ରାଜ୍ୟବାସୀଙ୍କ ଟିକସ ଟଙ୍କାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଖାସ୍ ଭିକେ ପାଣ୍ଡିଆନ ବିଦେଶରେ ରାଜକୀୟ ଠାଣିରେ ମଉଜ କରୁଥିଲେ । ବିଦେଶରୁ ପୁଞ୍ଜି ନିବେଶ ଆଣିବା ନାଁରେ ହୋଇଥିବା ଏହି ଗସ୍ତଗୁଡ଼ିକରେ କିଭଳି ନିୟମକୁ ଜଳାଞ୍ଜଳି ଦେଇ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ ହୋଇଥିଲା, ତା’ର ଗୁମର ଖୋଲିଛନ୍ତି ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ । ସରକାରୀ ଖର୍ଚ୍ଚରେ ନବୀନ-ପାଣ୍ଡିଆନ ଯୋଡ଼ି ଦିନକୁ ୫ ଲକ୍ଷ ଟଙ୍କାର ହୋଟେଲ ସୁଟ୍ ଓ କୋଟି କୋଟି ଟଙ୍କା ଭଡ଼ା ଦେଇ ସ୍ୱତନ୍ତ୍ର ବିମାନରେ ବିଳାସପୂର୍ଣ୍ଣ ଯାତ୍ରା କରୁଥିଲେ । ଏହି ତଥ୍ୟ ଏବେ ସରକାରୀ ସ୍ତରରେ ଏକ ବଡ଼ ଦୁର୍ନୀତିର ପେଡ଼ି ଖୋଲିଥିବାବେଳେ ଏହାର ସ୍ୱତନ୍ତ୍ର ଅଡିଟ୍ ବର୍ତ୍ତମାନର ମୋହନ ମାଝୀଙ୍କ ସରକାର କରନ୍ତୁ ବୋଲି ସୂଚନା କର୍ମୀମାନେ ଆଜି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।
ସରକାରୀ ଟଙ୍କାରେ ବିଦେଶରେ ମଉଜ: ଦିନକୁ ହୋଟେଲ ବିଲ୍ ୫ଲକ୍ଷ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ତତ୍କାଳୀନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ବିଦେଶ ଗସ୍ତ ନାଁରେ ହୋଇଥିବା ଅତ୍ୟଧିକ ବିଳାସପୂର୍ଣ୍ଣ ଖର୍ଚ୍ଚ ଏବେ ପଦାକୁ ଆସିଛି । ସୂଚନା ଅଧିକାର ଆଇନ(ଆରଟିଆଇ)ରେ ମିଳିଥିବା ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ୨୦୨୨ ଓ ୨୦୨୩ ମସିହାରେ ଇଟାଲୀ ଓ ଜାପାନ ଗସ୍ତରେ ଯାଇ ରାଜକୋଷରୁ କୋଟି କୋଟି ଟଙ୍କା ଉଡ଼ାଇଥିଲେ । ଜାପାନର କ୍ୟୋଟୋଠାରେ ଥିବା ବିଳାସପୂର୍ଣ୍ଣ ଫୋ ର୍ସିଜନ୍ସ ହୋଟେଲରେ ୨୦୨୩ ଏପ୍ରିଲ ୮ରୁ ୧୨ତାରିଖ ମଧ୍ୟରେ ନବୀନଙ୍କ ରହଣି ପାଇଁ ମୋଟ ହୋଟେଲ ବିଲ୍ ପ୍ରାୟ ୧୯.୩୪ ଲକ୍ଷ ଟଙ୍କା ହୋଇଥିଲା, ଯାହାକି ଦିନକୁ ପ୍ରାୟ ୪ଲକ୍ଷ ଟଙ୍କା ଥିଲା ।
ସେହିପରି ଇଟାଲୀ ଗସ୍ତବେଳେ ନବୀନଙ୍କ ପାଇଁ ସେଠାରେ ବିଳାସପୂର୍ଣ୍ଣ ‘ରୋମ୍ କାଭାଲେରି’ ହୋଟେଲର ‘ନେପୋଲିୟନ ସୁଟ' ୨୦୨୨ ଜୁନ୍ ୨୦ରୁ ୨୬ତାରିଖ ପର୍ଯ୍ୟନ୍ତ ବୁକ୍ କରାଯାଇଥିଲା ଓ ଏଥିପାଇଁ ରାଜକୋଷରୁ ପ୍ରାୟ ୩୨.୭୦ଲକ୍ଷ ଟଙ୍କା(ଦିନକୁ ୫ଲକ୍ଷରୁ ଅଧିକ) ବିଲ୍ ପୈଠ ହୋଇଛି । ତେବେ ଏହି ଦୁଇ ଥର ଗସ୍ତବେଳେ ନବୀନ ରାଜ୍ୟ ପାଇଁ କେଉଁ ନିବେଶ ଆଣିଛନ୍ତି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
କେବଳ ଦୁଇ ଜଣଙ୍କ ପାଇଁ ୧.୬୦ କୋଟିର ବିମାନ ଭଡ଼ା
ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ନବୀନ ପଟ୍ଟନାୟକ ଓ ଭିକେ. ପାଣ୍ଡିଆନ ସାଧାରଣ ପ୍ରତିନିଧି ଦଳ ସହିତ ନଯାଇ ସିଙ୍ଗାପୁର ଓ ବ୍ୟାଙ୍କକକୁ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନରେ ଯାତ୍ରା କରିଥିଲେ । ଏହି ବିଳାସପୂର୍ଣ୍ଣ ଯାତ୍ରା ପାଇଁ କେବଳ ବିମାନ ଭଡ଼ା ବାବଦକୁ ୧.୬୦ କୋଟି ଟଙ୍କା ଓଡ଼ିଶା ରାଜକୋଷରୁ ପ୍ରଦାନ କରାଯାଇଛି । ଏହି ଗସ୍ତବେଳେ ରାଜ୍ୟର ଅନ୍ୟ ୧୭ ଜଣ ବରିଷ୍ଠ ଅଧିକାରୀଙ୍କ ପାଇଁ ଓଟିଡିସି ମାଧ୍ୟମରେ ବିମାନ ଟିକେଟ୍ ବୁକ୍ ହୋଇଥିଲେ ମଧ୍ୟ ନବୀନ ଓ ପାଣ୍ଡିଆନଙ୍କ ପାଇଁ ଦେଢ଼ କୋଟି ଟଙ୍କାରୁ ଅଧିକ ସ୍ୱତନ୍ତ୍ର ଚାଟାର୍ଡ ବିମାନ ଭଡ଼ା ଦିଆଗଲା । ଓଟିଡିସି ମାଧ୍ୟମରେ ଟିକେଟ୍ ବୁକ୍ କରାଯାଇଥିଲେ ଏତେ ଟଙ୍କା ଖର୍ଚ୍ଚ ହୋଇନଥାନ୍ତା । ଯାହାକି ସିଧାସଳଖ ‘ରାଜକୋଷର ଲୁଟ୍'।
ଇଟାଲୀ ଗସ୍ତ ସମୟରେ ମଧ୍ୟ କୌଣସି ବିଧିବଦ୍ଧ ସରକାରୀ କାଗଜପତ୍ର କିମ୍ବା ବିଲ୍ ପ୍ରଥମେ ଦିଆଯାଇନଥିଲା, ଯାହା ପରବର୍ତ୍ତୀ ସମୟରେ ଆରଟିଆଇ ଜରିଆରେ ସାମ୍ନାକୁ ଆସିଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଆରଟିଆଇ ଦସ୍ତାବିଜରେ ଅନେକ ସନ୍ଦେହଜନକ ବିଲ୍ ଓ ଭାଉଚର ଦେଖିବାକୁ ମିଳିଛି । ଜାପାନ ଗସ୍ତର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଡୁପ୍ଲିକେଟ୍ ହୋଟେଲ ବିଲ୍ ଦର୍ଶାଯାଇଥିବାବେଳେ, ଗାଡ଼ି ଭଡ଼ା ବାବଦରେ ମଧ୍ୟ ବଡ଼ ଅନିୟମିତତା ହୋଇଥିବା ସନ୍ଦେହ କରାଯାଉଛି । ଜାପାନ ଗସ୍ତ ସମୟରେ ମଧ୍ୟ ଗାଡ଼ି ଭଡ଼ା ବାବଦରେ ଏକ ଭାରତୀୟ ରେଷ୍ଟୁରାଂଟ ନାଁରେ ପ୍ରାୟ ୮ ଲକ୍ଷରୁ ଅଧିକ ଟଙ୍କାର ବିଲ୍ କରାଯାଇଛି, ଯାହା ବଡ଼ ଧରଣର ଅସଙ୍ଗତିକୁ ଇଙ୍ଗିତ କରୁଛି ।
ସ୍ୱତନ୍ତ୍ର ଅଡିଟ୍ କରି ଶ୍ୱେତପତ୍ର ଆଣନ୍ତୁ ମୋହନ ସରକାର
ରାଜ୍ୟର ଗରିବ ଲୋକଙ୍କ ପଇସାକୁ କେଉଁ ଭଳି ଓ କାହା ସ୍ୱାର୍ଥରେ ଏଭଳି ଭାବେ ବ୍ୟୟ କରାଗଲା, ତାହାର ନିରପେକ୍ଷ ଯାଂଚ ହେବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି । ରାଜ୍ୟରେ ମୋହନ ମାଝୀଙ୍କ ସରକାର ଏହି ବିଦେଶ ଗସ୍ତ ଖର୍ଚ୍ଚର ଏକ ସ୍ୱତନ୍ତ୍ର ଅଡିଟ୍ କିମ୍ବା ଶ୍ୱେତପତ୍ର ଜାରି କରିବାକୁ ଶ୍ରୀ ପ୍ରଧାନ ଦାବି କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ଏହି ଗସ୍ତଗୁଡ଼ିକ କେବଳ ନିଜସ୍ୱ ପ୍ରଚାର ଓ ସୁବିଧା ପାଇଁ ଥିଲା । ଓଡ଼ିଶାବାସୀଙ୍କ ପ୍ରତିଟି ଟଙ୍କାର ହିସାବ ଦେବାକୁ ପଡ଼ିବ ଓ ଏହି ମହାଘୋଟାଲାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ପ୍ରଧାନ ଦାବି କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us