Advertisment

ମନଇଚ୍ଛା ଆକାଉଣ୍ଟରୁ ୧୮୯ ଟଙ୍କା କାଟିଦେଲେ, ୪୦ ହଜାର ଜରିମାନା ଦେବ ବ୍ୟାଙ୍କ

ଗ୍ରାହକଙ୍କ ପାଖରେ ୪୦ ହଜାର ଟଙ୍କାର କ୍ଷତିପୂରଣ ରାଶି ପୈଠ କରିବାକୁ ସମ୍ପୃକ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଉପଭୋକ୍ତା କୋର୍ଟ।

author-image
Niranjan Mishra
ଅଦ୍ୟତନ ହୋଇଛି
Alok Ranjan Mansing

Alok Ranjan Mansing

ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ବେଆଇନ ଭାବେ ମାତ୍ର ୧୮୯ ଟଙ୍କା କାଟିବା ବ୍ୟାଙ୍କ ପାଇଁ ମହଙ୍ଗା ପଡିଛି। ଗ୍ରାହକଙ୍କ ପାଖରେ ୪୦ ହଜାର ଟଙ୍କାର କ୍ଷତିପୂରଣ ରାଶି ପୈଠ କରିବାକୁ ସମ୍ପୃକ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଉପଭୋକ୍ତା କୋର୍ଟ।

Advertisment

ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅରଖପଲ୍ଲୀ ଗ୍ରାମର ଆଲୋକ ରଞ୍ଜନ ମାନସିଂହ ଏକ କାର କିଣିବା ପାଇଁ ୨୦୧୬ ମସିହାରେ ନୟାଗଡ଼ର ଏକ ଘରୋଇ ବ୍ୟାଙ୍କରୁ ଋଣ ନେଇଥିଲେ l ୨ ଲକ୍ଷ ୮୪ ହଜାର ୪୮୨ ଟଙ୍କା ଲୋନ ନେଇଥିବା ବେଳେ ପ୍ରତି ମାସ ୫ ତାରିଖରେ ୯୭୯୨ ଟଙ୍କା କିସ୍ତି ଆକାରରେ ବ୍ୟାଙ୍କକୁ ଦେଉଥିଲେ l ତେବେ ବ୍ୟକ୍ତିଗତ କାରଣ ପାଇଁ ୨୦୧୯ ମସିହା ଜାନୁଆରୀ ମାସରେ ଟଙ୍କା ଦେଇପାରିନଥିଲେ ଆଲୋକ l ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ନେଟ ବ୍ୟାଙ୍କିଙ୍ଗ ଦ୍ୱାରା କିସ୍ତି ଟଙ୍କା ସହ ଜରିମାନା ମିଶି ମୋଟ ୧୨ ହଜାର ୩୬୬ ଟଙ୍କା ଡ଼ିପୋଜିଟ କରିଥିଲେ l ହେଲେ ପରବର୍ତ୍ତୀ ସମୟରେ ଜାନୁଆରୀ ମାସ କିସ୍ତି ପାଇଁ ପୁଣି ଥରେ ତାଙ୍କ ସଞ୍ଚୟ ଆକାଉଣ୍ଟରୁ ଟଙ୍କା କଟିଥିଲା l

ଏନେଇ ସେ ନୟାଗଡ଼ର ଉକ୍ତ ଘରୋଇ ବ୍ୟାଙ୍କ ପରିଚାଳକଙ୍କ ନିକଟରେ ଅଭିଯୋଗ ପରେ ୧୨ ହଜାର ୧୭୭ ଟଙ୍କା ଫେରସ୍ତ ପାଇଥିଲେ। ହେଲେ କୌଣସି କାରଣ ନ ଥାଇ ଏହି ସମୟରେ ବ୍ୟାଙ୍କ ପକ୍ଷରୁ ତାଙ୍କ ଆକାଉଣ୍ଟରୁ ୧୮୯ ଟଙ୍କା କାଟି ନିଆଯାଇଥିଲା। ଏହାର ପ୍ରତିବାଦ କରି ସେ ଭୁବନେଶ୍ୱର ଶାଖାରେ ଅଭିଯୋଗ କରିଥିଲେ। କୌଣସି ସୁଫଳ ମିଳିନଥିବାରୁ ଆଲୋକ ନୟାଗଡ଼ ଉପଭୋକ୍ତାଙ୍କ ଅଦାଲତର ଦ୍ୱାରସ୍ଥ ହୋଇଥିଲେ।

Advertisment

ଏହାର ବିଚାର କରି ଗ୍ରାହକଙ୍କୁ ମାନସିକ ନିର୍ଯାତନା ଦେଇଥିବାରୁ ୩୫ ହଜାର ଟଙ୍କା ଏବଂ ମାମଲା ଖର୍ଚ୍ଚ ବାବଦରେ ୫ ହଜାର ଟଙ୍କା ମିଶାଇ ମୋଟ ୪୦ ହଜାର ଟଙ୍କା ୨ ମାସ ମଧ୍ୟରେ କ୍ଷତିପୂରଣ ଦେବାକୁ ଉକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚଳିତ ମାସ ମାର୍ଚ୍ଚ୨ ତାରିଖରେ ନିର୍ଦ୍ଦେଶ ହୋଇଛି। ଯାହାକୁ ନେଇ ଆଲୋକ ସନ୍ତୋଷ ପ୍ରକାଶ କରିବା ସହ ଘରୋଇ ବ୍ୟାଙ୍କର ଏଭଳି ମନୋମୁଖୀ କାରବାରର ଶିକାର ହେଉଥିବା ଲୋକଙ୍କୁ ଆଇନର ଆଶ୍ରୟ ନେବାକୁ କହିଛନ୍ତି।

ରିପୋର୍ଟ- ନୟାଗଡ଼ାରୁ ଜୟେନ୍ଦ୍ର ବେହେରା

Banking System Bank Loot