naveen
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିବିଏସଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫି’ ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ସରକାରଙ୍କୁ ଚିିଠି ଲେଖି ଅନୁରୋଧ କରିଛନ୍ତି। କିନ୍ତୁ ଏପଟେ ଅଭିଭାବକମାନଙ୍କ ବାରମ୍ବାର ଦାବି ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଦୀର୍ଘବର୍ଷ ଧରି ରାଜ୍ୟରେ ଘରୋଇ ସ୍କୁଲଗୁଡ଼ିକର ଫି’ ନିର୍ଦ୍ଧାରଣ ହୋଇପାରୁନି। ଯାହା ଘରୋଇ ସ୍କୁଲରେ ପଢ଼ୁଥିବା ପିଲାଏ ଓ ସେମାନଙ୍କ ଅଭିଭାବକଙ୍କ ସ୍ୱାର୍ଥରକ୍ଷା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକତାକୁ ପଦାରେ ପକାଇଛି।
ସିବିଏସଇ କର୍ତ୍ତୃପକ୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ସାଧାରଣ ବର୍ଗର ପିଲାଙ୍କ ପରୀକ୍ଷା ଫି’କୁ ଦ୍ୱିଗୁଣ ବୃଦ୍ଧି କରି ୧୫୦୦ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପରୀକ୍ଷା ଫି’କୁ ୨୪ଗୁଣ ବଢ଼ାଇ ୧୨୦୦ଟଙ୍କା କରିଛନ୍ତି। ଏଭଳି ଫି’ ବୃଦ୍ଧିକୁ ନେଇ ଗତକାଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉଦବେଗ ପ୍ରକାଶ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖି ଏହାର ପୁର୍ନବିଚାର ଦାବି କରିଛନ୍ତି। ରାଜ୍ୟରେ ୨୦୦ରୁ ଅଧିକ ସିବିଏସଇ ବୋର୍ଡ ପରିଚାଳିତ ଇଂରାଜୀ ମିଡିୟମ ସ୍କୁଲ ଥିବାରୁ ଏବଂ ବିଶେଷକରି ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ଉପରେ ଏହି ଆର୍ଥିକ ବୋଝ ପଡ଼ିବାକୁ ଥିବାରୁ ବ୍ୟକ୍ତିଗତ ଭାବେ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ଦୀର୍ଘବର୍ଷ ଧରି ରାଜ୍ୟରେ ସିବିଏସଇ ବୋର୍ଡ ପରିଚାଳିତ ଶତାଧିକ ଇଂରାଜୀ ମିଡିୟମ ସ୍କୁଲଗୁଡ଼ିକ ମନଇଚ୍ଛା ନାମଲେଖା ଫି’ ନିର୍ଦ୍ଧାରଣ କରୁଥିବାବେଳେ ନବୀନ ପଟ୍ଟନାୟକଙ୍କ ସରକାର ଏଥିପ୍ରତି ଆଖିବୁଜି ଦେଇଛି। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଘରୋଇ ସ୍କୁଲଗୁଡ଼ିକର ଫି’ ସ୍ଥିର ନିମନ୍ତେ ଗଢ଼ିଥିବା ଫି’ ନିର୍ଦ୍ଧାରଣ କମିଟିର ସୁପାରିସକୁ ମଧ୍ୟ କାର୍ଯ୍ୟକାରୀ କରିବାରେ ଆଗ୍ରହ ଦେଖାଉନାହାନ୍ତି। ଇଂରାଜୀ ମିଡିୟମ ଘରୋଇ ସ୍କୁଲଗୁଡ଼ିକ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଏବେ ସର୍ବନିମ୍ନ ୪୦ରୁ ୯୦ହଜାର ଟଙ୍କା ପର୍ଯ୍ୟନ୍ତ ଫି’ ଦାବି କରୁଥିଲେ ମଧ୍ୟ ରାଜ୍ୟ ସରକାର ଫି’ ନିର୍ଦ୍ଧାରଣ କମିଟିର ସୁପାରିସକୁ ଚାପି ରଖିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାରେ ଆନ୍ତରିକତା ଦେଖାଉନାହାନ୍ତି।
ଫି’ ନିର୍ଦ୍ଧାରଣ କମିଟିର ସୁପାରିସ୍ ଅନୁସାରେ ୟୁକେଜିରେ ନାମଲେଖା ପାଇଁ ବାର୍ଷିକ ଫି’ ୧୫ହଜାର ଟଙ୍କା ସ୍ଥିର ହୋଇଥିବାବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ପାଇଁ ୧୭ହଜାର ଟଙ୍କା, ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ନାମଲେଖା ପାଇଁ ୨୦ହଜାର ଟଙ୍କା, ନବମ ଓ ଦଶମ ଶ୍ରେଣୀ ପାଇଁ ୨୨ହଜାର ଟଙ୍କା ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ୨୫ହଜାର ଟଙ୍କା ଫି’ ସ୍ଥିରୀକୃତ ହୋଇଛି।
ତେବେ ଏହି ଫି’କୁ କୌଣସି ସିବିଏସଇ ବୋର୍ଡ ପରିଚାଳିତ କୌଣସି ଗୋଟିଏ ବି ଘରୋଇ ସ୍କୁଲ ପାଳନ କରୁନଥିବାବେଳେ ମୁଖ୍ୟମନ୍ତ୍ରୀ କିମ୍ବା ଗଣଶିକ୍ଷା ମନ୍ତ୍ରୀଙ୍କର ଏଥିପ୍ରତି ଦୃଷ୍ଟି ଯାଉନି। ଓଲଟା ସିବିଏସଇ ବୋର୍ଡ ପରୀକ୍ଷା ଫି’କୁ ୧୫୦୦ ଟଙ୍କାକୁ ବୃଦ୍ଧି କରିଥିବାରୁ ତା’ର ପ୍ରତିବାଦ ପାଇଁ ତତ୍ପରତା ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରୀକ୍ଷା ଫି’ ବୃଦ୍ଧି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଯେଉଁ ଯୁକ୍ତି ବାଢ଼ିଛନ୍ତି, ଯଦି ବାସ୍ତବରେ ନିଜ ରାଜ୍ୟରେ ସେଭଳି ଆନ୍ତରିକତା ଦେଖାଇ ସ୍ଥିରୀକୃତ ନାମଲେଖା ଫି’କୁ କଡ଼ାକଡ଼ି ଭାବେ ପାଳନ କରନ୍ତେ ତା’ହେଲେ ଗରିବ ଲୋକମାନଙ୍କ ଉପରେ ଏଭଳି ଆର୍ଥିକ ଚାପ ପଡ଼ନ୍ତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/08/naveen-patnaik-yet-to-open-his-cards-on-possible-post-poll-alliances.jpg)