
Revenue Dept Notification
ଏଣିକି ସହରରେ ଜମିଟିଏ କିଣିବା ସାଧାରଣ ଲୋକଟିଏ ପାଇଁ ଦିବାସ୍ୱପ୍ନ ପାଲଟିବ । ରାଜକୋଷକୁ ଭର୍ତ୍ତି କରିବାକୁ ରାଜ୍ୟ ସରକାର ଏକ ଅଦ୍ଭୂତ ଫମୂର୍ଲା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସହରାଞ୍ଚଳରେ ବଜାର ଦର ବଢୁ ବା ନବଢୁ, ସରକାରୀ ଖାତାରେ ଜମିର ବେଞ୍ଚମାର୍କ ଭାଲ୍ୟୁ ବର୍ଷକ ପରେ ଆପେଆପେ ୫ % ବଢ଼ିଯିବ । କେବଳ ସେତିକି ନୁହେଁ, ଅଫିସରଙ୍କ ଅପାରଗତାର ଦଣ୍ଡ ବି ଭୋଗିବେ ସାଧାରଣ ଲୋକେ । ଯଦି କୌଣସି କାରଣରୁ ସରକାରୀ ବାବୁମାନେ ଠିକ୍ ସମୟରେ ଜମିର ଦର(ବେଂଚମାର୍କ ଭାଲ୍ୟୁ) ସଂଶୋଧନ କରିବାରେ ଫେଲ୍ ମାରନ୍ତି, ତା’ହେଲେ ଜିଲ୍ଲାପାଳ ସିଧାସଳଖ ୧୦ ପ୍ରତିଶତ ଦର ବୃଦ୍ଧି କରିଦେବେ ।
ସରକାରୀସ୍ତରରେ ଏହାକୁ ସଂସ୍କାରମୂଳକ ପଦକ୍ଷେପ ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ ରାଜ୍ୟର ବିଜେପି ସରକାର ରାଜସ୍ୱ ସଂଗ୍ରହ ପାଇଁ ଏଭଳି ନିୟମ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହା ସିଧାସଳଖ ସାଧାରଣ ଲୋକଙ୍କ ତଂଟି ଚିପିବା ସଦୃଶ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଡିସେମ୍ବର ୧୨ତାରିଖରେ ଜାରି ବିଜ୍ଞପ୍ତିରୁ ହିଁ ଏହା ଜଳଜଳ ପ୍ରମାଣିତ ହେଉଛି।
ବେଞ୍ଚମାର୍କ ଭାଲ୍ୟୁ ବୃଦ୍ଧି ପାଇଁ ସରକାରଙ୍କ ନୂଆ ଫର୍ମୂଲା, ସହରରେ ଘର ସ୍ୱପ୍ନ
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ଷ୍ଟାମ୍ପ ନିୟମାବଳୀ-୧୯୫୨ରେ ସଂଶୋଧନ ହୋଇଛି । ଏହି ନୂଆ ନିୟମାବଳୀ ରାଜ୍ୟରେ ଜମି ଓ ଘର କିଣାବିକା ପ୍ରକ୍ରିୟାକୁ ପ୍ରଭାବିତ କରିବା ସହ ସାଧାରଣ ଲୋକଙ୍କ ପକେଟ୍ କାଟି ରାଜକୋଷକୁ ଭର୍ତ୍ତି କରିବାର ସରକାରଙ୍କ ଏକ ସୁଚିନ୍ତିତ ଯୋଜନା ଭଳି ପ୍ରତୀତ ହୋଇଛି । ସରକାରୀସ୍ତରରେ ଏହାକୁ ଏକ ସଂସ୍କାରମୂଳକ ପଦକ୍ଷେପ ବୋଲି କୁହାଯାଉଥିଲେ ମଧ୍ୟ, ଏଥିରେ ଥିବା ବିଭିନ୍ନ ପ୍ରାବଧାନ ସିଧାସଳଖ ସାଧାରଣ ଲୋକ ପାଇଁ ଆର୍ଥିକ ବୋଝ ବଢ଼ାଇବ । ବିଶେଷକରି ସହରାଞ୍ଚଳରେ ଜମିର ବେଂଚମାର୍କ ଭାଲ୍ୟୁ ବୃଦ୍ଧି କରିବା ପାଇଁ ସରକାର ଯେଉଁ ନୂଆ ଜାଲ ବିଛାଇଛନ୍ତି ସେଥିରେ ସହରରେ ଜମି କିଣିବା ସ୍ୱପ୍ନ ଦେଖୁଥିବା ପରିବାରକୁ ଶକ୍ତ ଝଟକା ଲାଗିଛି ।
ରାଜସ୍ୱ ବିଭାଗର ବିଜ୍ଞପ୍ତି ଅନୁସାରେ, ସହରାଂଚଳରେ ଜମିର ଦର ବୃଦ୍ଧି ପାଇଁ ଏକ ଅଦ୍ଭୂତ ଫର୍ମୂଲା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସଂଶୋଧନର ପ୍ରଥମ ବର୍ଷ ପରେ ସ୍ଥାବର ସଂପତ୍ତିିର ମୂଲ୍ୟରେ ସ୍ୱୟଂଚାଳିତ(ଅଟୋମୋଡରେ) ଭାବେ ୫ ପ୍ରତିଶତ ବୃଦ୍ଧି ଘଟିବ । ପୂର୍ବରୁ ସର୍ବୋଚ୍ଚ ନିଲାମ ମୂଲ୍ୟକୁ ଭିତ୍ତି କରି ଦର ଧାର୍ଯ୍ୟ କରାଯାଉଥିବାବେଳେ, ଏବେ ସେହି ଅଞ୍ଚଳର "ହାରାହାରି ନିଲାମ ମୂଲ୍ୟ’ (ଆଭରେଜ୍ ଅକ୍ସନ ଭାଲ୍ୟୁ)କୁ ବେଂଚମାର୍କ ଭାଲ୍ୟୁ ନିମନ୍ତେ ଗ୍ରହଣ କରାଯିବ ବୋଲି ନିୟମ-୩୯ରେ ପରିବର୍ତ୍ତନ ହୋଇଛି ।
ଏହା ଶୁଣିବାକୁ ଭଲ ଲାଗୁଥିଲେ ମଧ୍ୟ ନିୟମ-୪୦ର ସଂଶୋଧନ ମାଧ୍ୟମରେ ସରକାର ନିଜର ରାଜକୋଷ ଭର୍ତ୍ତି ପାଇଁ ସୁଚିନ୍ତିତ ରଣନୀତି କରିଛନ୍ତି । ଏହି ନୂଆ ନିୟମ ଅନୁସାରେ ଏପ୍ରିଲ ୧ତାରିଖରୁ ପ୍ରତି ଦୁଇବର୍ଷରେ ଥରେ ବେଂଚମାର୍କ ଭାଲ୍ୟୁ ସଂଶୋଧନ କରାଯିବ । ସହରାଂଚଳରେ ସଂଶୋଧନର ପ୍ରଥମବର୍ଷ ପରେ ସ୍ଥାବର ସମ୍ପତ୍ତିର ମୂଲ୍ୟରେ ଅଟୋମୋଡରେ ବା ସ୍ୱୟଂଚାଳିତ ଭାବେ ୫ ପ୍ରତିଶତ ବୃଦ୍ଧି ଘଟିବ । ବଜାରରେ ଜମି ଦର ବଢ଼ୁ ବା କମୁ, ସରକାରଙ୍କ ଖାତରେ ଏହା ଆପେଆପେ ବଢ଼ିବା ଥୟ ।
ଅଫିସରଙ୍କ ଅପାରଗତା ପାଇଁ ତଣ୍ଡ ଗଣିବେ ସାଧାରଣ ଲୋକେ
ଏହି ସଂଶୋଧିତ ବିଜ୍ଞପ୍ତିର ନିୟମ-୪୦(୨) ଅନୁସାରେ, ଯଦି ଜିଲ୍ଲାସ୍ତରୀୟ କମିଟି ନିର୍ଦ୍ଧାରିତ ସମୟ(ଦୁଇବର୍ଷ) ମଧ୍ୟରେ ଜମିର ବେଂଚମାର୍କ ଭାଲ୍ୟୁ ସଂଶୋଧନ କରିବାରେ ବିଫଳ ହୁଅନ୍ତି ତା’ହେଂଲେ ଜିଲ୍ଲାପାଳ ସିଧାସଳଖ ପୂର୍ବ ଦରର ୧୦ ପ୍ରତିଶତ ବୃଦ୍ଧି କରିପାରିବେ । ଅର୍ଥାତ୍ ଯଦି ସରକାରୀ ଅଫିସର ନିଜର ଦାୟିତ୍ୱ ନତୁଲାଇବେ ଅବା ନିର୍ଦ୍ଧାରିତ ଅବଧିରେ ବୈଠକ କରି ନିଷ୍ପତ୍ତି ନନେବେ ତା’ର ଦଣ୍ଡ ବି ସାଧାରଣ ଲୋକଙ୍କୁ ଅଧିକ ଟିକସ ପ୍ରଦାନ କରି ଭୋଗିବାକୁ ହେବ । ବଜାରରେ ମାନ୍ଦାବସ୍ଥା ଥିଲେ ମଧ୍ୟ ପ୍ରଶାସନିକ ବିଳମ୍ବ ପାଇଁ ଜମିର ବେଂଚମାର୍କ ଭାଲ୍ୟୁ ୧୦ପ୍ରତିଶତ ବୃଦ୍ଧି ପାଇବ ।
ଏଥିରେ କେବଳ ଗ୍ରାମାଂଚଳର ସେହି ଗାଁଗୁଡ଼ିକୁ ବାଦ୍ ଦିଆଯାଇଛି ଯେଉଁଠି ବିଗତ ଦୁଇବର୍ଷ ମଧ୍ୟରେ କୌଣସି ଜମି ବିକ୍ରି ହୋଇନଥିବ । ମାତ୍ର ଯେଉଁଠି ଜମି କିଣାବିକା ହେଉଥିବ ସେଠାରେ ସାଧାରଣ ଲୋକଙ୍କ ପକେଟ୍ ଉପରେ ବୋଝ ପଡ଼ିବା ନିଶ୍ଚିତ । ଗ୍ରାମାଂଚଳର କୃଷି ଜମିର ବର୍ଗୀକରଣ ତାଲିକାରେ ଜମିକୁ ରାସ୍ତାକଡ଼ ଓ ଗାଁ ଭିତରର ଜମି ଭାବରେ ଅଲଗା କରାଯାଇଛି । ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଜମିକୁ ରାସ୍ତାଠାରୁ ଦୂରତା ଅନୁସାରେ ଦୁଇଟି ଭାଗରେ ବଂଟାଯାଇଛି । ଜୋନ୍-୧ (ରାସ୍ତାଠାରୁ ୫୦ ମିଟର ପର୍ଯ୍ୟନ୍ତ) ଓ ଜୋନ୍-୨ (ରାସ୍ତାଠାରୁ ୫୦ ରୁ ୨୦୦ ମିଟର ପର୍ଯ୍ୟନ୍ତ) । ଏଥିରେ ଜଳସେଚିତ ଓ ଅଣ-ଜଳସେଚିତ ଜମିକୁ ଦୋଫସଲି, ଏକଫସଲି କିମ୍ବା ପଡ଼ିଆ ଜମି ଭାବରେ ରେକର୍ଡ କରିବାର ବ୍ୟବସ୍ଥା ରହିଛି । ସେହିପରି ଅଣ କୃଷି ଓ ଅନ୍ୟାନ୍ୟ ଜମିଚାଷ ଜମି ବାଦ୍ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ଜମି ଏଥିରେ ଅନ୍ତର୍ଭୁକ୍ତ ରହିଛି ।
ଘର ତିଆରି ସାମଗ୍ରୀ ଉପରେ ବି ନଜର: ଦୁର୍ନୀତି ଆଶଙ୍କା ବଢିବ
ସରକାର କେବଳ ଜମି ନୁହେଁ, ଘର ଓ କୋଠାବାଡ଼ିର ମୂଲ୍ୟାୟନ ପାଇଁ ମଧ୍ୟ ଜଟିଳ ନିୟମ ପ୍ରଣୟନ କରିଛନ୍ତି । ବିଜ୍ଞପ୍ତିରେ ଦର୍ଶାଯାଇଥିବା- ନିୟମ ୪୨ର ସଂଶୋଧନ ଅନୁସାରେ ଏଣିକି ଗୃହନିର୍ମାଣ କେଉଁସ୍ତରରେ ପହଂଚିଛି ଓ ଘର ତିଆରିରେ ବ୍ୟବୃହତ ସାମଗ୍ରୀ(ଆଜବେଷ୍ଟସ, ଟିଣ, କଂକ୍ରିଟ୍ ) , ଛାତ ଆଦି ଦେଖି ମୂଲ୍ୟାୟନ କରାଯିବ । ଏହି ବ୍ୟବସ୍ଥା ମୂଲ୍ୟାୟନ ପ୍ରକ୍ରିୟାକୁ ଅଧିକ ଜଟିଳ କରିବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ମୂଲ୍ୟାୟନ ପାଇଁ କ୍ଷେତ୍ର ପରିଦର୍ଶନରେ ଯାଉଥିବା ଅଫିସରଙ୍କ ପାଇଁ ଲାଂଚ ନେବାର ନୂଆ ବାଟ ଖୋଲିବାର ଆଶଙ୍କା ଦେଖାଦେଇଛି ।
ରାଜ୍ୟର ବିଜେପି ସରକାର ଏଭଳି ସଂଶୋଧନ ମାଧ୍ୟମରେ ଯେନତେନ ପ୍ରକାରେ ନିଜର ରାଜସ୍ୱ ବଢ଼ାଇବା ପାଇଁ ଚାହୁଁଛନ୍ତି । ବେଂଚମାର୍କ ଭାଲ୍ୟୁରେ ପ୍ରତିବର୍ଷ ଅଟୋମୋଡରେ ୫ ପ୍ରତିଶତ ବୃଦ୍ଧି ଓ ଅଫିସରଙ୍କ ବିଫଳତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ୧୦% ବୃଦ୍ଧି ବ୍ୟବସ୍ଥା ସରକାରଙ୍କ ପାଇଁ ସିନା ରାଜସ୍ୱ ବୃଦ୍ଧିର ଏକ ସ୍ଥାୟୀ ମାଧ୍ୟମ ସାଜିବ କିନ୍ତୁ ସାଧାରଣ ଲୋକଟିର ଭୁବନେଶ୍ୱର,କଟକ, ପୁରୀ, ସମ୍ବଲପୁର ଭଳି ଯେକୌଣସି ସହରାଂଚଳରେ ଜମି ଓ ଘର କିଣିବା ସ୍ୱପ୍ନକୁ ଏହା ସବୁଦିନ ପାଇଁ ଚୂରମାର କରିଦେବ ବୋଲି ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
