/odisha-reporter/media/post_attachments/uploadimage/library/16_9/16_9_0/Accident_1688626679.jpg)
Accident
ଭୁବନେଶ୍ୱରର ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳର ଏକ ଘରୋଇ ସ୍କୁଲର ୨ ଜଣ ଛାତ୍ର ଗତ ମଙ୍ଗଳବାର ଦିନ ନିଖୋଜ ହୋଇଯାଇଥିବା ବେଳେ ଗତକାଲି ଟିଟିଲାଗଡ଼ରୁ ସେମାନଙ୍କୁ ଉଦ୍ଧାର କରିଥିଲା ପୁଲିସ୍। ସେମାନଙ୍କୁ ଟିଟାଲଗଡ଼ରୁ କାର୍ ଯୋଗେ ଭୁବନେଶ୍ୱର ଅଣାଯାଉଥିବା ବେଳେ କାରଟି ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ଏହି ଦୁର୍ଘଟଣାରେ କେହି ଗୁରୁତର ହୋଇନଥିବା ଜଣାଯାଇଛି।
ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବା ଛାତ୍ର ଦ୍ୱୟ ହେଲେ ସୋନୁ କୁମାର ଓ ପୃଥ୍ୱୀରାଜ ପ୍ରଧାନ। ସେମାନେ ଅଷ୍ଟମ ଶ୍ରେଣୀର ଛାତ୍ର। ସେମାନେ ଗତ ମଙ୍ଗଳବାରଠୁ ନିଖୋଜ ଥିବା ବେଳେ ଏନେଇ ଗତକାଲି ତନାଘନା ହୋଇଥିଲା। ଉଭୟ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ବହୁ ଖୋଜାଖୋଜି ପରେ ୮ ଜଣ ମୁଖାପିନ୍ଧା ଲୋକେ ଅପହରଣ କରି ଉଭୟଙ୍କୁ ଟ୍ରକରେ ଟିଟିଲାଗଡ଼ ନେଇ ଯାଇଥିବା ପୁଲିସ୍ ସୂଚନା ପାଇଥିଲା।
ଏହାପରେ ଚନ୍ଦକା ପୁଲିସ୍ ଟିଟିଲାଗଡ଼ରେ ପହଞ୍ଚ ଉଭୟଙ୍କୁ ଉଦ୍ଧାର କରିଥିଲା। ଏହାପରେ ଗତ ରାତିରେ ଟିଟିଲାଗଡ଼ରୁ ସେମାନଙ୍କୁ ଏକ ଭଡ଼ା ଗାଡ଼ି ଯୋଗେ ଭୁବନେଶ୍ୱର ଅଣାଯାଉଥିଲା। କାର୍ଟି ଆଜି ନୟାଗଡ଼ର ବାଣିଗୋଛା ନିକଟରେ ଅତିକ୍ରମ କରୁଥିବା ବେଳେ ତାହାର ଆଗ ଚକା ଫାଟି ଯାଇଥିଲା। ଫଳରେ ଗାଡ଼ିଟି ସାମନା ପଟୁ ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ କାର୍ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପିଲାଙ୍କୁ ନେଇ ଭୁବନେଶ୍ୱର ଆସୁଥିବା କାର୍ଟି ଓଲଟି ପଡ଼ିଥିଲା। ମାତ୍ର ଉଭୟ କାର୍ର କେହି ଗୁରୁତର ହୋଇ ନ ଥିବା ଜଣାଯାଇଛି।
ବାଣିଗୋଛା ପୁଲିସ୍ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଅନ୍ୟ ଏକ ଗାଡ଼ିରେ ଚନ୍ଦକା ପୁଲିସ୍ ଟିମ୍ ସହ ପିଲାଦ୍ୱୟଙ୍କୁ ଭୁବନେଶ୍ୱର ଅଭିମୁଖେ ପଠାଯାଇଥିଲା। ଏହି ଘଟଣାରେ ଗିରଫଦାରୀ ନେଇ କିଛି ସୂଚନା ମିଳିପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
