Advertisment

ସ୍କୁଲ ଓ କଲେଜ୍ ବନ୍ଦ, ଅନଲାଇନରେ ପଢ଼ିବେ ପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାର ଦେଖି ଏସଆରସି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏଣିକି ରାତି ୧୦ଟା ପରେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ନାଇଟ୍ କର୍ଫ୍ୟୁ କେବଳ ସହରାଞ୍ଚଳରେ ଲାଗୁ କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ରାତି ୧୦ଟାରୁ ନାଇଟ୍ କର୍ଫ୍ୟୁ ରହିଥିଲା। ସେହିପରି ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ। ତେବେ କ୍ଲାସ ସବୁ ବନ୍ଦ ରହିବ। ଅର୍ଥାତ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସ୍କୁଲ ଓ କଲେଜ୍ ବନ୍ଦ, ଅନଲାଇନରେ ପଢ଼ିବେ ପିଲା

src

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାର ଦେଖି ଏସଆରସି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏଣିକି ରାତି ୧୦ଟା ପରେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ନାଇଟ୍ କର୍ଫ୍ୟୁ କେବଳ ସହରାଞ୍ଚଳରେ ଲାଗୁ କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ରାତି ୧୦ଟାରୁ ନାଇଟ୍ କର୍ଫ୍ୟୁ ରହିଥିଲା।

Advertisment

ସେହିପରି ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ। ତେବେ କ୍ଲାସ ସବୁ ବନ୍ଦ ରହିବ। ଅର୍ଥାତ୍ ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ। କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ। ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ୍ କ୍ଲିୟରିଂ କ୍ଲାସ କରିପାରିବେ ବୋଲି ଏସଆରସି ସୂଚନା ଦେଇଛନ୍ତି।

ଏସଆରସି ଆହୁରି କହିଛନ୍ତି ଯେ ହାଟ, ବଜାରରେ ଜମୁଥିବା ଭିଡ଼କୁ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଦାୟିତ୍ୱ ଦିଆଯିବ। ଯଦି କୌଣସି ମଲରେ ଭିଡ଼ ହେବ, ତାହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ହେବେ। ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦୋକାନକୁ ୭ ଦିନ ଯାଏ ବନ୍ଦ କରାଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି।

Advertisment

ସେହିପରି ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ଇଣ୍ଡୋର ହଲରେ କୌଣସି କାର୍ଯ୍ୟକ୍ରମ ହେଉଥିଲେ, ସେଥିରେ ୫୦% ଉପସ୍ଥିତ ରହିପାରିବେ। ପର୍ଯ୍ୟଟନ ସ୍ଥାନ ଗୁଡ଼ିକରେ ପିକନିକକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

ହୋଟେଲ ଓ ପାର୍କରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି। ଅର୍ଥାତ୍ କୌଣସି ହୋଟେଲ ଓ ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବନି। ସ୍କୁଲ କିମ୍ବା କଲେଜର ପିକନିକ୍, ଏସକର୍ସନ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି। ନନ୍ଦନକାନନ ଆଦି ସ୍ଥାନରେ ଟିକେଟ୍ ପାଇଁ କ୍ୟୁରେ ରହିବାକୁ ପଡ଼ିବ। ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା ରହିବ। ତେବେ ଏହାକୁ ୫୦% କ୍ଷମତାରେ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ। ସର୍ବାଧିକ ୫ ଜଣ ଗ୍ରାହକ ରହିବେ ବୋଲି ଏସଆରସି କହିଛନ୍ତି। ସେହିପରି ଯାତ୍ରା ୧ହଜାର ଦର୍ଶକଙ୍କୁ ନେଇ ଚାଲିବ। ତେବେ ଏହି ସମୟରେ ଯାତ୍ରା ମାଲିକମାନଙ୍କୁ ନିୟମର କଡ଼ା ପାଳନ କରିବାକୁ ପଡ଼ିବ। ସିନେମା ହଲ୍ ଗୁଡ଼ିକ ୫୦% ସିଟ୍ କ୍ଷମତାରେ ଚାଲିପାରିବ।

ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିପାରିବେ। ଇଣ୍ଡୋର, ଆଉଟଡୋର ଫିଲ୍ମ ସୁଟିଂ ସର୍ବାଧିକ ୫୦ ଲୋକଙ୍କୁ ନେଇ ହୋଇପାରିବ। ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ କଟକଣା କରାଯାଇଛି। ବାହାଘର ଓ ବ୍ରତଘରରେ ସର୍ବାଧିକ ୧୦୦ ଲୋକ ଉପସ୍ଥିତ ରହିପାରିବେ। ସେହିପରି ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ମିଳିଛି। ଏହାଛଡ଼ା ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ଦିଆଯାଇଛି। ତେବେ ବାହାଘର ଏବଂ ରିସେପ୍ସନ ଛଡ଼ା ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନାହିଁ। ଯେପରିକି ହଳଦୀ, ମେହେନ୍ଦି ଭଳି କାର୍ଯ୍ୟକ୍ରମ ଆଦିକୁ ସଂପୂର୍ଣ୍ଣ ଭାବେ ମନା କରାଯାଇଛି।

ସେହିପରି ରାଜ୍ୟର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। କେନ୍ଦ୍ର ସରକାର ଓ ଘରୋଇ ଅଫିସ ଅଳ୍ପ ଲୋକରେ ଚାଲିବାକୁ କୁହାଯିବ।

COVID Guideline SRC Night Curfew