ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟୁଷ୍ମାନ ଯୋଜନାକୁ ବିରୋଧ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଫାଇଦା ୧କୋଟିରୁ ଅଧିକ ଲୋକଙ୍କୁ ମିଳିଛି ବୋଲି ରାଜ୍ୟ ସରକାରଙ୍କ ଦାବିକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଛୁଆ-ରାଧୁଆ ଉପାଖ୍ୟାନ ସହ ତୁଳନା କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନାଁ ନନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆୟୁଷ୍ମାନ ଯୋଜନାକୁ ସମାଲୋଚନା କରିଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଡ଼କଣର ମଣ୍ଡପ ବସ୍ତିରେ ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ। ବିପିଏଲ୍, ଏପିଏଲ୍ ସମସ୍ତେ ଏ ସୁବିଧା ପାଇବେ। ଆୟୁଷ୍ମାନ ଯୋଜନା ଠାରୁ ଆମ ଯୋଜନା ବହୁତ ଭଲ। ରୋଗ ଓ ଦୁର୍ଘଟଣା କ’ଣ ବିପିଏଲ୍ କାର୍ଡ ଦେଖିକି ଆସେ? ଯାହାର ବିପିଏଲ୍ କାର୍ଡ଼ ନାହିଁ, ସେ କ’ଣ କରିବ? ସେମାନଙ୍କ ପାଇଁ ରାଜ୍ୟ ସରକାର ଅଛି। ରାଜ୍ୟର ସମସ୍ତଙ୍କ ପାଇଁ ରାଜ୍ୟ ସରକାର ଅଛି।
ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ୍ କାର୍ଡ଼ଧାରୀମାନେ ସୁବିଧା ପାଇବେ। କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତେ ସୁବିଧା ପାଇବେ। ରାଜ୍ୟ ସରକାରଙ୍କ ଯୋଜନା ସମସ୍ତଙ୍କ ପାଇଁ ଓଡ଼ିଶାର ଲୋକମାନେ ରାଜ୍ୟ ବାହାରେ ମଧ୍ୟ ଚିକିତ୍ସା ସୁବିଧା ପାଇବେ। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ଏ ସୁବିଧା ପାଇବେ। ବସ୍ତିର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ। ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସାରା ରାଜ୍ୟରେ ବେଶ୍ ଭଲ ଭାବରେ ଚାଲିିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।