
ବିଭିନ୍ନ ବିବାଦ ଓ ଅଭିଯୋଗରେ ଛନ୍ଦି ହୋଇଥିବା ରାଜ୍ୟ ପ୍ରଶାସନିକ ସେବାର ଅଫିସରମାନଙ୍କ ବିରୁଦ୍ଧରେ ଚାଲିଥିବା ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) କନିଷ୍ଠ ବର୍ଗ ଓ ଓଡ଼ିଶା ରାଜସ୍ୱ ସେବା(ଓଆରଏସ)ର ଅଫିସରମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବୟେକା ଥିବା ତଦନ୍ତ ରିପୋର୍ଟକୁ ଶୀଘ୍ର ଦାଖଲ କରିବାକୁ ତଦନ୍ତକାରୀ ଅଫିସରମାନଙ୍କୁ ତାଗିଦ୍ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଅରବିନ୍ଦ ପାଢ଼ୀ।
ଚଳିତମାସ ୩୧ତାରିଖ ସୁଦ୍ଧା ସମସ୍ତ ବକେୟା ତଦନ୍ତ ରିପୋର୍ଟ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ତଦନ୍ତକାରୀ ଅଫିସର ଏହି କାର୍ଯ୍ୟରେ ଅବହେଳା କରନ୍ତି ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପାଢ଼ୀ ସତର୍କ କରାଇ ଦେଇଛନ୍ତି। ଏନେଇ ସେ ସମସ୍ତ ଅତିରିକ୍ତ ଜିଲ୍ଲାପାଳ, ପୁରୀ, ସମ୍ବଲପୁର,ସୋନପୁର, କନ୍ଧମାଳନ ଜିଲ୍ଲାର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, କଟକ ଓ ସମ୍ବଲପୁର ଆରଡିସିଙ୍କ ସଚିବଙ୍କୁ ନିକଟକୁ ଚିଠି ଲେଖିଛନ୍ତି।
ଶ୍ରୀ ପାଢ଼ୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ତଦନ୍ତକାରୀ ଅଫିସର ନିଯୁକ୍ତି ତାରିଖରୁ ୯୦ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ବକେୟା ଥିବା ମାମଲା ନିମନ୍ତେ ସମ୍ପୃକ୍ତ ଅଫିସରମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରେ ଅନାବଶ୍ୟକ ବିଳମ୍ବ ହେଉଛି। ତେଣୁ ସମସ୍ତ ବକେୟା ମାମଲାକୁ ପ୍ରାଥମିକତା ଆଧାରରେ ତଦନ୍ତ କରି ଚଳିତମାସ ୩୧ତାରିଖ ପୂର୍ବରୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।
କେବଳ ସେତିକି ନୁହେଁ, ଯଦି ତଦନ୍ତକାରୀ ଅଫିସର ଏଦିଗରେ ଅବହେଳା କିମ୍ବା ଖିଲାପ କରନ୍ତି ତା’ହେଲେ Odisha ସରକାରଙ୍କ ଦୃଷ୍ଟିଗୋଚର କରି ସେହି ତଦନ୍ତକାରୀ ଅଫିସରଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି। ଜିଲ୍ଲାପାଳମାନେ ଏହି ମାମଲାଗୁଡ଼ିକର ନିୟମିତ ସମୀକ୍ଷା କରି ସରକାରଙ୍କ ନିର୍ଦ୍ଦେଶ ପାଳନକୁ ସୁନିଶ୍ଚିତ କରିବା ନିମନ୍ତେ ଶ୍ରୀ ପାଢ଼ୀ ପରାମର୍ଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
