ଏଣିକି ରାସ୍ତାରେ ଖାଲଖମା ପାଇଁ ଦାୟୀ ରହିବେ ଏଜେନ୍ସି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ସମସ୍ତ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଏଣିକି ନିର୍ଦ୍ଦିଷ୍ଟ ଏଜେନ୍ସୀମାନଙ୍କୁ ଦିଆଯିବ ଓ ଯାହାଫଳରେ ଆଉ ରାଜ୍ୟ ରାଜପଥ, ମୁଖ୍ୟ ଜିଲ୍ଲା ରାସ୍ତା ଓ ଅନ୍ୟାନ୍ୟ ଜିଲ୍ଲା ରାସ୍ତାଗୁଡ଼ିକ ଖରାପ ସ୍ଥିତିରେ ରହିବ ନାହିଁ। ରାଜ୍ୟରେ ସଡ଼କ ଯାତାୟତ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଓ ସୁଗମ କରିବା ନିମନ୍ତେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ନୂଆ ଗାଇଡଲାଇନ୍ ଜାରି ହୋଇଛି।
ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ, ବିଭାଗ ଅଧୀନରେ ଥିବା ରାସ୍ତାର ସ୍ଥିତିକୁ ନେଇ କୌଣସି ପ୍ରକାରର ଅଭିଯୋଗକୁ ଶୂନ କରିବା ସହ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭାଗ ନିଜର ପ୍ରତ୍ୟେକ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ଏଜେନ୍ସିମାନଙ୍କୁ ଦାୟିତ୍ୱ ଦେବ, ଯାହାଦ୍ୱାରା କୌଣସି ରାସ୍ତା ଆଉ ଅବହେଳିତ ଅବସ୍ଥାରେ ରହିବ ନାହିଁ।
ଗାଇଡଲାଇନ୍ ଅନୁସାରେ, ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ-ସ୍ୱଳ୍ପମିଆଦି ରକ୍ଷଣାବେକ୍ଷଣ ଚୁକ୍ତି ବା ଏସଟିଏମସି ଓ ଅନ୍ୟଟି ପ୍ରର୍ଦଶନ ଭିତ୍ତିକ ରକ୍ଷଣାବେକ୍ଷଣ ଚୁକ୍ତି ବା ପିବିଏମସି।
ଯେଉଁ ରାସ୍ତାଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ ଆଗାମୀ ବର୍ଷେ ମଧ୍ୟରେ ଆରମ୍ଭ ହେବାର ସମ୍ଭାବନା ଅଛି, ସେଠାରେ ଏକ ବର୍ଷ ପାଇଁ ସ୍ୱଳ୍ପ ମିଆଦି ଚୁକ୍ତି କରାଯିବ। ଆଉ ଯେଉଁ ରାସ୍ତାଗୁଡ଼ିକ ଭଲ ଅବସ୍ଥାରେ ଅଛି ଓ ଆଗାମୀ ୫ ରୁ ୭ ବର୍ଷ ପର୍ଯ୍ୟନ୍ତ କୌଣସି ସଂପ୍ରସାରଣ ଯୋଜନା ନାହିଁ, ସେଗୁଡ଼ିକୁ ପିବିଏମସି ଅଧୀନରେ ଦୀର୍ଘ ସମୟ ପାଇଁ ରକ୍ଷଣାବେକ୍ଷଣ କରାଯିବ। ଏହି ବ୍ୟବସ୍ଥାରେ ଠିକାଦାରଙ୍କୁ ରାସ୍ତାର ସ୍ଥିତି ଅନୁଯାୟୀ ମରାମତି କରିବାକୁ ପଡ଼ିବ ଓ ଏଥିପାଇଁ ମାସିକ ଏକ ନିର୍ଦ୍ଦିଷ୍ଟ ଅର୍ଥ ସରକାର ପ୍ରଦାନ କରିବେ।
କେବଳ ସେତିକି ନୁହେଁ, ସରକାର ଏହି ବ୍ୟବସ୍ଥାରେ ପାରଦର୍ଶିତା ରଖିବା ପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି । ରାସ୍ତା ମରାମତି ପୂର୍ବରୁ ଓ ପରେ ଜିଓ-ଟ୍ୟାଗ୍ ଥିବା ଫଟୋଗ୍ରାଫ୍ ପ୍ରମାଣ ସ୍ୱରୂପ ବିଲ୍ ସହିତ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି।
ଏଥିସହିତ ରାସ୍ତାରେ ଥିବା ଖାଲଖମା ବା ଅନ୍ୟାନ୍ୟ ସମସ୍ୟାକୁ ଚିହ୍ନଟ କରିବା ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ବା ସଫ୍ଟୱେୟାର ବ୍ୟବହାର କରାଯିବ, ଯାହା ମାଧ୍ୟମରେ ତ୍ରୁଟିଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରାଯିବା ସହ ଅବହେଳା କଲେ ଜୋରିମାନା ମଧ୍ୟ ଆଦାୟ କରାଯିବାର ପ୍ରାବଧାନ ରହିଛି। ବର୍ଷାଦିନ ପୂର୍ବରୁ (Odisha) ରାସ୍ତାର ଜରୁରୀ ମରାମତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ନୂଆ ଗାଇଡଲାଇନ୍ ଦ୍ୱାରା ରାଜ୍ୟର ରାସ୍ତାଗୁଡ଼ିକ ଦୀର୍ଘସ୍ଥାୟୀ ହେବା ସହ ଗାଡ଼ି ଚଳାଚଳ ଖର୍ଚ୍ଚ ଓ ଦୁର୍ଘଟଣା ହାର ହ୍ରାସ ପାଇବ ବୋଲି ସରକାର ଆଶା ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us