/odisha-reporter/media/post_attachments/uploads/2019/01/n-6.jpg)
naveen
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ବର୍ଷରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରୁଛନ୍ତି। ଯେକୌଣସି ମତେ ଭୋଟରଙ୍କ ମନ ଜିଣିବାକୁ ନିୟମିତ ଘୋଷଣା ହେଉଛି ସ୍କିମ୍। ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ଆଉ ପ୍ରାୟ ଦେଢ଼ମାସ ସମୟ ଥିବାରୁ ଏସବୁର ସଫଳ ରୂପାୟନ ପାଇଁ ବି ପ୍ରଶାସନ ପୂରା ତତ୍ପର। କିଛି ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ହେଉଛି। ତେବେ ସରକାରଙ୍କ ଏହି ଯୋଜନା ଘୋଷଣା ଭୋଟ୍ ପାଇଁ ଆଇନଗତ ଭାବେ ଲାଞ୍ଚ ଦିଆଯାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ଶନିବାର ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ବାବଦକୁ ୨ଶହ ଟଙ୍କା ବଢ଼ାଇଛନ୍ତି ରାଜ୍ୟ ସରକାର। କେବଳ ଭତ୍ତା ବୃଦ୍ଧି ନୁହେଁ, ଗତ କିଛିମାସ ଭିତରେ ଡଜନେରୁ ଅଧିକ ସ୍କିମ୍ ଘୋଷଣା କରିଛନ୍ତି ନବୀନ। ଚାଷୀଙ୍କ ପାଇଁ କାଳିଆ ଯୋଜନା, ଆମ ଗାଁ ଆମ ବିକାଶ, ଯୁବଗୋଷ୍ଠୀ ପାଇଁ ବିଜୁ ଯୁବ ବାହିନୀ, ମାଗଣା ସ୍ୱାସ୍ଥ୍ୟସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଚାଷୀଙ୍କୁ ମୋବାଇଲ୍, ସ୍ୱୟଂ ସହାୟକ ଗୋଷ୍ଠୀକୁ ସିଡ୍ ମନି ଓ ମୋବାଇଲ୍, ନିର୍ମାଣ ଶ୍ରମିକଙ୍କୁ ସୁବିଧା, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ଆମ ଘର ଏଲ୍ଇଡି, ରାତିରେ ଆହାର ଯୋଜନା, ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଆଦି ଲାଗୁ କରି ସବୁ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ଆପ୍ରାଣ ଉଦ୍ୟମ ହୋଇଛି।
ଏହାବାଦ୍ ବିପୁଳ ଅର୍ଥବ୍ୟୟରେ ହକି ବିଶ୍ୱକପ୍ର ଭବ୍ୟ ଆୟୋଜନ ଓ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ମାଧ୍ୟମରେ ନିଜ ଇମେଜ୍ ବଢ଼ାଇବାକୁ ଚେଷ୍ଟା କରିଛନ୍ତି ନବୀନ।
ସେପଟେ ନିର୍ବାଚନ ବର୍ଷରେ ଏଭଳି ମନଇଚ୍ଛା ସ୍କିମ୍ କରି ଟଙ୍କା ବାଣ୍ଟିବାକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ। ଆଇନଗତ ଭାବେ ସରକାର ଲାଞ୍ଚ ଦେଉଥିବା କଂଗ୍ରେସ କହିଥିବା ବେଳେ ବିଜେପି କହିଛି ଦଳୀୟ କର୍ମୀଙ୍କ ପେଟପାଟଣା ପାଇଁ ଏସବୁ ବ୍ୟବସ୍ଥା କରାଯାଇଛି।
ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, “ଭୋଟରେ ଜିତିବାକୁ, ଲୋକଙ୍କୁ ଆକୃଷ୍ଟ କରିବାକୁ ଆଇନସମ୍ମତ ଲାଞ୍ଚ ଦେଉଛନ୍ତି। ମୁଁ ଭାବୁଛି, ଏ ସମ୍ପର୍କରେ ନିର୍ବାଚନ କମିଶନ ଦୃଷ୍ଟି ଦେବା ଦରକାର।”
ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ଏପରି ଯୋଜନା କରି ଲୋକଙ୍କ ରାଜସ୍ୱକୁ ବାଟମାରଣା ନୀତି ଆପଣାଇଛନ୍ତି। ଏହା ନିଜ ଦଳର ଲୋକଙ୍କ ପେଟପାଟଣା ପାଇଁ କରୁଛନ୍ତି।”
ପ୍ରଶ୍ନ ଉଠୁଛି ନିର୍ବାଚନ ବର୍ଷରେ ଏତେ ସବୁ ସ୍କିମ୍ କାହିଁକି ? ଅନ୍ୟ ନିର୍ବାଚନ ଅପେକ୍ଷା ଏଥର ବ୍ୟାକ ଫୁଟ୍ରେ ଅଛି କି ବିଜେଡି ? ଦଳକୁ ଭୋଟବ୍ୟାଙ୍କ ହ୍ରାସ ଚିନ୍ତା ଘାରିଛି କି ? ସରକାର ବିରୋଧୀ ହାଓ୍ୱାକୁ କାଉଣ୍ଟର କରିବା ପାଇଁ ରାଜକୋଷକୁ ବାଜି ଲଗାଇ ଏସବୁ ଯୋଜନା କରାଯାଉଥିବା ଅଭିଯୋଗ ସତ ନୁହେଁ କି ?
ତେବେ ବିରୋଧୀଙ୍କ ଆକ୍ଷେପକୁ ବିଜେଡି ଖଣ୍ଡନ କରିଛି।ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ମୁଁ ଏପରି ଅଭିଯୋଗରେ ଏକମତ ନୁହେଁ। ଜନହିତକର ସ୍କିମ୍ କରାଯାଇଛି। ଏହାଦ୍ୱାରା ଜନସାଧାରଣଙ୍କ ଲାଭ ହେବ। କେବଳ ଓଡ଼ିଶା ସରକାର ନୁହଁନ୍ତି, କେନ୍ଦ୍ର ଓ ଅନ୍ୟ ସରକାରମାନେ ମଧ୍ୟ ଏପରି ପଦକ୍ଷେପ ନେଉଛନ୍ତି।”
ଗୋଟିଏ ପଟେ ସରକାର ବିରୋଧୀ ହାଓ୍ୱା, ଅନ୍ୟପଟେ ଦଳରେ ବଢୁଛି ଅସନ୍ତୋଷ। ସେପଟେ ବିରୋଧୀଙ୍କ ଘନ ଘନ ଆକ୍ରମଣକୁ କାଉଣ୍ଟର କରିବାକୁ ରାଜ୍ୟ ସରକାର ଆଣୁଛନ୍ତି ଗୋଟିଏ ପରେ ଗୋଟିଏ ଲୋଭନୀୟ ସ୍କିମ୍। ଏହା ଭୋଟରକୁ କେତେଦୂର ଆକୃଷ୍ଟ କରିପାରୁଛି ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
