Advertisment

୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଜିଲ୍ଲାପାଳ! ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରୁଜୁ ହେଲା ମାମଲା

ଜିଲ୍ଲାପାଳ ଲାଞ୍ଚ ମାଗିବା ନେଇ ସୁଶାନ୍ତ କୁମାର ବରାଡ଼ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର କିଛି ସୁଫଳ ମିଳିନଥିଲେ। ପରେ ସେ ନୟାଗଡ଼ ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Rabindra Nath Sahu

Rabindra Nath Sahu

ନୟାଗଡ଼ ଜିଲ୍ଲାପାଳ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଖଣି ଲିଜ୍‌ଧାରୀ ଏନେଇ ଅଭିଯୋଗ କରିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାନ୍ଦପୁର ଥାନା ପୁଲିସ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଏପରି ଅଭିଯୋଗକୁ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି।

Advertisment

ଅଭିଯୋଗରୁ ପ୍ରକାଶ, ଜାନୁଆରୀ ୨୬ ତାରିଖରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ମାନ୍ଧାତା ମୟୂରଝାଲିଆ ମାଙ୍କଡା ପଥର ଖଣି ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ତାଙ୍କ ସହିତ ବଜ୍ରକୋଟ ଗାଁର ଦିଲ୍ଲୀପ କୁମାର ସାମନ୍ତରାୟ, ଓସ୍ତାପଡ଼ାର ଦୀପକ କୁମାର ରାଉତରାୟ ଓ ଚମ୍ପାଗଡ଼ ଗ୍ରାମର ଗଣେଶ୍ଵର ମାନ୍ଧାତା ଯାଇଥିଲେ। ସେହି ସମୟରେ ଖଣି ଲିଜଧାରୀ ସୁଶାନ୍ତ କୁମାର ବରାଡ଼ଙ୍କୁ ଜିଲ୍ଲାପାଳ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।

ଜିଲ୍ଲାପାଳ ଲାଞ୍ଚ ମାଗିବା ନେଇ ସୁଶାନ୍ତ କୁମାର ବରାଡ଼ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର କିଛି ସୁଫଳ ମିଳିନଥିଲା। ପରେ ସେ ନୟାଗଡ଼ ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଅଭିଯୋଗକୁ ଗୁରୁତର ସହ ନେଇ ମାମଲା ରୁଜୁ କରି ତଦନ୍ତ କରିବାକୁ ଚାନ୍ଦପୁର ଥାନା ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏବେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ଚାନ୍ଦପୁର ଥାନା ଅଧିକାରୀ ମୁକେଶ ବେହେରା କହିଛନ୍ତି, ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଛି। ପ୍ରଥମେ ଅଭିଯୋଗକାରୀଙ୍କୁ ପଚରାଯିବ। ପରେ ଅନ୍ୟମାନଙ୍କୁ ପଚରାଉଚରା କରାଯିବ। ଏଥିସହ ଖଣିର ଲିଜ୍‌ ସମ୍ପର୍କରେ ତହସିଲଦାରଙ୍କୁ ପଚରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।

ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ। ସେ କହିଛନ୍ତି, ବେଆଇନ୍‌ ଭାବେ ଖଣି ଖନନ କରାଯାଉଥିଲା। ଏହାର ଯୁଗ୍ମ ତଦନ୍ତ କରାଯାଇ ୨ କୋଟି ୮୧ ଲକ୍ଷ ଟଙ୍କା ଫାଇନ୍‌ କରାଯାଇଥିଲା। ସେହି ଫାଇନ୍‌କୁ ଡାଇଭର୍ଟ କରିବା ପାଇଁ ଏପରି ମିଛ ଅଭିଯୋଗ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାପାଳ ଆହୁରି କହିଛନ୍ତି, ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଯୋଗଦେଇଥିଲି। ଅପରାହ୍ନରେ ଅଫିସ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲି। ତାହାଛଡ଼ା ଖଣି ଅଞ୍ଚଳର କେଉଁଠି ମୁଁ ଜାଣିନାହିଁ। ଏପରିକି ଅଭିଯୋଗ କରିଥିବା ଲୋକ କିଏ ଜାଣିନାହିଁ ବୋଲି ସେ କହିଛନ୍ତି।

ସୂଚନାରୁ ପ୍ରକାଶ, ପୂର୍ବରୁ ମୟୂରଝାଲିଆ ମାଙ୍କଡା ପଥର ଖଣି ଲିଜ ବାତିଲ ଓ ଖଣି ବନ୍ଦ ପାଇଁ ଦିଲ୍ଲୀପ କୁମାର ସାମନ୍ତରାୟ ଏବଂ ଦୀପକ କୁମାର ରାଉତରାୟ NGTର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି।

ରିପୋର୍ଟ-ନୟାଗଡ଼ରୁ ଜୟେନ୍ଦ୍ର ବେହେରା

Odisha Nayagarh