Advertisment

ଆଜି ବିଶ୍ୱ ଛେନାପୋଡ଼ ଦିବସ, ଜିଆଇ ମାନ୍ୟତା ପାଇଁ ଉଠିଲା ଦାବି

ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରାଯାଉଛି। ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଛେନାପୋଡ କେକ୍ କାଟି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Chhenapoda

Chhenapoda

Advertisment

ଆଜି ବିଶ୍ୱ ଛେନାପୋଡ଼ ଦିବସ । ଏପ୍ରିଲ ୧୧ ତାରିଖରେ ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ନିମନ୍ତେ ଆଜିର ଦିନକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି। ଗତବର୍ଷଠୁ ବିଶ୍ୱ ଛେନାପୋଡ ଦିବସ ପାଳନ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ବ୍ୟାପକ ଭାବେ ଏହି ଦିବସକୁ ପାଳନ କରାଯାଉଛି । ସରକାରୀ ଭାବରେ ଏହାକୁ ପାଳନ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଛି । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଛେନାପୋଡ କେକ୍ କାଟି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଛେନାପୋଡ଼କୁ ବିଶ୍ୱ ଦରବାରରେ ପରିଚିତ କରିବା ସହ ଏହାର ପ୍ରଚାର ପ୍ରସାର ନିମନ୍ତେ ଅଣ୍ଟା ଭିଡ଼ିଛି ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ। ଏଥିନିମନ୍ତେ ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରାଯାଉଛି। ଏଥିସହ ଛେନାପୋଡ଼କୁ କିପରି ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବ ସେଥିନିମନ୍ତେ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।

ଛେନାପୋଡ଼ ଉଦ୍ଭାବନ ସମ୍ପର୍କରେ ସୁଦର୍ଶନ ସାହୁଙ୍କ ପୁଅ କହିଛନ୍ତି, ୧୯୩୧ ଏପ୍ରିଲ ୧୧ରେ ଦଶପଲ୍ଲା ଅଞ୍ଚଳର ସାତପାଟଣାରେ ମୋ’ ବାପା ସୁଦର୍ଶନ ସାହୁ ଜନ୍ମ ଗ୍ରହଣ କରିଥିଲେ। ସେ ମାଇନର ଯାଏ ପଢ଼ିଥିଲେ। ମୋ’ ଜେଜେ ବିଦ୍ୟାଧର ସାହୁଙ୍କର ଏକ ଜଳଖିଆ ଦୋକାନ ଥିବା ବେଳେ ସେଠାରେ ବାପା କାମ କରୁଥିଲେ । କିଛି କିଛି ମିଠା ବଳି ପଡ଼ିବାରୁ ସେ ସେଥିରେ ଥରେ ସୁଜି, ଚାଉଳଚୁନା ମିଶାଇ ପୋଡ଼ିଲେ। ତାହା ଟାଣ ହେବା ସହ ବେଶି ସ୍ୱାଦିଷ୍ଟ ହେଲାନି। ଏହାକୁ ସେ ନିଜ ଜେଜେଙ୍କୁ ଦେଖାଇଥିଲେ ଓ କିପରି ତାହା ସ୍ୱାଦିଷ୍ଟ ହୋଇପାରିବ ବୋଲି ପଚାରିଥିଲେ।

Advertisment

ଏହାପରେ ଜେଜେ ସେଥିରେ ସୁଜି, ଘିଅ ଆଦି ମିଶାଇ ପୋଡ଼ିଲେ। ଧୀରେ ଧୀରେ ତାହାର ସ୍ୱାଦ ବଢ଼ିବାରେ ଲାଗିଲା। ଯିଏ ଖାଇଲା, ସିଏ ତାହାର ଶଂସା କଲା। ଏହାପରେ ଜେଜେ ନୟାଗଡ଼ ଯାଇ ବେପାର ଆରମ୍ଭ କରିବାକୁ ବାପାଙ୍କୁ ପରାମର୍ଶ ଦେଲେ। ଏହାପରେ ଦଶପଲ୍ଲାରୁ ନୟାଗଡ଼ ପଳାଇ ଆସି ବାପା କଚେରୀ ବଜାରରେ ଏକ ମିଠା ଦୋକାନ କରି ଛେନାପୋଡ଼ର ପ୍ରଚାର ପ୍ରସାର ଆରମ୍ଭ କଲେ ।

ଜବାହାରଲାଲ ନେହେରୁ, ବିଜୁ ପଟ୍ଟନାୟକଙ୍କ ପରି ରାଜନେତା ବି ବାପାଙ୍କ ହାତ ତିଆରି ଛେନାପୋଡ଼ ଖାଇ ତାହାର ପ୍ରଶଂସା କରିଥିବା ତାଙ୍କ ପୁଅ କହିଛନ୍ତି। ଏବେ ଏହାକୁ ରାଜ୍ୟ ବାହାରକୁ ତଥା ଦେଶ ବାହାରକୁ ବି ପଠାଯାଉଛି। ଛେନାପୋଡ଼ ଏବେ ରାଷ୍ଟ୍ରପତି ଭବନର ପ୍ରଧାନ ବ୍ୟଞ୍ଜନ ଭାବେ ପରିଗଣିତ ହେଉଛି। କ୍ରିକେଟ ଖେଳାଳି ବି ଓଡ଼ିଶା ଆସିଲେ ପ୍ରଥମେ ଏହାକୁ ଖୋଜୁଛନ୍ତି। ଜନ୍ମଦିନରେ, ବିବାହ ବାର୍ଷିକୀରେ ଲୋକେ ଏବେ ଛେନାପୋଡ଼ କାଟୁଛନ୍ତି। ତେଣୁ ଏହାର ଲୋକପ୍ରିୟତା ଅସମ୍ଭବ ଭାବେ ବଢ଼ୁଥିବାରୁ ଏହାକୁ ଜିଆଇ ଟ୍ୟାଗ ଦେବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛୁ।

ଛେନାପୋଡ଼ ନୟାଗଡ଼ର ଅନ୍ୟତମ ପରିଚୟ। ଏହାକୁ ଜିଆଇ ଟ୍ୟାଗ ଦେବା ନିମନ୍ତେ ଚେନ୍ନାଇସ୍ଥିତ ସଂସ୍ଥାକୁ ମାର୍ଚ୍ଚ ୨୦ରେ ପଠାଯାଇଛି ବୋଲି କହିଛନ୍ତି ନୟାଗଡ଼ ଜିଲ୍ଲାପାଳ ।

ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ ସଦସ୍ୟ ଚିନ୍ମୟ କୁମାର ସାହୁ କହିଛନ୍ତି, ନୟାଗଡ଼ର ଗର୍ବ ଓ ଗୌରବ ଛେନାପୋଡ଼କୁ ବିଶ୍ୱ ଦରବାରରେ ପରିଚିତ କରିବାକୁ ଗତବର୍ଷଠୁ ପ୍ରୟାସ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହାକୁ ଖୁବ୍‌ ଧୁମଧାମରେ ପାଳିତ କରୁଛି। ଛେନାପୋଡ଼କୁ ଜିଆଇ ଟ୍ୟାଗ ଦେବା ନିମନ୍ତେ ଆମେ ଆପ୍ରାଣ ଉଦ୍ୟମ ଚଳାଇଛି। ଏଥିନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛୁ।  ନୟାଗଡ଼ବାସୀ ଏଥିପାଇଁ ଖୁବ୍‌ ଆଗ୍ରହୀ ।

Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe