
ଏଣିକି ଆଧାର କାର୍ଡରେ ଜନ୍ମ ତାରିଖ ସଂଶୋଧନ କରିବା କଷ୍ଟକର ହେବ । ସାମାନ୍ୟ ଭୁଲ୍ କଲେ ‘ଆଧାର’ ରଦ୍ଦ ହେବାର ଆଶଙ୍କା ରହିଛି । ଏବେ ଜନ୍ମ ତାରିଖ ସଂଶୋଧନ ପାଇଁ ୟୁଆଇଡିଏଆଇ(ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ) କଡ଼ା ଆଭିମୁଖ୍ୟ ପୋଷଣ କରିବା ସହ ଜନ୍ମ ତାରିଖ ଅପଡେଟ୍ ପାଇଁ ଏକ ନୂଆ ମାର୍ଗଦର୍ଶିକା(ଏସଓପି) ଜାରି କରିଛନ୍ତି । ପୂର୍ବରୁ ଜାରି ଏ ସଂକ୍ରାନ୍ତୀୟ ସମସ୍ତ ନିର୍ଦ୍ଦେଶାବଳୀ ରଦ୍ଦ କରି ଡିସେମ୍ବର ୨୪ତାରିଖରେ ନୂଆ ଏସଓପି ଜାରି ହୋଇଛି । ୟୁଆଇଡିଆଇଏ ପକ୍ଷରୁ ରାଜ୍ୟ ସରକାର, ସମସ୍ତ ଆଧାର ସେବା କେନ୍ଦ୍ର ଓ ଅନ୍ୟ ସରକାରୀ ଅଫିସକୁ ଏହି ସଂଶୋଧିତ ଏସଓପି ପଠାଯାଇଛି ।
ଜନ୍ମ ତାରିଖ ସଂଶୋଧନ ପାଇଁ ନୂଆ ନିୟମ
ୟୁଆଇଡିଏଆଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ଡିସେମ୍ବର ୨୪ତାରିଖରେ ଏକ ସଂଶୋଧିତ ଏସଓପି ଜାରି ହୋଇଛି । ଯାହାକି ପୂର୍ବର ସମସ୍ତ ନିୟମକୁ ରଦ୍ଦ କରିଦେଇଛି । ୟୁଆଇଡିଆଇଏ ସ୍ପଷ୍ଟ କରିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କର କେବଳ ଗୋଟିଏ ଜନ୍ମତାରିଖ ରହିବା ଉଚିତ୍ । ତେଣୁ ସାଧାରଣ ପରିସ୍ଥିତିରେ ‘ଆଧାର’ରେ ବାରମ୍ବାର ଜନ୍ମ ତାରିଖ ବଦଳାଇବାର ଆବଶ୍ୟକତା ନାହିଁ ।
କେବଳ ‘ଆନୁମାନିକ’ ତାରିଖ ଦିଆଯାଇଥିଲେ ଅବା ଅପରେଟରଙ୍କ ଦ୍ୱାରା ଭୁଲ୍ ତଥ୍ୟ ଏଂଟ୍ରି ହୋଇଥିଲେ ଅବା ଜଣେ ବ୍ୟକ୍ତି ପୂର୍ବରୁ ଦେଇଥିବା ଭୁଲ୍ ତଥ୍ୟକୁ ସୁଧାରିବାକୁ ଚାହୁଁଥିଲେ ହିଁ ସଂଶୋଧନ ପାଇଁ ଅନୁମତି ମିଳିବ। ଏହି ପଦକ୍ଷେପ ‘ଆଧାର’ ଡାଟାବେସର ସ୍ୱଚ୍ଛତା ଓ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ନିଆଯାଇଥିବା ୟୁଆଇଡିଏଆଇ ସୂଚନା ଦେଇଛନ୍ତି।
ଜନ୍ମ ପ୍ରମାଣପତ୍ର ଏଣିକି ବାଧ୍ୟତାମୂଳକ, ଅପଡେଟ୍ ପାଇଁ କ’ଣ ଲାଗିବ ଦଲିଲ୍
ନୂଆ ନିୟମ ଅନୁଯାୟୀ, ଜନ୍ମ ପ୍ରମାଣପତ୍ର ବା ବାର୍ଥ ସାର୍ଟିଫିକେଟକୁ ଜନ୍ମ ତାରିଖର ମୁଖ୍ୟ ‘ବୈଧ ପ୍ରମାଣ’ ଭାବେ ଗ୍ରହଣ କରାଯାଇଛି । ୧୮ ବର୍ଷରୁ କମ୍ ବୟସର ଭାରତୀୟ ନାଗରିକଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ । ଯଦି ଜଣେ ବ୍ୟକ୍ତି ପୂର୍ବରୁ ଜନ୍ମ ପ୍ରମାଣପତ୍ର ଦେଇ ସଂଶୋଧନ କରିସାରିଛନ୍ତି, ତେବେ ସେ କେବଳ ସେହି ସମାନ ପଞ୍ଜିକରଣ ନମ୍ବର (ବିଆରଏନ୍) ଥିବା ସଂଶୋଧିତ ପ୍ରମାଣପତ୍ର ହିଁ ପୁଣି ଥରେ ଅପଡେଟ୍ କରିପାରିବେ ।
ଯେଉଁ ମହିଳାମାନେ ବିବାହ ପରେ ନିଜ ନାମ ପରିବର୍ତ୍ତନ କରିଛନ୍ତି, ସେମାନେ ନାମ ପରିବର୍ତ୍ତନର ପ୍ରମାଣ ସହିତ ବିବାହ ପୂର୍ବର ଜନ୍ମ ପ୍ରମାଣପତ୍ର ମଧ୍ୟ ବ୍ୟବହାର କରିପାରିବେ । ବିଶେଷକରି ୫ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ବାଧ୍ୟତାମୂଳକ । ଏଥିସହିତ ଅପଡେଟ୍ ସମୟରେ ୫ରୁ ୧୮ ବର୍ଷ ବୟସର ଶିଶୁମାନଙ୍କ ପାଇଁ ଅନଲାଇନ୍ ଯାଂଚ ଯୋଗ୍ୟ ଜନ୍ମ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ଜନ୍ମ ତାରିଖରେ ଦ୍ୱିତୀୟ ଥର ବା ପରବର୍ତ୍ତୀ ସଂଶୋଧନ ପାଇଁ ଅନଲାଇନ୍ ଯାଂଚ ଯୋଗ୍ୟ ଜନ୍ମ ପ୍ରମାଣପତ୍ର ସହିତ ଏକ ସତ୍ୟପାଠ ଦାଖଲକୁ ଜରୁରୀ କରାଯାଇଛି ।
ଜାଲିଆତି କଲେ ହେବ ଆଧାର ରଦ୍ଦ ଓ ଥାନାରେ ମାମଲା
ନୂଆ ଗାଇଡଲାଇନ(ଏସଓପି) ଅନୁସାରେ, ଯଦି କେହି ଜାଲ୍ କିମ୍ବା ଠକେଇ କରି ପ୍ରସ୍ତୁତ କରାଯାଇଥିବା ଦଲିଲ୍ ଦ୍ୱାରା ଜନ୍ମ ତାରିଖ ବଦଳାଇବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କ ଆଧାର କାଡର୍କୁ ତୁରନ୍ତ ନିଷ୍କ୍ରିୟ କରିଦିଆଯିବ । ବିଶେଷକରି ୫ବର୍ଷରୁ ଅଧିକ ବୟସ ହୋଇଥିବା ସତ୍ତ୍ୱେ ବାୟୋମେଟ୍ରିକ୍ ନଦେବା ପାଇଁ ୫ବର୍ଷରୁ କମ୍ ଶିଶୁ ଭାବେ ନାମ ଲେଖାଇଥିଲେ କିମ୍ବା ୧୮ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ନାବାଳକ ଭାବେ ପଞ୍ଜିକରଣ କରିଥିଲେ ଏହାକୁ ଜାଲିଆତି ବୋଲି ଧରାଯିବ । ଏଭଳି କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତି, ଅଭିଭାବକ ଓ ଆଧାର ଅପେରେଟରଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବାର ବ୍ୟବସ୍ଥା ରହିଛି । ଏଭଳି ନିଷ୍କ୍ରିୟ ଆଧାରକୁ ପୁନର୍ବାର ସକ୍ରିୟ କରିବା ପାଇଁ ଆଂଚଳିକ କାର୍ଯ୍ୟାଳୟରେ ସତ୍ୟପାଠ ଓ ସମସ୍ତ ବାୟୋମେଟ୍ରିକ୍ ଯାଂଚ କରିବାକୁ ପଡ଼ିବ ।
ଅପରେଟରଙ୍କ ଭୁଲ୍ ପାଇଁ ମିଳିବ ଆଶ୍ୱସ୍ତି: ସତ୍ୟପାଠ ଓ ସଂଶୋଧନ ପ୍ରକ୍ରିୟା
ଅନେକ ସମୟରେ ଅପରେଟରଙ୍କ ଟାଇପିଂ ଭୁଲ୍ ଯୋଗୁ ଜନ୍ମ ତାରିଖ ଭୁଲ୍ ହୋଇଯାଏ । ଏଭଳି କ୍ଷେତ୍ରରେ ଯଦି ବ୍ୟକ୍ତିଙ୍କ ପାଖରେ ପୂର୍ବର ଦଲିଲ ନଥାଏ ତେବେ ସେ ନିର୍ଦ୍ଧାରିତ ଫର୍ମାଟରେ ସ୍ୱ-ଘୋଷଣାନାମା ଦେଇ ଏହାକୁ ସୁଧାରି ପାରିବେ । ଜନ୍ମ ତାରିଖ ଦ୍ୱିତୀୟଥର ବା ପରବର୍ତ୍ତୀ ସମୟରେ ଅପଡେଟ୍ କରିବାକୁ ହେଲେ ବାଧ୍ୟତାମୂଳକ ଭାବେ ‘ସତ୍ୟପାଠ’ ପ୍ରଦାନ କରବାକୁ ପଡ଼ିବ । ବିଦେଶୀ ନାଗରିକଙ୍କ ପାଇଁ କେବଳ ଅପରେଟରଙ୍କ ତ୍ରୁଟି ଥିଲେ ହିଁ ସଂଶୋଧନ ପାଇଁ ଅନୁମତି ମିଳିବ । ସମସ୍ତ ଆଫିଡେଭିଟ୍ ୧୦ଟଙ୍କିଆ ଷ୍ଟାମ୍ପ ପେପରରେ ମାଜିଷ୍ଟ୍ରେଟ କିମ୍ବା ନୋଟାରୀଙ୍କ ସମ୍ମୁଖରେ ସ୍ୱାକ୍ଷରିତ ହେବା ଆବଶ୍ୟକ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
