Ranpur Mayurjhalia illegal mining
ନୟାଗଡ଼ ଜିଲ୍ଲା ରଣପୁର ମୟୁରଝାଲିଆ ବେଆଇନ ମାଙ୍କଡ଼ା ଖଣି ମାମଲାରେ ୬ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କଲେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ। ଆଜି ଏହି ପଦକ୍ଷେପ ନିଆଯାଇଛି।
ମୟୂରଝାଲିଆରେ ଥିବା ମାଙ୍କଡା ଖଣିରେ ବେଆଇନ ଖନନ, ପରିବେଷଣ ପ୍ରଦୂଷଣ ଏବଂ ମାତ୍ରାଧିକ ଖଣି ଖନନ ନେଇ ଏନ୍ଜିଟିରେ ଅଭିଯୋଗ ହୋଇଥିଲା। ଏହା ଶୁଣାଣି କରି ଏନ୍ଜିଟି ଏଥିରେ ସମ୍ପୃକ୍ତ ୯ ଜଣ ସରକାରୀ ଅଧିକାରୀ ଏବଂ ୨ ଲିଜଧାରୀଙ୍କ ବିରୋଧରେ ଆଇନଗତ ବା ଫୌଜଦାରୀ ମକଦ୍ଦମା କରିବା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏ ନେଇ ପ୍ରଶାସନ ପକ୍ଷରୁ ଚାନ୍ଦପୁର ଥାନାରେ ଏତଲା ହୋଇଥିଲା। ହେଲେ ପୁଲିସ ଏହି ଅଧିକାରୀ କିମ୍ବା ଲିଜଧାରୀଙ୍କୁ ଗିରଫ କରି ନ ଥିଲା। ଏନ୍ଜିଟିଙ୍କ ନିର୍ଦ୍ଦେଶ ଜାଣିବା ପରେ ଏହି ସରକାରୀ ବାବୁମାନେ ଛୁଟି ନେଇ ଫେରାର ହୋଇଯାଇଥିଲେ। କୋର୍ଟରୁ ବେଲ୍ ନିର୍ଦ୍ଦେଶନାମା ବାହାର କରି ଗତକାଲି ଚାକିରିରେ ଯୋଗଦେବାକୁ ପହଞ୍ଚିଥିଲେ। ହେଲେ ସେମାନେ ସରକାରୀ ତଥ୍ୟ ଓ ଦାୟିତ୍ୱକୁ ଅପବ୍ୟବହାର କରିବା ଆଶଙ୍କା କରି ଆଜି ନୟାଗଡ଼ ଜିଲ୍ଲାପାଳ ୬ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ।
ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ୨ଜଣ ଆରଆଇ, ୨ଜଣ ସେକ୍ସନ ଅଫିସର, ଜଣେ ସୁପରଭାଇଜର ଏବଂ ଜଣେ କନିଷ୍ଠ ରାଜସ୍ୱ ସହାୟକ ଥିବା ସୂଚନା ମିଳିଛି।
ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ କହିଛନ୍ତି, ଏହି ମାମଲାରେ ସମ୍ପୃକ୍ତ ସରକାରୀ କର୍ମଚାରୀମାନେ ଆଡଭାନ୍ସ ବେଲ ଆଣି ଚାକିରିରେ ଯୋଗଦେବାକୁ ଆସିଥିଲେ ହେଁ ଏହା କରାଇ ଦିଆଯାଇନାହିଁ। ରେକର୍ଡ ମାନ୍ୟୁପଲେସନ କରିବାର ଆଶଙ୍କା ଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ଲେଖାଯିବ। ଏହି ମାମଲାରେ ସବୁ ତଥ୍ୟ ଦିଆସାରିଥିବାରୁ ଗିରଫଦାରୀ ଦାୟିତ୍ୱ ପୁଲିସର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
