଉ ଆମ୍ୱୁଲାନ୍ସରେ ମୁକୁନ୍ଦଙ୍କ ମୃତଦେହ ଆସିଥିବା ପ୍ରଚାରିତ ହୋଇଯାଇଥିଲା। ଏହି ଦୁଃଖଦ ଖବର ଶୁଣିବା ପରେ ପରିବାର ଲୋକ ବିଚଳିତ ହୋଇପଡ଼ି ଥିଲେ। ଆଉ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମୁକୁନ୍ଦଙ୍କ ମୃତ୍ୟୁ କେମିତି ହେଲା, ସେ ବିଷୟରେ ଗାଁ ଲୋକ ଜାଣିବାକୁ ଚାହିଁଥିଲେ। ମାତ୍ର ଆମ୍ୱୁଲାନ୍ସରେ ଆସିଥିବା କର୍ମଚାରୀମାନେ କିଛି ଉତ୍ତର ଦେଇପାରିନଥିଲେ। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲେ। ଗାଁ ଲୋକେ ଆମ୍ୱୁଲାନ୍ସ ଛାଡ଼ି ନଥିଲେ। ଦୀର୍ଘ ସମୟ ଧରି ଗାଁ ଲୋକ ଆମ୍ୱୁଲାନ୍ସକୁ ଅଟକାଇ ରଖିଥିଲେ।

Advertisment

ଖବର ପାଇ ଚନ୍ଦାହାଣ୍ଡି ତହସିଲଦାର ଗାଁରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ନମିଳିଲେ ଆମ୍ୱୁଲାନ୍ସ ଛାଡ଼ିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। କ୍ଷତିପୂରଣ ପାଇଁ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ଆମ୍ବୁଲାନ୍ସ ଛାଡିଥିଲେ।

ସୂଚନାରୁ ପ୍ରକାଶ, ଗାଁରେ କାମ ମିଳୁନି। ତେଣୁ ଭୋକିଲା ପେଟ ପାଇଁ ଦାନା ଯୋଗାଡ କରିବାକୁ ଜିଲ୍ଲାର ବିଭିନ୍ନ ବ୍ଲକରୁ ହଜାର ହଜାର ସଂଖ୍ୟାରେ ଯୁବକ ଓ ଯୁବତୀ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। କିଏ ରୋଜଗାର କରି ଘରକୁ ଫେରୁଛି ତ ଆଉ କାହାର ମୃତଦେହ ଗାଁକୁ ଫେରୁଛି।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Migrants Nabarangpur