/odisha-reporter/media/post_attachments/uploads/2019/01/56-4.jpg)
56
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଦୂରଦର୍ଶନରେ ଦେଖିବାକୁ ମିଳିବନି କି ଆକାଶବାଣୀ କଟକରୁ ଆଉ ଶୁଭିବନି ସେହି ଗୁରୁ ଗମ୍ଭୀର ଓ ଆକର୍ଷଣୀୟ ଖବର ପରିବେଷଣର କଣ୍ଠସ୍ୱର। କାରଣ ଦୂରଦର୍ଶନ ଏବଂ ଆକାଶବାଣୀର ଲୋକପ୍ରିୟ ସମାଚାର ପାଠକ ତଥା କବି ସୁବୋଧ କୁମାର ନାୟକ ଆଉ ନାହାନ୍ତି । ଆଜି ଭୋର ୫ଟାରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି।
/odisha-reporter/media/post_attachments/wp-content/uploads/2019/01/ssr.jpg)
ଗତକାଲି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ପରଲୋକ ହୋଇଯାଇଥିଲା।
ମୃତ୍ୟବେଳକୁ ସୁବୋଧଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା। ୧୯୮୯ ମସିହାରେ ଦୂରଦର୍ଶନରେ ସମାଚାର ପାଠକ ଭାବେ ସେ ଯୋଗ ଦେଇଥିଲେ। ଜଣେ ଉଚ୍ଚକୋଟୀର ଖବର ପାଠକ ଭାବେ ସୁବୋଧ ରାଜ୍ୟର କୋଣ ଅନୁକୋଣରେ ଖୁବ୍ ଲୋକପ୍ରିୟ ଥିଲେ। ଜଣେ ଯୁବ କବି ଭାବେ ସୁବୋଧ ଓଡ଼ିଆ ଆଧୁନିକ ସାହିତ୍ୟରେ ମଧ୍ୟ ନିଜ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ସହ ଜଣେ ଦରଦୀ ଓ ମେଳାପୀ ମଣିଷ ଭାବେ ସେ ତାଙ୍କ ନିକଟତମ ଓ ବନ୍ଧୁ ମହଲରେ ପରିଚିତ ଥିଲେ। କବି ସୁବୋଧ ନାୟକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଜ୍ୟର ବିଭିନ୍ନ ମହଲ ଓ ସୋଶାଲ୍ ମିଡିଆରେ ଶୋକ ଖେଳିଯାଇଛି।
ସୁବୋଧ ମଞ୍ଚକଳା ସମେତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ସଂଶ୍ଲିଷ୍ଟ ଥିଲେ। ଅନେକ ଟେଲିଫିଲ୍ମ ଓ ଧାରାବାହିକରେ ତାଙ୍କ ଅଭିନୟର ଜାଦୁ ମଧ୍ୟ ଦେଖିଛନ୍ତି ଦର୍ଶକ। ଧ୍ୱନିତତ୍ତ୍ୱ ବା ଫୋନେଟିକ୍ସ ଉପରେ ସ୍ୱତନ୍ତ୍ର ଦକ୍ଷତା ଥିଲା ତାଙ୍କର। ଖବର ପରିବେଷଣ ସମୟରେ କେଉଁ ଶବ୍ଦ କିଭଳି ଉଚ୍ଚାରଣ ହେବା କଥା ଓ କେଉଁ ଶବ୍ଦ ଗୁରୁତ୍ୱ ପାଇବା କଥା ସେ କଥାକୁ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ। ଏପରିକି ଅନେକ ଖବର ସରବରାହ ସଂସ୍ଥାରେ ଧ୍ୱନିତତ୍ତ୍ୱ ଉପରେ ପ୍ରଶିକ୍ଷଣ ମଧ୍ୟ ସେ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
