Naveen-claims-he-is-fit-and-that-he-runs-the-state-all-by-himself
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଆ କହିପାରୁ ନାହାନ୍ତି। ରାଜ୍ୟର ପ୍ରମୁଖ ବିରୋଧୀ ଦଳମାନେ ଏପରି ଅଭିଯୋଗ ବାରମ୍ୱାର କରିଆସୁଛନ୍ତି। ଯାହାକୁ ନେଇ ଅନେକ ସମୟରେ ଶାସକ ଓ ବିରୋଧୀ ଦଳ ଭିତରେ ବୟାନବାଜି ହୋଇଥାଏ। ହେଲେ ବିରୋଧୀଙ୍କର ଏହି ଅଭିଯୋଗକୁ ଆଜି ଖଣ୍ଡନ କରିଛନ୍ତି ଖୋଦ୍ ନବୀନ। ଏକ ଜାତୀୟ ଟିଭି ଚ୍ୟାନେଲ୍କୁ ସାକ୍ଷାତକାର ଦେବା ଅବସରରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ସେ ଓଡ଼ିଆ କହିପାରୁନଥିବା ନେଇ ସମାଲୋଚନା ପ୍ରସଙ୍ଗରେ କହିଛନ୍ତି-“ସେମାନେ ଭୁଲ୍ କହୁଛନ୍ତି। ମୁଁ ଭଲ ଓଡ଼ିଆ କହିପାରେ।”
ସେ କହିଛନ୍ତି-“ଆମକୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଲୋକେ ଭୋଟ୍ ଦେବେ। ୧୯ ବର୍ଷର ଶାସନରେ ଲୋକେ ବୀତସ୍ପୃହ ହୋଇ ନାହାନ୍ତି। କେନ୍ଦ୍ରରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ। ନିର୍ବାଚନ ପରେ କୌଣସି ଦଳକୁ ସମର୍ଥନ ଦେଇ ନ ପାରୁ। ନିର୍ବାଚନ ପରେ ମଧ୍ୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତି ଜାରି ରହିପାରେ।”
ରାଜ୍ୟରେ ବ୍ୟୁରୋକ୍ରାଟ୍ସଙ୍କ ଶାସନ ଚାଲିଛି କି ପ୍ରଶ୍ନରେ ନବୀନ କହିଛନ୍ତି-“ବାଜେ କଥା, ମୁଁ ଓ ମନ୍ତ୍ରୀମାନେ ସବୁ ନିଷ୍ପତ୍ତି ନେଇଥାଉ।”
ଗତ ପଞ୍ଚାୟତ ନିର୍ବାଚନରେ ରେଜଲ୍ଟ ଭଲ ନ ହେବା ନେଇ ସେ କହିଛନ୍ତି-“ପଞ୍ଚାୟତ ନିର୍ବାଚନକୁ ହାଲୁକା ଭାବେ ନେଇଥିଲୁ। ମୁଁ ନିଜେ ପ୍ରଚାର କରି ନଥିଲି। ଏହାରି ଭିତରେ ଆମେ ତ୍ରୁଟି ସୁଧାରି ସାରିଛୁ।”
ବିଜେଡିର ଉତ୍ତରାଧିକାରୀ ପ୍ରସଙ୍ଗରେ ନବୀନ କହିଛନ୍ତି-“ଏବେ ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି। ଉପଯୁକ୍ତ ସମୟରେ ଲୋକେ ନେତା ବାଛିବେ। ଭଉଣୀ ଗୀତା ମେହେଟ୍ଟାଙ୍କର ରାଜନୀତିକୁ ଆସିବାର ନାହିଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/04/Naveen-claims-he-is-fit-and-that-he-runs-the-state-all-by-himself.jpg)