ଗୋଟିଏ ସ୍ଥାନରେ ତିନିଟି ବାହାଘର ଚାଲିଥିବା ବେଳେ ଗୋଟିଏ ପକ୍ଷର ବରଯାତ୍ରୀର କିଛି ଲୋକ ଅନ୍ୟ ଏକ ପକ୍ଷର ଭୋଜିରେ ବସି ଖାଉଥିବା ବେଳେ ଘଟିଥିଲା ତୁମୁଳକାଣ୍ଡ। ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏଭଳି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ।
ଗତକାଲି ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପପ୍ରସାଦ ଗାଁ ନିକଟରେ ଥିବା ଭୈରବୀ ମନ୍ଦିରରେ ନୟାଗଡ଼ ଜିଲ୍ଲା ପଣ୍ଡୁସର, ମାଛିପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ୩ଟି ବାହାଘର ଚାଲିଥିଲା। ଏହି ସମୟରେ ଏକ ବାହାଘରକୁ ଆସିଥିବା କିଛି ବରଯାତ୍ରୀ ଅନ୍ୟ ଏକ ବାହାଘରର ଭୋଜି ଖାଉଥିଲେ। ଏକଥା ଜାଣିପାରି ଝିଅଘର ଲୋକମାନେ ସେମାନଙ୍କୁ ବିରୋଧ କରିଥିଲେ।
ଏହାକୁ କେନ୍ଦ୍ରକରି ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ହୋଇଥିଲା। ଇଟାମାଟି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହାସହ ଏହି ଘଟଣାରେ ଜଣକୁ ଥାନାକୁ ନେଇ ଅଟକ ରଖିଥିଲା। ପରେ ଅଣ୍ଡରଟେକିଂ ଲେଖାଇ ପୁଲିସ ତାଙ୍କୁ ଛାଡ଼ିଥିଲା। ମଦ ପିଇ ସମ୍ପୃକ୍ତ ବ୍ୟକ୍ତି ଜଣକ ସେଠାରେ ପାଟିତୁଣ୍ଡ କରିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।