Advertisment

Demands Probe: ସରକାରୀ ଖର୍ଚ୍ଚରେ ନବୀନ-ପାଣ୍ଡିଆନ ବିଦେଶରେ କରୁଥିଲେ ମଉଜ, ଆରଟିଆଇ କର୍ମୀ ଖୋଲିଲେ ଗୁମର, ତଦନ୍ତ ଦାବି

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ତଥ୍ୟ ଏବେ ସରକାରୀ ସ୍ତରରେ ଏକ ବଡ଼ ଦୁର୍ନୀତିର ପେଡ଼ି ଖୋଲିଥିବାବେଳେ ଏହାର ସ୍ୱତନ୍ତ୍ର ଅଡିଟ୍ ବର୍ତ୍ତମାନର ମୋହନ ମାଝୀଙ୍କ ସରକାର କରନ୍ତୁ ବୋଲି ସୂଚନା କର୍ମୀମାନେ ଆଜି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।

author-image
Prakaash Sethi
Pandian-Rome

ରାଜ୍ୟବାସୀଙ୍କ ଟିକସ ଟଙ୍କାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଖାସ୍ ଭିକେ ପାଣ୍ଡିଆନ ବିଦେଶରେ ରାଜକୀୟ ଠାଣିରେ ମଉଜ କରୁଥିଲେ । ବିଦେଶରୁ ପୁଞ୍ଜି ନିବେଶ ଆଣିବା ନାଁରେ ହୋଇଥିବା ଏହି ଗସ୍ତଗୁଡ଼ିକରେ କିଭଳି ନିୟମକୁ ଜଳାଞ୍ଜଳି ଦେଇ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ ହୋଇଥିଲା, ତା’ର ଗୁମର ଖୋଲିଛନ୍ତି ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ । ସରକାରୀ ଖର୍ଚ୍ଚରେ ନବୀନ-ପାଣ୍ଡିଆନ ଯୋଡ଼ି ଦିନକୁ ୫ ଲକ୍ଷ ଟଙ୍କାର ହୋଟେଲ ସୁଟ୍ ଓ କୋଟି କୋଟି ଟଙ୍କା ଭଡ଼ା ଦେଇ ସ୍ୱତନ୍ତ୍ର ବିମାନରେ ବିଳାସପୂର୍ଣ୍ଣ ଯାତ୍ରା କରୁଥିଲେ । ଏହି ତଥ୍ୟ ଏବେ ସରକାରୀ ସ୍ତରରେ ଏକ ବଡ଼ ଦୁର୍ନୀତିର ପେଡ଼ି ଖୋଲିଥିବାବେଳେ ଏହାର ସ୍ୱତନ୍ତ୍ର ଅଡିଟ୍ ବର୍ତ୍ତମାନର ମୋହନ ମାଝୀଙ୍କ ସରକାର କରନ୍ତୁ ବୋଲି ସୂଚନା କର୍ମୀମାନେ ଆଜି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।

Advertisment

ସରକାରୀ ଟଙ୍କାରେ ବିଦେଶରେ ମଉଜ: ଦିନକୁ ହୋଟେଲ ବିଲ୍ ୫ଲକ୍ଷ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ତତ୍କାଳୀନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ବିଦେଶ ଗସ୍ତ ନାଁରେ ହୋଇଥିବା ଅତ୍ୟଧିକ ବିଳାସପୂର୍ଣ୍ଣ ଖର୍ଚ୍ଚ ଏବେ ପଦାକୁ ଆସିଛି । ସୂଚନା ଅଧିକାର ଆଇନ(ଆରଟିଆଇ)ରେ ମିଳିଥିବା ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ୨୦୨୨ ଓ ୨୦୨୩ ମସିହାରେ ଇଟାଲୀ ଓ ଜାପାନ ଗସ୍ତରେ ଯାଇ ରାଜକୋଷରୁ କୋଟି କୋଟି ଟଙ୍କା ଉଡ଼ାଇଥିଲେ । ଜାପାନର କ୍ୟୋଟୋଠାରେ ଥିବା ବିଳାସପୂର୍ଣ୍ଣ ଫୋ ର୍ସିଜନ୍ସ ହୋଟେଲରେ ୨୦୨୩ ଏପ୍ରିଲ ୮ରୁ ୧୨ତାରିଖ ମଧ୍ୟରେ ନବୀନଙ୍କ ରହଣି ପାଇଁ ମୋଟ ହୋଟେଲ ବିଲ୍ ପ୍ରାୟ ୧୯.୩୪ ଲକ୍ଷ ଟଙ୍କା ହୋଇଥିଲା, ଯାହାକି ଦିନକୁ ପ୍ରାୟ ୪ଲକ୍ଷ ଟଙ୍କା ଥିଲା ।

ସେହିପରି ଇଟାଲୀ ଗସ୍ତବେଳେ ନବୀନଙ୍କ ପାଇଁ ସେଠାରେ ବିଳାସପୂର୍ଣ୍ଣ ‘ରୋମ୍ କାଭାଲେରି’ ହୋଟେଲର ‘ନେପୋଲିୟନ ସୁଟ' ୨୦୨୨ ଜୁନ୍ ୨୦ରୁ ୨୬ତାରିଖ ପର୍ଯ୍ୟନ୍ତ ବୁକ୍ କରାଯାଇଥିଲା ଓ ଏଥିପାଇଁ ରାଜକୋଷରୁ ପ୍ରାୟ ୩୨.୭୦ଲକ୍ଷ ଟଙ୍କା(ଦିନକୁ ୫ଲକ୍ଷରୁ ଅଧିକ) ବିଲ୍ ପୈଠ ହୋଇଛି । ତେବେ ଏହି ଦୁଇ ଥର ଗସ୍ତବେଳେ ନବୀନ ରାଜ୍ୟ ପାଇଁ କେଉଁ ନିବେଶ ଆଣିଛନ୍ତି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

Advertisment

କେବଳ ଦୁଇ ଜଣଙ୍କ ପାଇଁ ୧.୬୦ କୋଟିର ବିମାନ ଭଡ଼ା

ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ନବୀନ ପଟ୍ଟନାୟକ ଓ ଭିକେ. ପାଣ୍ଡିଆନ ସାଧାରଣ ପ୍ରତିନିଧି ଦଳ ସହିତ ନଯାଇ ସିଙ୍ଗାପୁର ଓ ବ୍ୟାଙ୍କକକୁ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନରେ ଯାତ୍ରା କରିଥିଲେ । ଏହି ବିଳାସପୂର୍ଣ୍ଣ ଯାତ୍ରା ପାଇଁ କେବଳ ବିମାନ ଭଡ଼ା ବାବଦକୁ ୧.୬୦ କୋଟି ଟଙ୍କା ଓଡ଼ିଶା ରାଜକୋଷରୁ ପ୍ରଦାନ କରାଯାଇଛି । ଏହି ଗସ୍ତବେଳେ ରାଜ୍ୟର ଅନ୍ୟ ୧୭ ଜଣ ବରିଷ୍ଠ ଅଧିକାରୀଙ୍କ ପାଇଁ ଓଟିଡିସି ମାଧ୍ୟମରେ ବିମାନ ଟିକେଟ୍ ବୁକ୍ ହୋଇଥିଲେ ମଧ୍ୟ ନବୀନ ଓ ପାଣ୍ଡିଆନଙ୍କ ପାଇଁ ଦେଢ଼ କୋଟି ଟଙ୍କାରୁ ଅଧିକ ସ୍ୱତନ୍ତ୍ର ଚାଟାର୍ଡ ବିମାନ ଭଡ଼ା ଦିଆଗଲା । ଓଟିଡିସି ମାଧ୍ୟମରେ ଟିକେଟ୍ ବୁକ୍ କରାଯାଇଥିଲେ ଏତେ ଟଙ୍କା ଖର୍ଚ୍ଚ ହୋଇନଥାନ୍ତା । ଯାହାକି ସିଧାସଳଖ ‘ରାଜକୋଷର ଲୁଟ୍‌'।

ଇଟାଲୀ ଗସ୍ତ ସମୟରେ ମଧ୍ୟ କୌଣସି ବିଧିବଦ୍ଧ ସରକାରୀ କାଗଜପତ୍ର କିମ୍ବା ବିଲ୍ ପ୍ରଥମେ ଦିଆଯାଇନଥିଲା, ଯାହା ପରବର୍ତ୍ତୀ ସମୟରେ ଆରଟିଆଇ ଜରିଆରେ ସାମ୍ନାକୁ ଆସିଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଆରଟିଆଇ ଦସ୍ତାବିଜରେ ଅନେକ ସନ୍ଦେହଜନକ ବିଲ୍ ଓ ଭାଉଚର ଦେଖିବାକୁ ମିଳିଛି । ଜାପାନ ଗସ୍ତର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଡୁପ୍ଲିକେଟ୍ ହୋଟେଲ ବିଲ୍ ଦର୍ଶାଯାଇଥିବାବେଳେ, ଗାଡ଼ି ଭଡ଼ା ବାବଦରେ ମଧ୍ୟ ବଡ଼ ଅନିୟମିତତା ହୋଇଥିବା ସନ୍ଦେହ କରାଯାଉଛି । ଜାପାନ ଗସ୍ତ ସମୟରେ ମଧ୍ୟ ଗାଡ଼ି ଭଡ଼ା ବାବଦରେ ଏକ ଭାରତୀୟ ରେଷ୍ଟୁରାଂଟ ନାଁରେ ପ୍ରାୟ ୮ ଲକ୍ଷରୁ ଅଧିକ ଟଙ୍କାର ବିଲ୍ କରାଯାଇଛି, ଯାହା ବଡ଼ ଧରଣର ଅସଙ୍ଗତିକୁ ଇଙ୍ଗିତ କରୁଛି ।


ସ୍ୱତନ୍ତ୍ର ଅଡିଟ୍ କରି ଶ୍ୱେତପତ୍ର ଆଣନ୍ତୁ ମୋହନ ସରକାର

ରାଜ୍ୟର ଗରିବ ଲୋକଙ୍କ ପଇସାକୁ କେଉଁ ଭଳି ଓ କାହା ସ୍ୱାର୍ଥରେ ଏଭଳି ଭାବେ ବ୍ୟୟ କରାଗଲା, ତାହାର ନିରପେକ୍ଷ ଯାଂଚ ହେବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି । ରାଜ୍ୟରେ ମୋହନ ମାଝୀଙ୍କ ସରକାର ଏହି ବିଦେଶ ଗସ୍ତ ଖର୍ଚ୍ଚର ଏକ ସ୍ୱତନ୍ତ୍ର ଅଡିଟ୍ କିମ୍ବା ଶ୍ୱେତପତ୍ର ଜାରି କରିବାକୁ ଶ୍ରୀ ପ୍ରଧାନ ଦାବି କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ଏହି ଗସ୍ତଗୁଡ଼ିକ କେବଳ ନିଜସ୍ୱ ପ୍ରଚାର ଓ ସୁବିଧା ପାଇଁ ଥିଲା । ଓଡ଼ିଶାବାସୀଙ୍କ ପ୍ରତିଟି ଟଙ୍କାର ହିସାବ ଦେବାକୁ ପଡ଼ିବ ଓ ଏହି ମହାଘୋଟାଲାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ପ୍ରଧାନ ଦାବି କରିଛନ୍ତି ।