Advertisment

ଜବତକ୍ ତୋଡ଼େଙ୍ଗେ ନେହିଁ, ତବ୍‌ତକ୍ ଛୋଡ଼େଙ୍ଗେ ନେହିଁ: ନୟାଗଡ଼ର ଦଶରଥ ମାଂଝୀ ‘ହରିହର’

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) ଜବତକ୍ ତୋଡ଼େଙ୍ଗେ ନେହିଁ, ତବ୍‌ତକ୍ ଛୋଡ଼େଙ୍ଗେ ନେହିଁ…। ‘ମାଂଝୀ ଦି ମାଉଣ୍ଟେନ୍ ମ୍ୟାନ’ ଫିଲ୍ମରେ ମୁଖ୍ୟ ଚରିତ୍ର ଦଶରଥ ମାଂଝୀଙ୍କ ଏଇ ଶକ୍ତିଶାଳୀ ସଂକଳ୍ପ  ଆଗରେ ଖଣ୍ଡ ଖଣ୍ଡ ହୋଇ ଝଡ଼ି ପଡ଼ିଥିଲା ପାହାଡ଼ର ଦମ୍ଭ। ଆଉ ଏଠି ବି ସେଇ ପର୍ବତ ଭଳି ମଝବୁତ୍ ଦମ୍ଭ। ପାହାଡ଼ର ଛାତି ବିଦାରି ବିକାଶର ରାସ୍ତାକୁ ଆଗକୁ ବଢ଼ାଇବାର ଝୁଙ୍କ୍ ଅକଳ୍ପନୀୟ । ସିଏ ହେଉଛନ୍ତି ନୟାଗଡ଼ର  ମାଉଣ୍ଟେନ୍ ମ୍ୟାନ୍ ହରିହର ବେହେରା  ।  ହରିହର […]

ଜବତକ୍ ତୋଡ଼େଙ୍ଗେ ନେହିଁ, ତବ୍‌ତକ୍ ଛୋଡ଼େଙ୍ଗେ ନେହିଁ: ନୟାଗଡ଼ର ଦଶରଥ ମାଂଝୀ ‘ହରିହର’

790

Advertisment

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) ଜବତକ୍ ତୋଡ଼େଙ୍ଗେ ନେହିଁ, ତବ୍‌ତକ୍ ଛୋଡ଼େଙ୍ଗେ ନେହିଁ…। ‘ମାଂଝୀ ଦି ମାଉଣ୍ଟେନ୍ ମ୍ୟାନ’ ଫିଲ୍ମରେ ମୁଖ୍ୟ ଚରିତ୍ର ଦଶରଥ ମାଂଝୀଙ୍କ ଏଇ ଶକ୍ତିଶାଳୀ ସଂକଳ୍ପ  ଆଗରେ ଖଣ୍ଡ ଖଣ୍ଡ ହୋଇ ଝଡ଼ି ପଡ଼ିଥିଲା ପାହାଡ଼ର ଦମ୍ଭ। ଆଉ ଏଠି ବି ସେଇ ପର୍ବତ ଭଳି ମଝବୁତ୍ ଦମ୍ଭ। ପାହାଡ଼ର ଛାତି ବିଦାରି ବିକାଶର ରାସ୍ତାକୁ ଆଗକୁ ବଢ଼ାଇବାର ଝୁଙ୍କ୍ ଅକଳ୍ପନୀୟ । ସିଏ ହେଉଛନ୍ତି ନୟାଗଡ଼ର  ମାଉଣ୍ଟେନ୍ ମ୍ୟାନ୍ ହରିହର ବେହେରା  ।  ହରିହର ବେହେରା  ୩୦ ବର୍ଷ କାଳ ପାହାଡ଼କୁ ନିହାଣରେ କାଟି କାଟି ୪ କିମି ସଡ଼କ ନିର୍ମାଣର ବିଶ୍ୱକର୍ମା ସାଜିଥିଲେହେଁ ବଣମଲ୍ଲୀ ପରି ଲୋକଲୋଚନରେ ରହିଯାଇଛନ୍ତି।

Advertisment

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତର  ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଗାଁ ହେଉଛି ତୁଲୁବି । ପାହାଡ଼ି ଇଲାକାରେ ଥିବା ତୁଲୁବି ଗାଁ କୁ ବିଗତ ଦିନରେ ଗମନାଗମନ ଓ ପରିବହନ ପାଇଁ କୌଣସି ସୁବିଧା ନ ଥିଲା  । ଗାଁ ରାସ୍ତାର ଏଭଳି ଦୂରାବସ୍ଥା ଗଭୀର ଭାବରେ ଆଘାତ ଦେଇଥିଲା  ତୁଲୁବି ଗାଁର କୃଷ୍ଣ ବେହେରା ଓ ହରି ବେହରା ଦୁଇ ଭାଇଙ୍କ ମନକୁ। ଦୁହେଁ ମନସ୍ଥ କଲେ ଗାଁ ରାସ୍ତା ସୁଧାରି ସାରି ଶାନ୍ତିରେ ନିଶ୍ୱାସ ନେବେ। ପ୍ରଥମେ ପ୍ରଥମେ ହରି ପ୍ରଧାନ ବ୍ଲାଷ୍ଟିଂ କରି ପାହାଡର ବଡ଼ ବଡ଼ ପଥର ଫଟେଇ ରାସ୍ତାରେ ଏକ ଛୋଟ ଶଗଡ଼ ଗାଡ଼ି ସହାୟତାରେ ପଥର ବିଛାଇବା ଆରମ୍ଭ କରିଥିଲେ। ବ୍ଲାଷ୍ଟିଂ କରିବା ଦ୍ୱାରା ଅସାବଧାନତାରେ ଜୀବନ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଥିଲା।ଜଙ୍ଗଲ ଜନ୍ତୁଙ୍କ ଉପରେ ମଧ୍ୟ କୁପ୍ରଭାବ ପଡିବାର ସମ୍ଭାବନା ଥିଲା। ବ୍ଲାଷ୍ଟିଂ ର ଭୟାବହତାକୁ ଆଖିରେ ରଖି ରାସ୍ତା ନିର୍ମାଣ କାର୍ଯ୍ୟ କିଛି ଦିନ ପାଇଁ ବନ୍ଦ କରିଥିଲେ ହରିହର ।ତେବେ ୧୯୭୮ମସିହାରେ ରାସ୍ତା ନିର୍ମାଣ କରିବାର ଭୂତ ହରିହର ଓ କୃଷ୍ଣ ଦୁଇ ଭାଇଙ୍କ ମନରେ ବସା ବାନ୍ଧି ରହିଥାଏ।

ଦିନେ ଗାଁ ଛାଡି ହରିହର ବେହେରା  ମୁନ କାମ ଶିଖିବା ପାଇଁ ବାହାରି ପଡିଲେ। ମୁନ କାମ  ଅର୍ଥାତ ଛୋଟ ଛୋଟ ଲୁହା ମୁନ ସାହାଯ୍ୟରେ କଳା ମୁଗୁନି ପଥର ଫଟାଇ (size)ପଟ୍ଟ ଥିବା ପଥର ଖଣ୍ଡ ପ୍ରସ୍ତୁତ କରିବାର କଳା କୌଶଳ। ଏହି କୌଶଳ ଶିଖି ସାରି ସେ ପୁଣି ଗାଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଦୁଇଭାଇଙ୍କ ଅବିଶ୍ରାନ୍ତ ପରିଶ୍ରମ ଦ୍ୱାରା ମାଇଲିଏ ରାସ୍ତା ପୂର୍ଣ୍ଣ ରୂପେ ପଟାଶାଳ ପଥର ବିଛେଇଲା ଭଳି ବିଛାଇ ଦିଆ ଗଲା। ହରିହର ଙ୍କ କହିବା ଅନୁଯାୟୀ ଗୋଟିଏ ଓଳି ଚାଷ କାମ କରି ଅନ୍ୟ ଓଳିରେ  ରାସ୍ତାରେ ପଥର ବିଛେଇବାରେ ସେ ଜୀବନର ୩୦ବର୍ଷର ଶ୍ରମ ଲଗାଇଛନ୍ତି l  ମୁନ,ହାତୁଡି, କୋଡ଼ି ଶାବଳ ଓ ଛୋଟ ଶଗଡ଼କୁ ନିଜର ସାଥି ସଜାଇ ବାଇଶି ବର୍ଷୀୟ ଏହି ଯୁବକ ହରି ପ୍ରଧାନ ଦୀର୍ଘ 30ବର୍ଷ ପରେ ନିଜ କାର୍ଯ୍ୟରେ ସଫଳ ହୋଇ ରାସ୍ତା କାର୍ଯ୍ୟ ଶେଷ କରି ପାରିଛନ୍ତି l ଆଉ ତାଙ୍କର ଏହି ୩୦ ବର୍ଷର ନିଷ୍ଠାପର ଉଦ୍ୟମ ଅପହଞ୍ଚ ଇଲାକାକୁ ଗମନାଗମନର ସୁବିଧା ପହଞ୍ଚାଇ ପାରିଛି l

Advertisment

କୌତୁହଳର ବିଷୟ ହେଉଛି, ଯେଉଁ ଜାଗାରୁ ପଥର ଫଟାଇ  ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିଲେ କ୍ରମେ ତାହା ଗଭୀର ହୋଇ ଗୋଟିଏ ପୋଖରୀ ଆକୃତି ଧାରଣ କଲା ଏବଂ ତୁଲୁବି ଗ୍ରାମବାସୀ ବର୍ତ୍ତମାନ ତାହାକୁ ଗାଁ ପୋଖରୀ ଭାବରେ ବ୍ୟବହାର କରୁଛନ୍ତି।

ହରିହର ବେହେରାଙ୍କ ସଂଘର୍ଷମୟ ଜୀବନ ଏତିକିରେ ଶେଷ ହୋଇ ନଥିଲା। ତୁଲୁବି ପାଖରେ ଥିବା ଅନ୍ୟ ଏକ ଆଦିବାସୀ ଅଧ୍ୟୁଷିତ ଗାଁ ନେପାଳକୁ ରାସ୍ତା ନିର୍ମାଣ କରିବା ପାଇଁ ସେ ପୁଣି ମନସ୍ଥ କଲେ। ନିଜସ୍ୱ ପ୍ରଚେଷ୍ଟାରେ ପ୍ରାୟ ତିନି ଶହ ମିଟର ରାସ୍ତାରେ ପଥର ବିଛେଇ ସେ ରାସ୍ତା ତିଆରି କରିପାରିଥିଲେ। ବର୍ତ୍ତମାନ ଜିଲ୍ଲା  ଗ୍ରାମଉନ୍ନୟନ ବିଭାଗ ଏବଂ ପଞ୍ଚାୟତ ପକ୍ଷରୁ ଏହି ରାସ୍ତା ପକା କରିବାକୁ ଉଦ୍ୟମ ହୋଇଛି । କିଛି ଅଂଶ ମଧ୍ୟ କଂକ୍ରିଟ ଢଳେଇ କରିଛି ପ୍ରଶାସନ ।

ବାଟୋଇ ମାନଙ୍କ ପ୍ରସଂଶା, ଗ୍ରାମବାସୀଙ୍କ କୃତଜ୍ଞତା ହରିହରଙ୍କୁ ଏସବୁ ମହନୀୟ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଥିଲା। ସମୟ ସ୍ରୋତରେ ବଡଭାଇ କୃଷ୍ଣ ବେହେରା ଆର ପାରିକୁ ଚାଲିଯାଇଛନ୍ତି। ତେବେ ଆଜିବି ଆଦିବାସୀ ଇଲାକାର ଏହି ବଣମଲ୍ଲୀ ଅଖୋଜା ଅଲୋଡ଼ା  ରହିଛନ୍ତି ପ୍ରଶାସନର ଦୃଷ୍ଟି ଅଡୁଆଳ ରେ l ନିଜର ସାରା ଜୀବନର ଶ୍ରମ ଆଦିବାସୀ ଇଲାକାର ବିକାଶ  ଓ ରାସ୍ତା ନିର୍ମାଣରେ ସାରିଦେଇଥିବା ଏହି ହୀରା  ଆଜି କିଡନୀ ରୋଗରେ ଆକ୍ରାନ୍ତ l

ଅସମ୍ଭବକୁ ସମ୍ଭବ କରିଦେଖାଇବାର ନିଷ୍ଠା ଓ ଦୀର୍ଘ ୩୦ବର୍ଷର ଅଦମ୍ୟ ଅଧ୍ୟବସାୟ ଆଦିବାସୀ ଇଲାକାର ହୀରା -ହରିହରଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ l ବଣରେ ଥାଇବି ବଣମଲ୍ଲୀର ବାସ୍ନା ସାରା ସାରା ବଣକୁ ମହାକାଇ ଦେବା ଭଳି ଏହା ଅନ୍ୟମାନଙ୍କ ଏକ ବିରଳ ଉଦାହରଣ ସୃଷ୍ଟି କରିଛି l

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe