Advertisment

NHRCଙ୍କ ଚେକମେଟ୍ : ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ନୂଆ ମାମଲାରେ ଫସିଲେ ରାଜ୍ୟ ସରକାର ଓ କିଟ୍ , ଏଟିଆର ମାଗିଲେ

ଏନଏଚଆରସିଙ୍କ ନଭେମ୍ବର ୧୧ତାରିଖ ନୋଟିସରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ନେପାଳୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ବଳପୂର୍ବକ ହଷ୍ଟେଲରୁ ବିଦା କରିବା ଓ ମୃତ ଛାତ୍ରୀଙ୍କୁ ନ୍ୟାୟ ନମିଳିବା ଏକ ଗୁରୁତର ମାନବାଧିକାର ଉଲ୍ଲଙ୍ଘନ ।

KIIT-UNVERSITY

Justice Demanded for Prakriti (Nepali Student)- File Pic

Advertisment

କିଟ୍  ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରୀ ପ୍ରକୃତି ଲାମସଲ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ନୂଆମୋଡ଼ ନେଇଛି । ହାଇକୋର୍ଟରୁ ରହିତାଦେଶ ଆଣି କିଟ୍ କର୍ତ୍ତୃପକ୍ଷ ନିଶ୍ଚିନ୍ତରେ ଥିବାବେଳେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଏକ ଭିନ୍ନ ମାମଲା ଜରିଆରେ ପ୍ରକୃତିଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ପୁନର୍ବାର ଜୀବନ୍ତ କରିଛନ୍ତି। ନଭେମ୍ବର ୧୧ ତାରିଖରେ ମୁଖ୍ୟ ସଚିବଙ୍କୁ ଏକ କଡ଼ା ନୋଟିସ୍ ଜାରି କରି ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ(ଏଟିଆର) ଦାଖଲ କରିବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ରହିତାଦେଶ ଗୋଟିଏ ମାମଲା ଉପରେ ଥିବାବେଳେ ଏନଏଚଆରସି ସମାନ ଘଟଣାରେ ଦାଏର ଅନ୍ୟ ଏକ ମାମଲାରେ ନୋଟିସ୍ ପଠାଇବା ଉଭୟ ରାଜ୍ୟ ସରକାର ଓ କିଟ୍ ପାଇଁ ଶକ୍ତଧକ୍କା ହୋଇଛି ।

Advertisment

ଦୁଇଟି ଭିନ୍ନ ମାମଲା ଓ କିଟ କର୍ତ୍ତୃପକ୍ଷଙ୍କ ଆଇନଗତ ଚାଲ୍ ଫେଲ୍‌

କିଟ୍(KIIT) ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରୀ ପ୍ରକୃତି ଲାମସଲଙ୍କ ୨୦୨୫ ଫେବୃୟାରୀ ୧୬ତାରିଖରେ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଏନଏଚଆରସିଙ୍କ ପାଖରେ ଦୁଇଟି ଭିନ୍ନ ଭିନ୍ନ ମାମଲା ପଞ୍ଜିକୃତ ହୋଇଥିଲା । ତେବେ ଏଥିରୁ ଗୋଟିଏ ମାମଲାରେ କିଟ୍ କର୍ତ୍ତୃପକ୍ଷ ଗତ ଜୁନ୍ ମାସରୁ ହାଇକୋର୍ଟରୁ ଆଇନଗତ ସୁରକ୍ଷା ହାସଲ କରିବାରେ ସକ୍ଷମ ହୋଇଛନ୍ତି । ମାତ୍ର ଏହି ସମାନ ଘଟଣାରେ ରୁଜୁ ଅନ୍ୟ ଏକ ମାମଲାରେ ଜାତୀୟ ମାନବାଧିକାର ଆୟୋଗ (Nhrc) ଚଳିତମାସ ୧୧ତାରିଖରେ ମୁଖ୍ୟ ସଚିବଙ୍କୁ ନୋଟିସ୍ ପଠାଇ ୧୫ଦିନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୋଟିଏ ଘଟଣା, ଦୁଇଟି ମାମଲା: ରାଜ୍ୟ ସରକାରଙ୍କ ଦ୍ୱନ୍ଦ୍ୱ ଓ ପ୍ରଶାସନିକ ଅଡ଼ୁଆ

୧. ପ୍ରଥମ ମାମଲା (ଏନଏଚଆରସି କେସ୍ ନମ୍ବର- ୧୩୪/୧୮/୨୮/୨୦୨୫-ଡଉ): ଏହି ଅଭିଯୋଗଟି ଆଶୁତୋଷ ବି.  ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ କରାଯାଇଥିଲା । କିଟ୍ କର୍ତ୍ତପକ୍ଷ ଓଡ଼ିଶା ହାଇକୋର୍ଟରେ କେବଳ ଏହି ନିର୍ଦ୍ଦିିଷ୍ଟ ମାମଲା ଉପରେ ଚ୍ୟାଲେଞ୍ଜ କରିଥିଲେ । ୨୦୨୫ ଏପ୍ରିଲ ୭ତାରିଖରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଜଷ୍ଟିସ ଏସକେ ପାଣିଗ୍ରାହୀ ଏହି ନିର୍ଦ୍ଦିଷ୍ଟ ମାମଲା (ଏନଏଚଆରସି କେସ୍ ନମ୍ବର- ୧୩୪/୧୮/୨୮/୨୦୨୫-ଡଉ) ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ ।

Advertisment


୨. ଦ୍ୱିତୀୟ ମାମଲା (ଏନଏଚଆରସି କେସ୍ ନମ୍ବର- ୫୨୧/୧୮/୨୮/୨୦୨୫): କିଟ୍ ଛାତ୍ରୀ ପ୍ରକୃତି ଲମସଲଙ୍କ ମୃତ୍ୟୁ ମାମଲାରେ ଏହି ଅଭିଯୋଗଟି ନେପାଳ ମାନବାଧିକାର ଆୟୋଗଙ୍କ ଅନୁସଚିବ କମଲ ଥାପାଛେତ୍ରୀ ୨୦୨୫ ଫେବୃୟାରୀ ୧୯ତାରିଖରେ ଦାଖଲ କରିଥିଲେ । ଏହି ମାମଲାକୁ ଆଧାର କରି ଏନଏଚଆରସି ନଭେମ୍ବର ୧୧ରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ନୋଟିସ୍ ପଠାଇ ୧୫ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନଏଚଆରସି କର୍ତ୍ତୃପକ୍ଷଙ୍କ ଦ୍ୱାରା ଯେଉଁ ନୋଟିସ୍ ମୁଖ୍ୟ ସଚିବଙ୍କୁ ପଠାଯାଇଛି ତାହା ଦ୍ୱିତୀୟ ମାମଲା (ଏନଏଚଆରସି କେସ୍ ନମ୍ବର- ୫୨୧/୧୮/୨୮/୨୦୨୫) ଉପରେ ଆଧାରିତ ।

ହାଇକୋର୍ଟଙ୍କ ରହିତାଦେଶକୁ ସୁରକ୍ଷା ଢ଼ାଲ କରି ବସିଥିବା କିଟ୍ ପାଇଁ ଅଡ଼ୁଆ ବଢ଼ିଛି । କାରଣ ଏନଏଚଆରସି ଅତି ଚତୁରତାର ସହ ନେପାଳ ଏନଏଚଆରସିଙ୍କ ଅଭିଯୋଗ (କେସ୍ ନମ୍ବର- ୫୨୧) କୁ ଆଧାର କରି ତଦନ୍ତ ଜାରି ରଖିଛନ୍ତି । ଯେହେତୁ ହାଇକୋର୍ଟଙ୍କ ରହିତାଦେଶ କେବଳ କେସ୍ ନମ୍ବର- ୧୩୪ ପାଇଁ ଉଦ୍ଦିଷ୍ଟ ଥିଲା, ତେଣୁ ନଭେମ୍ବର ୧୧ ତାରିଖର ନୋଟିସ୍ (କେସ୍ ନମ୍ବର- ୫୨୧) କୁ ଅଣଦେଖା କରିବା ରାଜ୍ୟ ସରକାରଙ୍କ ପାଇଁ ସହଜ ହେବନି । ମୁଖ୍ୟ ସଚିବଙ୍କୁ ଏବେ ବାଧ୍ୟ ହୋଇ ନେପାଳ ଏନଏଚଆରସିଙ୍କ ଅଭିଯୋଗ ଉପରେ ଉତ୍ତର ରଖିବାକୁ ପଡ଼ିବ । ଗୋଟିଏ ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶର ଆଳ ଦେଖାଇ ରାଜ୍ୟ ସରକାର ଖସିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟ ମାମଲାଟି ତାଙ୍କ ବେକରେ କଂଟା ସାଜିଛି ।

ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହଜନକ

ନେପାଳୀ ଛାତ୍ରୀ ପ୍ରକୃତି ଲମସଲଙ୍କ ମୃତ୍ୟୁର ୯ମାସ ପରେ ମଧ୍ୟ କିଟ୍ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ରାଜ୍ୟ ସରକାରଙ୍କ ଭୂମିକାକୁ ସନ୍ଦେହଘେରକୁ ଟାଣିଛି । ଯଦିଓ ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ସରକାର ଗୋଟିଏ ତଦନ୍ତ କମିଟି ଗଠନ କରିଥିଲେ ଓ କାହାରିକୁ ଛଡ଼ାଯିବ ନାହିଁ ବୋଲି ଦୃଢ଼ୋକ୍ତି ବାଢ଼ିଥିଲେ । ମାତ୍ର ୯ମାସ ପରେ ବି ସେହି ରିପୋର୍ଟ କୁଆଡ଼େ ଗଲା, ତା’ର ସ୍ଥିତି କ’ଣ ଓ ତା’ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହେଲା ତାହା କେହି ଜାଣିପାରିଲେ ନାହିଁ ।

ଗୋଟିଏପଟେ ରାଜ୍ୟ ସରକାର ହାଇକୋର୍ଟରେ ‘କାଉଂଟର ଆଫିଡେଭିଟ୍‌' ଦାଖଲ ପାଇଁ ସମୟ ଗଡ଼ାଉଛନ୍ତି, ଅନ୍ୟପଟେ କିଟ୍ କର୍ତ୍ତୃପକ୍ଷଙ୍କ ଅମାନବୀୟ କାର୍ଯ୍ୟକୁ ନେଇ ନିରବ ମଧ୍ୟ ରହିଛନ୍ତି । ଏପ୍ରିଲ ମାସରୁ ହାଇକୋର୍ଟରେ ମାମଲା ପଡ଼ିରହିଥିବାବେଳେ କିଟ୍ ବିରୋଧରେ ତଦନ୍ତ କରିବା ବଦଳରେ ସରକାର ଉଦ୍ଦେଶ୍ୟମୂଳକ ଭାବେ ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି । ଏବେ ୧୫ ଦିନ ଭିତରେ ମୁଖ୍ୟ  ସଚିବ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବେ ନା  କିଟ୍ କର୍ତ୍ତୃପକ୍ଷଙ୍କୁ ପୁଣିଥରେ କୋର୍ଟଙ୍କଠୁ ଅନ୍ତରୀଣ ସୁରକ୍ଷା ଆଣିବାରେ ସହାୟକ ହେବେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । 

ନେପାଳ ସରକାରଙ୍କ ହସ୍ତକ୍ଷେପ , କିଟ୍‌ର ଭୂମିକା ଉପରେ ପ୍ରଶ୍ନବାଚୀ

କିଟ୍ କର୍ତ୍ତୃପକ୍ଷ ଆଇନର ଗଳାବାଟ ଦେଇ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଏହି ଘଟଣା ପାଇଁ ଓଡ଼ିଶାକୁ ଆନ୍ତର୍ଜାତିକସ୍ତରରେ ବଦନାମ ହେବାକୁ ପଡ଼ିଛି । ନେପାଳ ମାନବାଧିକାର ଆୟୋଗଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଯୋଗୁଁ ଭାରତୀୟ ମାନବାଧିକାର ଆୟୋଗ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ।

ଏନଏଚଆରସିଙ୍କ ନଭେମ୍ବର ୧୧ତାରିଖ ନୋଟିସରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ନେପାଳୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ବଳପୂର୍ବକ ହଷ୍ଟେଲରୁ ବିଦା କରିବା ଓ ମୃତ ଛାତ୍ରୀଙ୍କୁ ନ୍ୟାୟ ନମିଳିବା ଏକ ଗୁରୁତର ମାନବାଧିକାର ଉଲ୍ଲଙ୍ଘନ । କିଟ୍ ବିଶ୍ୱବିଦ୍ୟାଳୟର ଏଭଳି କାର୍ଯ୍ୟ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି । 

ଯେହେତୁ ଏହା ଏକ ଅନ୍ତର୍ଜାତୀୟ ସ୍ତରର ଅଭିଯୋଗ (ନେପାଳ ଏନଏଚଆରସିଙ୍କଠୁ ଭାରତ ଏନଏଚଆରସିଙ୍କ ପାଖକୁ), ତେଣୁ କିଟ୍ କର୍ତ୍ତୃପକ୍ଷ ଓ ଓଡ଼ିଶା ସରକାର ଏହାକୁ ସାମାନ୍ୟ ମାମଲା କହି ଏଡ଼ାଇବା ଆଉ ସହଜ ହେବନାହିଁ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି ।

Nhrc KIIT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe