Advertisment

‘ଆମେ ଗରିବ ଲୋକ, ଲାଞ୍ଚ ଦେବା ପାଇଁ ୩୦ରୁ ୪୦ ହଜାର ଟଙ୍କା କେଉଁଠୁ ପାଇବୁ’

ନମିତାଙ୍କ କହିବା ଅନୁସାରେ ବହୁଦିନ ତଳେ ତାଙ୍କ ଶ୍ୱଶୂରଙ୍କୁ ଇନ୍ଦିରା ଆବାସ ଯୋଜନାରେ ଗୋଟିଏ ଘର ମିଳିଥିଲା। ସେତେବେଳେ ତାଙ୍କୁ ଲାଞ୍ଚ ମଗା ଯାଇଥିଲା। ପାଖରେ ଆଠଣୀଟେ ନଥିବାରୁ ଲାଞ୍ଚ ଦେଇପାରିନଥିଲେ। ଯେଉଁଥିପାଇଁ ତାଙ୍କୁ ଇନ୍ଦିଆବାସ ଯୋଜନାରେ ଘର ମିଳିନଥିଲା

Daspalla

Daspalla

Advertisment

ଆମେ ଗରିବ ଲୋକ। ଲାଞ୍ଚ ଦେବା ପାଇଁ ୩୦ରୁ ୪୦ ହଜାର ଟଙ୍କା କେଉଁଠୁ ପାଇବୁ? ତେଣୁ ଘର ପାଉନାହୁଁ। ଆଜି ଏପରି ଅସହାୟତା ପ୍ରକାଶ କରିଛନ୍ତି ନମିତା ମୁଦୁଲି। ତାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଛି। ହେଲେ ଲାଞ୍ଚ ଦେଇପାରୁନଥିବାରୁ ଘର ପାଉନାହାନ୍ତି। କେବଳ ନମିତା ନୁହେଁ, ପୂର୍ବରୁ ତାଙ୍କ ଶ୍ୱଶୂର, ଶାଶୁ ଓ ନିଜ ନାଁରେ ମଧ୍ୟ ଘର ଆସିଥିଲା। ସେତେବେଳେ ସେମାନେ ଲାଞ୍ଚ ଟଙ୍କା ଦେଇପାରିନଥିବାରୁ ଘର ପାଇନଥିବା ନମିତା ଅଭିଯୋଗ କରିଛନ୍ତି।

Advertisment

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଡିହଗାଁ ପଞ୍ଚାୟତ ମଧୁପୁର ଗାଁରେ ବାସ କରନ୍ତି ନମିତା ମୁଦୁଲି। ସ୍ୱାମୀ ପ୍ରକାଶ ମୁଦୁଲି, ଶାଶୁ ଓ ତିନି ପୁଅଝିଅଙ୍କୁ ନେଇ ପରିବାର। ଜମିବାଡ଼ି କିଛି ନଥିବାରୁ ନମିତାଙ୍କ ସ୍ୱାମୀ ଦିନ ମଜୁରିଆ ଭାବେ କାମ କରନ୍ତି। ସେଥିରେ ଯାହା ରୋଜଗାର କରୁଛନ୍ତି, ସେଥିରେ କଷ୍ଟେମଷ୍ଟେ ଚଳନ୍ତି ପୂରା ପରିବାର। ପଲିଥିନ୍‌ ତଳେ ଦୁଇ ବଖରା ମାଟି ତଳେ ପୂରା ପରିବାର ରହୁଛନ୍ତି। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଏହି ଦୁଃଖୀ ପରିବାରକୁ ମିଳିପାରିନି ଆବାସ ଯୋଜନାରେ ଘର ଖଣ୍ଡିଏ।

ନମିତାଙ୍କ କହିବା ଅନୁସାରେ ବହୁଦିନ ତଳେ ତାଙ୍କ ଶ୍ୱଶୂରଙ୍କୁ ଇନ୍ଦିରା ଆବାସ ଯୋଜନାରେ ଗୋଟିଏ ଘର ମିଳିଥିଲା। ସେତେବେଳେ ତାଙ୍କୁ ଲାଞ୍ଚ ମଗା ଯାଇଥିଲା। ପାଖରେ ଆଠଣୀଟେ ନଥିବାରୁ ଲାଞ୍ଚ ଦେଇପାରିନଥିଲେ। ଯେଉଁଥିପାଇଁ ତାଙ୍କୁ ଇନ୍ଦିଆବାସ ଯୋଜନାରେ ଘର ମିଳିନଥିଲା। ଶ୍ୱଶୂରଙ୍କ ଦେହାନ୍ତ ପରେ ଶାଶୁଙ୍କୁ ମଧ୍ୟ ଇନ୍ଦିରାବାସ ଯୋଜନାରେ ଘର ଖଣ୍ଡିଏ ମିଳିଥିଲା। ଲାଞ୍ଚ ମଗାଯାଇଥିବାରୁ ଘର ମିଳିନଥିଲା ବୋଲି ନମିତା କହିଛନ୍ତି।

Advertisment

୨୦୨୦-୨୧ ଆର୍ଥିକ ବର୍ଷରେ ନମିତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିଲା। ହେଲେ ୩୦ ହଜାର ଟଙ୍କା ଲାଞ୍ଚ ଦେଇନପାରିବାରୁ ୱାର୍କ ଅଡର ପାଇନଥିଲେ। ଯେଉଁଥିପାଇଁ ତାଲିକାରୁ ତାଙ୍କ ନାଁ କଟି ଦିଆଯାଇଥିଲା। ଏବେ ପୁଣି ଥରେ ତାଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର। ହେଲେ ମିଳିବ କି ନାହିଁ ସେ ସନ୍ଦେହରେ ଅଛନ୍ତି। କାରଣ ଗାଁର କୁଜି ନେତାମାନେ କହୁଛନ୍ତି ୩୦ ହଜାର ଟଙ୍କା ଦିଅ, ଘର ନଅ। ନହେଲେ ତାଲିକାରୁ ତୁମ ନାଁ କଟାଯିବ। କୁନି ନେତାଙ୍କଠାରୁ ଏପରି କଥା ଶୁଣିବା ପାଇଁ ନମିତାଙ୍କ ଅକଲ୍‌ ଗୁଡୁମ୍‌ ହୋଇଗଲାଣି। ସ୍ୱାମୀଙ୍କ ସ୍ୱଳ୍ପ ରୋଜଗାରରେ କୁଟୁମ୍ୱ ଚଳାଇବା କଷ୍ଟକର ହେଉଛି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଲାଞ୍ଚ କେମିତି ଦେବେ ବୋଲି ନମିତା ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ଡିହଗାଁ ସରପଞ୍ଚ ବରୁଣ ପାତ୍ର କହିଛନ୍ତି, ଖୁବ୍‌ ଶୀଘ୍ର ଆବାସ ଯୋଗାଇ ଦିଆଯିବ। କାହାରିକୁ ଟଙ୍କା ଟିଏ ଲାଞ୍ଚ ଦିଆଯିବ ନାହିଁ। ଯିଏ ଲାଞ୍ଚ ମାଗୁଛି ତା’ର ତଦନ୍ତ କରିବି ବୋଲି ସେ କହିଛନ୍ତି।

ରିପୋର୍ଟ-ଦଶପଲ୍ଲାରୁ ସଞ୍ଜୀବ ସାହୁ

Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe