Advertisment

ଫେରାର ଅଭିଯୁକ୍ତଙ୍କ ଘର ସିଲ୍‌ କରିବାକୁ ପହଞ୍ଚିଲା ପୁଲିସ୍‌, ବାହାରିଲା ଲକ୍ଷାଧିକ ଟଙ୍କାର ଚୋରା କାଠ

ଫେରାର ହତ୍ୟା ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବାକୁ ଯାଇଥିବା ପୁଲିସ୍‌କୁ ଲାଗିଲା ଝଟକା। ଫେରାର ଅଭିଯୁକ୍ତଙ୍କ ଘରୁ ବାହାରିଲା ଲକ୍ଷାଧିକ ଟଙ୍କାର ଚୋରା କାଠ ।

author-image
Niharika Rout
Seized Wood

Seized Wood

ଫେରାର ହତ୍ୟା ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବାକୁ ଯାଇଥିବା ପୁଲିସ୍‌କୁ ଲାଗିଲା ଝଟକା। ଫେରାର ଅଭିଯୁକ୍ତଙ୍କ ଘରୁ ବାହାରିଲା ଲକ୍ଷାଧିକ ଟଙ୍କାର ଚୋରା କାଠ । ଏହି ଅଭିଯୋଗରେ ପୁଲିସ୍‌ ଫେରାର ଅଭିଯୁକ୍ତଙ୍କ ବାପାଙ୍କୁ ବାନ୍ଧିଛି। ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଲକ୍ଷ୍ମୀନାରାୟଣପୁରରେ ଘଟିଛି।

Advertisment

୨୦୨୦ ମସିହା ମେ ୨୬ ତାରିଖରେ ପାଟପୁର ଥାନା ଶୁଲିଆ ପାହାଡରେ ହିଞ୍ଜିଳି ବଇଞ୍ଚବଣିଆ ଗ୍ରାମର ବିଭୁ ପ୍ରସାଦ ଦାସଙ୍କୁ ଆପହରଣ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯକ୍ତ ନିରଞ୍ଜନ ମଣ୍ଡଳ ଦୀର୍ଘ ୩ ବର୍ଷ ହେଲା ଫେରାର ଅଛନ୍ତି । ପୁଲିସ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ସୂଚନା ପାଇ ପାରୁନାହିଁ।

ପାଟପୁର ଗ୍ରାମ୍ୟ ନ୍ୟାୟାଳୟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଅଭିଯୁକ୍ତ ନିରଞ୍ଜନ ମଣ୍ଡଳଙ୍କୁ ପଳାତକ ଘୋଷଣା ସହ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନୋଟିସ ଜାରି କରାଯାଇଥିଲା।

Advertisment

ଗତକାଲି ପାଟପୁର ପୁଲିସ୍‌ ନିରଞ୍ଜନଙ୍କ ଘର ସିଲ୍‌ କରିବାକୁ ପହଞ୍ଚିଥିଲା। ଉକ୍ତ ସମୟରେ ଯାଞ୍ଚ ବେଳେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର କାଠ ବାହାରିଥିଲା । ପୁଲିସ୍‌ ନିରଞ୍ଜନଙ୍କ ଘରୁ ବିପୁଳ ପରିମାଣର କାଠ ସହ, ଏକ ଟ୍ରାକ୍ଟର ଓ ଏକ ପାୱାର ଟିଲର ବି ଜବତ କରିଛି। ଲକ୍ଷାଧିକ ଟଙ୍କା ବିଭିନ୍ନ ମୂଲ୍ୟବାନ କାଠ ଚୋରାରେ ଆଣି ବିକ୍ରି କରୁଥିବା ଅଭିଯୋଗରେ ପୁଲିସ ନିରଞ୍ଜନଙ୍କ ବାପା ସାନଲିମା ମଣ୍ଡଳଙ୍କୁ ଗିରଫ କରିଛି।

ସାନଖେମୁଣ୍ଡି ତହସିଲଦାର୍ ତଥା ମାଜିଷ୍ଟ୍ରେଟ ଡ. ଶ୍ରୀନିବାସ ବେହେରା, ଆସିକା ଏସଡିପିଓ ଉମା ଶଙ୍କର ସିଂ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଉପସ୍ଥିତିରେ ନିରଞ୍ଜନଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି ହୋଇଛି। ଏହି ମାମଲାରେ ଏଯାଏ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ନିରଞ୍ଜନ ମଣ୍ଡଳ ଫେରାର ଅଛନ୍ତି।

Odisha Police Nayagarh Property Seized