Advertisment

ମୁଖ୍ୟମନ୍ତ୍ରୀ ଖେଳିଲେ ଗୋ-ସେବା କାର୍ଡ

ବିଜେପି କହିଛି, ଏହା କେବଳ ଏକ ଡ୍ରାମା। ଡ୍ରାମାକୁ ମୁଖ୍ୟମନ୍ତ୍ରୀ ସତ୍ୟ ବୋଲି ପ୍ରମାଣ କରନ୍ତୁ। ରାଜ୍ୟରେ ଗୋ-ଚାଲାଣ ଓ ଗୋ-ହତ୍ୟା ବନ୍ଦ କରିବା ସହ ଗୋ ସୁରକ୍ଷା ଆଇନ୍ ଲାଗୁ କରନ୍ତୁ।

author-image
Niranjan Mishra
ଅଦ୍ୟତନ ହୋଇଛି
cow

Cow

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହଠାତ୍ ଗତକାଲି ଭୁବନେଶ୍ୱର ନିକଟ ଜାମୁକୋଳି ଗୋଶାଳା ପରିଦର୍ଶନ ଓ ଗୋଶାଳା ସମ୍ପ୍ରସାରଣ ପାଇଁ ପ୍ରତିଶୃତିକୁ ନେଇ ଏବେ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା। ଗୋଟିଏ ପଟେ ରାଜ୍ୟରେ ବେଆଇନ ଗୋଚାଲାଣ ଚରମ ସୀମାରେ ପହଞ୍ଚିଥିବା ବେଳେ ସରକାର ଏହାକୁ ରୋକିବାକୁ ଠୋସ୍ ପଦକ୍ଷେପ ନେଉନାହାନ୍ତି। ସେପଟେ ଏନେଇ ମାଳ ମାଳ ଅଭିଯୋଗ ଆସୁଥିଲେ ହେଁ ଏଭଳି ସମୟରେ ନବୀନଙ୍କ ଗୋଶାଳା ପରିଦର୍ଶନକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ସମ୍ବେଲେଶ୍ୱରୀ ମନ୍ଦିର ପ୍ରଭୃତି ରାଜ୍ୟରେ ଅନେକ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏବେ ଲୋକ ଦେଖାଣିଆ ଗୋମାତା ସୁରକ୍ଷା ନିମନ୍ତେ ଭାଷଣବାଜି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଏଭଳି ତରିକାରେ ବିଜେଡି ହିନ୍ଦୁତ୍ୱ କାର୍ଡ ଖେଳୁଥିବା କୁହାଯାଉଛି।

ଯେହେତୁ ବିଜେପି ସବୁବେଳେ ମଠ ଓ ମନ୍ଦିର ସହିତ ଗୋ-ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଆସିଛି, ତେଣୁ ବିଜେପିକୁ କାଉଣ୍ଟର ଲାଗି ବିଜେଡି ଆଗୁଆ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଗୋଶାଳା ପରିଦର୍ଶନକୁ ନେଇ ରାଜନୀତି ବି ତେଡିଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଏହା କେବଳ ଏକ ଡ୍ରାମା। ଡ୍ରାମାକୁ ମୁଖ୍ୟମନ୍ତ୍ରୀ ସତ୍ୟ ବୋଲି ପ୍ରମାଣ କରନ୍ତୁ। ରାଜ୍ୟରେ ଗୋ-ଚାଲାଣ ଓ ଗୋ-ହତ୍ୟା ବନ୍ଦ କରିବା ସହ ଗୋ ସୁରକ୍ଷା ଆଇନ୍ ଲାଗୁ କରନ୍ତୁ।

Advertisment

ଏହାର ଜବାବ ରଖି ବିଜେଡି ବିଧାୟକ ସ୍ୱରୂପ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ କୌଣସି ଧର୍ମକୁ ଅଗ୍ରଣୀ ଭୂମିକା ଦେଇନାହାନ୍ତି। ସବୁଧର୍ମର ଲୋକଙ୍କୁ ନେଇ ସେ ଓଡ଼ିଶାର ଉନ୍ନତି କଥା ଭାବୁଛନ୍ତି। ଅଯଥା ରାଜନୀତି ନ କରି ଭାରତରୁ ବାହାରକୁ କାହା ମାଧ୍ୟମରେ ଓ କିପରି ଗୋ-ମାଂସ ଚାଲାଣ ହେଉଛି ସେନେଇ ବିଜେପି ଉତ୍ତର ରଖୁ।

ଗୋଟିଏ ପଟେ ହକି ବିଶ୍ୱକପ୍ ଆୟୋଜନ ସମୟରେ ରାଜଧାନୀରୁ ବୁଲା ଗୋରୁ ଓ ଷଣ୍ଢଙ୍କୁ ଏବେ ଜାମୁକୋଳି ଗୋଶାଳାରେ ରଖାଯାଇଛି। ଉପଯୁକ୍ତ ରକ୍ଷଣବେକ୍ଷଣ ଅଭାବ ଯୋଗୁ ସେଠାରେ ପ୍ରତିଦିନ କିଛି ଗୋରୁ ଓ ଷଣ୍ଢଙ୍କ ମୃତ୍ୟୁ ହେଉଛି। ଗୋଶାଳା ଦାୟିତ୍ୱରେ ଥିବା ଡାକ୍ତରଙ୍କ କହିବା କଥା ବୁଲା ଗୋରୁମାନେ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ଭାବେ ପଡ଼ୁଥିବା ପଲିଥିନ୍ ଖାଦ୍ୟ ପୁଡ଼ିଆ ଖାଇ ଅସୁସ୍ଥ ହେଉଛନ୍ତି। ସେମାନଙ୍କ ଏଠାକୁ ଅଣାଯିବା ପରେ ପ୍ରତିଦିନ ପେଟ ରୋଗରେ ପଡ଼ିବା ଯୋଗୁ ୨ରୁ ୩ଟି ଗୋରୁ/ଷଣ୍ଢଙ୍କର ମୃତ୍ୟୁ ହେଉଛି। ସ୍ଥାନ କମ୍ ପଡ଼ୁଥିବାରୁ ଗୋରୁ, ଷଣ୍ଢମାନଙ୍କ ଭିତରେ ଲଢେଇ ହେଉଛି। ସେମାନେ ଆହତ ହେଉଛନ୍ତି। ତଥାପି ଏହା ଉପରେ ନଜର ରଖାଯାଉଛି।

ସେପଟେ ଗୋସେବକଙ୍କ କହିବା କଥା, ରାଜ୍ୟର ବିଭିନ୍ନ ସ୍ଥାନରେ ଗୋ-ଚାଲାଣକାରୀ ମାତିଛନ୍ତି। ପୁଲିସ୍ ନୀରବଦ୍ରଷ୍ଟା ସାଜିଛି। କେବଳ ଗୋ-ସୁରକ୍ଷାକାରୀ ହିଁ ଗୋରୁ ଚାଲାଣ ଗାଡ଼ି ଜବତ କରି ପୁଲିସ ନଜରକୁ ଆଣୁଛନ୍ତି। ମାତ୍ର ସରକାର ଏ ପ୍ରତି ସେତେଟା ଯତ୍ନବାନ୍ ନୁହଁନ୍ତି।

ଶ୍ରୀରାମ ସେନା ସଭାପତି ନାରାୟଣ ମହନ୍ତ କହିଛନ୍ତି, ପ୍ରତିଦିନ ବିଭିନ୍ନ ଟ୍ରକ୍ ଓ ଅନ୍ୟଗାଡ଼ିରେ ଲୁଚାଇ ବାହାରକୁ ଗୋରୁ ଓ ଷଣ୍ଢମାନଙ୍କୁ ନିଷ୍ଠୁର ଭାବେ ଚାଲାଣ କରାଯାଉଛି। ପରେ ସେମାନଙ୍କୁ ବିଭତ୍ସଭାବେ ହତ୍ୟା କରାଯାଉଛି। ଏସବୁକୁ ଦେଖି କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଲ ପାଇବା ଆସୁନି।

ସୂଚନା ମୁତାବକ, ଏବେ ବେସରକାରୀ ଭାବେ ରାଜ୍ୟରେ ୪୫ଟି ଗୋଶାଳା ଚାଲିଛି। ଏଠାରେ ୧୧ ହଜାର ୯୧୦ ଗୋରୁ, ଗାଈ ଓ ଷଣ୍ଢ ରହୁଛନ୍ତି। ଏବେ ରାଜ୍ୟରେ ପ୍ରାୟ ୧କୋଟି ଗୋରୁଗାଈ ଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ ଉଠିଛି।

Bjd Politics Odisha Cm