‘ଭାକୁଡ଼ା ଖୁଣ୍ଟ’ ଜଗିଛି ଗାଁ ଗଣ୍ଡଗୋଳ ଓ ନିଶା କାରବାର

କେବଳ ସେତିକି ନୁହେଁ, ଗାଁରେ ଦ୍ରୁତ ବେଗରେ ଗାଡ଼ି ଚଳାଇବା ଓ ନିଶାଦ୍ରବ୍ୟ କିଣାବିକା ଉପରେ ମଧ୍ୟ ରୋକ ଲଗାଇ ପାରିଛି ‘ଭାକୁଡ଼ା ଖୁଣ୍ଟ’।

Bhakuda Khunta PhotoOR

ଭାକୁଡ଼ା ଖୁଣ୍ଟ

Niranjan Mishra
  • Published: Wednesday, 08 March 2023
  • Updated: 08 March 2023, 07:46 PM IST

Sports

Latest News

‘ଭାକୁଡ଼ା ଖୁଣ୍ଟ’ ଜଗିଛି ଗାଁ ଗଣ୍ଡଗୋଳ ଓ ନିଶା କାରବାର। କେବଳ ସେତିକି ନୁହେଁ, ଗାଁରେ ଦ୍ରୁତ ବେଗରେ ଗାଡ଼ି ଚଳାଇବା ଓ ନିଶାଦ୍ରବ୍ୟ କିଣାବିକା ଉପରେ ମଧ୍ୟ ରୋକ ଲଗାଇ ପାରିଛି ‘ଭାକୁଡ଼ା ଖୁଣ୍ଟ’। ନୟାଗଡ଼ ଜିଲ୍ଲା ଭାଟସାହିରେ ରହିଛି ଏହି ‘ଭାକୁଡା ଖୁଣ୍ଟ’। ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ସ୍ଥାନୀୟ କମିଟି ଏହି ‘ଭାକୁଡ଼ା ଖୁଣ୍ଟ’ ପୋତିଛନ୍ତି। ଏହି ଭାକୁଡ଼ା ଖୁଣ୍ଟର କରାମତିକୁ ନେଇ ଭାଟସାହି ୩ ଖଣ୍ଡ ମୌଜାର ୩୯ ଖଣ୍ଡ ଗାଁ ଲୋକେ ଏବେ ଶାନ୍ତିରେ ନିଶ୍ୱାସ ମାରୁଛନ୍ତି। ଯିଏ ବିଶୃଙ୍ଖଳା କରିବ ତାକୁ ଏହି ‘ଭାକୁଡ଼ା ଖୁଣ୍ଟ’ରେ ବାନ୍ଧି ଦଣ୍ଡ ଦେବାକୁ ଗ୍ରାମ କମିଟି ନିଷ୍ପତ୍ତି ନେବା ଏବେ ଖୁବ୍ କାରିଗର ସାବ୍ୟସ୍ତ ହୋଇଛି।

ଏଠାରେ ଚାଲିଥିବା ବିଶ୍ୱ ଶାନ୍ତି ମହାଯଜ୍ଞ ଓ ଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସାରିବାରେ ଏହି ‘ଭାକୁଡ଼ା ଖୁଣ୍ଟ’ ବିଶେଷ ଉପଯୋଗ ସାଧିତ ହୋଇଥିବା ଜଣାପଡ଼ିଛି।

Also Read

ନୟାଗଡ଼ ଭାଟସାହିରେ ବିରାଜିତ ଶ୍ରୀ ଶ୍ରୀ ସିଦ୍ଧେଶ୍ୱରାୟ ମହାଦେବଙ୍କ ପୀଠରେ ଦୋଳପୂର୍ଣ୍ଣିମା ପାଇଁ ୫ ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଏବଂ ଯାତ୍ରା କାହିଁ କେଉଁ କାଳରୁ ହୋଇଆସୁଛି। ତେବେ କିଛି ବର୍ଷ ହେବ ଏହି ଯାତ୍ରା ସମୟରେ ମଦ ଏବଂ ଅନ୍ୟ ନିଶା ଦ୍ରବ୍ୟ ଖାଇ କିଛି ଲୋକ ଗଣ୍ଡଗୋଳ କରୁଥିଲେ। ଫଳରେ ବାହାର ଗାଁରୁ ଆସୁଥିବା ଲୋକେ ବିଶୃଙ୍ଖଳାକୁ ଦେଖି ଅସନ୍ତୋଷ ପ୍ରକାଶ କରୁଥିଲେ। ମହାଦେବଙ୍କ ଯାତ୍ରାରେ ବାଧା ସୃଷ୍ଟି ହେବା ଯୋଗୁ ଗାଁ ଲୋକେ ବଦନାମ ହେଉଥିଲେ।

ତେଣୁ ଗ୍ରାମ ପରିଚାଳନା କମିଟି ଏଠାରେ ଶାନ୍ତି ବଜାୟ ରଖିବାକୁ କଠୋର ହୋଇଥିଲା। ଏକ ଭିନ୍ନ ଚିନ୍ତାଧାରାକୁ ଅପଣାଇ ବିଶୃଙ୍ଖଳାକାରୀଙ୍କୁ ସାବାଡ଼ କରିବାକୁ ‘ଭାକୁଡ଼ା ଖୁଣ୍ଟ’ ପୋତିବାକୁ ନିଷ୍ପତ୍ତି ନେଇଥିଲେ। ଯେକୌଣସି ବ୍ୟକ୍ତି ଯଦି ମଦ ଖାଇ ବିଶୃଙ୍ଖଳା କରେ କିମ୍ବା ଅଯଥା ଆଇନଶୃଙ୍ଖଳା ପରିସ୍ଥିତି ବିଗାଡ଼ିବାକୁ ଚେଷ୍ଟା କରେ, ତେବେ ତାହାକୁ ପାନେ ଦେବାକୁ ଏହି ଖୁଣ୍ଟ ପୋତା ଯାଇଥିଲା।

ଗାଁ ଯାତ୍ରା ସମୟରେ ନିଶାଦ୍ରବ୍ୟ ସେବନ କଲେ, ବିକ୍ରି କିମ୍ବା ଦ୍ରୁତ ଗତିରେ ଗାଡ଼ି ଚଳାଇଲେ, ଅଯଥା ଗଣ୍ଡଗୋଳ ସୃଷ୍ଟି କଲେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ‘ଭାକୁଡା ଖୁଣ୍ଟ’ରେ ବାନ୍ଧି ଦଣ୍ଡ ଦିଆଯିବ। ଏବାବଦରେ ଗ୍ରାମବାସୀଙ୍କ ତରଫରୁ କଟକଣା ତାଲିକା ସର୍ବ ସମ୍ମୁଖରେ ବ୍ୟାନର କରି ଟାଙ୍ଗି ଦିଆଯାଇଥିଲା। ଯାହାକୁ ଦେଖି ବିଶୃଙ୍ଖଳାକାରୀ ଓ ଅପରାଧୀ ପୂରା ସାବାଡ଼।

Bhakuda Khuntaଭାକୁଡ଼ା ଖୁଣ୍ଟ

‘ଭାକୁଡା ଖୁଣ୍ଟ’ ଦଣ୍ଡକୁ ଭୟ କରି ଗାଁରେ କଟକଣାକୁ ସମସ୍ତେ ମାନିଛନ୍ତି। ଫଳରେ କାହାରିକୁ ଭାକୁଡା ଖୁଣ୍ଟର ଦଣ୍ଡ ପାଇବାକୁ ପଡିନି। ଏଠାରେ ପ୍ରତ୍ୟେକ ବର୍ଷ ବିଶ୍ୱ ଶାନ୍ତି ମହାଯଜ୍ଞ ଓ ଯାତ୍ରା ବିଶେଷ ସୁରୁଖୁରୁରେ ହୋଇପାରୁଛି। ମହାଯଜ୍ଞ ଓ ଯାତ୍ରା ଦେଖିବାକୁ ଦୂରଦୂରାନ୍ତରୁ ବହୁ ଲୋକଙ୍କ ଆଗନ ହେଉଛି। ମେଳା ପଡ଼ିଆରେ ଦୋକାନ ବଜାର ବୃଦ୍ଧି ହେବା ସାଙ୍ଗକୁ ଆଧ୍ୟାତ୍ମିକ ପରିବେଶ ବୃଦ୍ଧିରେ ଏହା ସହାୟକ ହୋଇଛି।

ଏନେଇ ଗ୍ରାମବାସୀ କହିଛନ୍ତି, ଗାଁ ଯାତ୍ରାରେ ଶୃଙ୍ଖଳା ରକ୍ଷା ନିମନ୍ତେ ଏହି ‘ଭାକୁଡ଼ା ଖୁଣ୍ଟ’ ପୋତା ଯାଇଛି। ଯଦି ଗ୍ରାମ କମିଟି ଦଣ୍ଡ ଦେବାରେ ଫେଲ ମାରିବ ତେବେ ଆଇନର ସାହାଯ୍ୟ ନିଆଯିବ। ଏନେଇ ଯଜ୍ଞ ଓ ଯାତ୍ରା କମିଟି ବିଧିବଦ୍ଧ ନିଷ୍ପତ୍ତି ନେଇଛି।

ରିପୋର୍ଟ- ନୟାଗଡ଼ରୁ ଜୟେନ୍ଦ୍ର ବେହେରା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos