Advertisment

୨୨ରେ ଫେରିବେ ରାଜ୍ୟପାଳ, ବିଳମ୍ବ ହୋଇପାରେ ମନ୍ତ୍ରୀଙ୍କ ଶପଥ ଉତ୍ସବ

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗତକାଲି ଅର୍ଥାତ୍ ମେ’ ୧୧ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଛୁଟିରେ ନିଜ ଗୃହ ରାଜ୍ୟ ହରିୟାଣା ଯାଇଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ସମାରୋହରେ ବିଳମ୍ବ ହୋଇପାରେ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Odisha

Odisha

Advertisment

ରାଜ୍ୟ ମନ୍ତ୍ରିମଣ୍ଡଳରୁ ଦୁଇଜଣ ବିବାଦୀୟ ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିବା ଓ  ଦିନେ-ଦୁଇଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି । ମାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗତକାଲି ଅର୍ଥାତ୍ ମେ’ ୧୧ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଛୁଟିରେ ନିଜ ଗୃହ ରାଜ୍ୟ ହରିୟାଣା ଯାଇଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ସମାରୋହରେ ବିଳମ୍ବ ହୋଇପାରେ ବୋଲି ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ, ନିଯୁକ୍ତି ଓ ଇଏସଆଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଆଜି ସକାଳେ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଉଭୟ ନିଜ ନିଜର ଇସ୍ତଫା ପତ୍ର ଅପରାହ୍ନ ୨ଟା ସୁଦ୍ଧା ପଠାଇଥିବାବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି।

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ସମୀର ଦାଶଙ୍କ ବିବାଦୀୟ ଭୂମିକା ଏବଂ ଜଣେ ବିଜେଡି ନେତ୍ରୀଙ୍କ ଦ୍ୱାରା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ମାମଲା ଆସିଥିବାରୁ ଉଭୟଙ୍କୁ ମନ୍ତ୍ରୀପଦରୁ ବାଦ୍ ଦିଆଯାଇଛି । ଝାରସୁଗୁଡ଼ା ଉପନିର୍ବାଚନ ସରିବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ଚର୍ଚ୍ଚା ଆଗରୁ ହେଉଥିଲା । ପୂର୍ବରୁ ନବ ଦାସଙ୍କ ହତ୍ୟା ଯୋଗୁ ମନ୍ତ୍ରିମଣ୍ଡଳରେ ଗୋଟିଏ ପଦବୀ ଖାଲି ରହିଥିବାବେଳେ ଏହି ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ମୋଟ ୩ଟି ମନ୍ତ୍ରୀ ପଦ ଖାଲି ହୋଇଛି ।

Advertisment

ଗଞ୍ଜାମ ଜିଲ୍ଲାର ରାଜନୀତିକ ସମୀକରଣକୁ ଦୃଷ୍ଟିରେ ରଖି ଶ୍ରୀକାନ୍ତ ସାହୁଙ୍କ ସ୍ଥାନରେ ଶ୍ରୀ ଆରୁଖଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯିବାର ଯଥେଷ୍ଟ ସମ୍ଭାବନା ଥିବାବେଳେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ରାଉକେଲା ବିଧାୟକ ସାରଦା ନାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଝାରସୁଗୁଡ଼ା ନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବାର ଥିବାରୁ ନବଙ୍କ ଝିଅ ଦୀପାଳି ଦାସଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ସେହିପରି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ବାଚସ୍ପତି ଦାୟିତ୍ୱ ମିଳିବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ଶେଷ କରି ଆସନ୍ତାକାଲି ଅପରାହ୍ନ ୧ଟାରେ ଭୁବନେଶ୍ୱରରେ ପହଂଚିବା ପରେ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ନାଁ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ରାଜଭବନ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିଜ ଗୃହ ରାଜ୍ୟକୁ ଯାଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କୁ ଆନୁଷ୍ଠାନିକ ଭାବେ ଏହି ମନ୍ତ୍ରିମଣ୍ଡଳ ଅଦଳବଦଳ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଗଲେ ରାଜ୍ୟପାଳ ତାଙ୍କ ଗସ୍ତ କାଣ୍ଟଛାଣ୍ଟ କରି ଓଡ଼ିଶା ଫେରିବେ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।

Odisha Naveen Patnaik Cabinet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe