/odisha-reporter/media/media_files/2026/02/08/nihil-and-indu-2026-02-08-13-35-32.jpg)
ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି ଟପ୍ ନକ୍ସଲ ନେତା ନିଖିଲ ଓରଫ ନିରଞ୍ଜନ ରାଉତ। ଶନିବାର (ଗତକାଲି) ରାୟଗଡ଼ା ଏସପି ଅଫିସ ପରିସରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ହିଂସାର ମାର୍ଗ ପରିତ୍ୟାଗ କରିଥିଲେ ନିଖିଲ। ତାଙ୍କ ସହ ତାଙ୍କ ପତ୍ନୀ ତଥା ଟପ୍ ନକ୍ସଲ ନେତ୍ରୀ ଇନ୍ଦୁ ଓରଫ ଅଙ୍କିତା ଓରଫ ରଶ୍ମୀତା ଲେଙ୍କା। ଉଭୟେ ନକ୍ସଲ ସଂଗଠନ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ରାଜ୍ୟ କମିଟି ସଦସ୍ୟ।ଆତ୍ମସମର୍ପଣ ପରେ ନିଖିଲ ଏକ ଅଡ଼ିଓ ବାର୍ତ୍ତା ଛାଡ଼ି ସେ କାହିଁକି କ୍ରାନ୍ତି ଛାଡ଼ିଲେ ତା’ର କାରଣ ବୁଝାଇଛନ୍ତି। ଏଥିସହ ଆଉ ବେଶି ଡେରି ନକରି ବନ୍ଧୁକ ଛାଡ଼ିବାକୁ ଅନ୍ୟ ସଶସ୍ତ୍ରସାଥୀମାନଙ୍କୁ ବି ଅପିଲ କରିଛନ୍ତି।
ନକ୍ସଲ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ସହ ଆତ୍ମସମର୍ପଣ କରିଥିବା ୧୫ ନକ୍ସଲଙ୍କଠାରୁ ଜବତ ହୋଇଛି ୧୪ଟି ଅତ୍ୟାଧୁନିକ ବନ୍ଧୁକ। ସେଗୁଡ଼ିକ ମଧ୍ୟରେ ରହିଛି ୨ଟି ଏକେ୪୭, ୫ଟି SLR ଓ ଗୋଟିଏ ଷ୍ଟେନଗନ୍।
ଏତେ ସଂଖ୍ୟକ ନକ୍ସଲଙ୍କ ଆତ୍ମସମର୍ପଣ ପରେ ରାଜ୍ୟରେ ନକ୍ସଲ ସଂଗଠନ ଆହୁରି ଦୁର୍ବଳ ହୋଇଥିବା କହିଛନ୍ତି ଏଡିଜି (Anti-Naxal Operations) ସଞ୍ଜୀବ ପଣ୍ଡା । ଏଥିସହ ସେ କହିଛନ୍ତି ଯେ ଏବେ ଆଉ ମାତ୍ର ୪ଟି ଜିଲ୍ଲା- କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ ବଲାଙ୍ଗିର ସୀମାରେ ୩୦ରୁ୩୫ ଜଣ ନକ୍ସଲ ଅଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମିଶନକୁ ଓଡ଼ିଶାରେ ଆଗୁଆ ସଫଳ ଲାଗି ଅପରେସନ ଜାରି ରହିବ। ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ସରକାରଙ୍କ ଥଇଥାନ ନୀତି ଅନୁସାରେ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।
ଅନ୍ୟପକ୍ଷରେ ୨୩ ବର୍ଷ ତଳୁ ଘର ଛାଡ଼ି ବନ୍ଧୁକ ଧରି ବଣ ଜଙ୍ଗଲରେ ଘୁରି ବୁଲୁଥିବା ପୁଅ ଯେ ପୁଣି କୋଳକୁ ଫେରିବ, ସେ କଥା ବିଶ୍ବାସ କରିପାରୁନାହାନ୍ତି ଜଗତସିଂହପୁର ତେନ୍ତୁଳି ବେଲାରି ଗାଁରେ ରହୁଥିବା ନକ୍ସଲ ନେତା ନିଖିଲଙ୍କ ବୃଦ୍ଧ ବାପା ନରହରି ଓ ମାଆ ସରସ୍ବତୀ। ପୁଅର ଆତ୍ମସମର୍ପଣ ଖବର ଶୁଣିବା ପରଠୁ ଯେମିତି ଜନ୍ମଦାତ୍ରୀ ସରସ୍ବତୀଙ୍କ ଆଖି ଛଳଛଳ ହୋଇଯାଉଛି। ପୁଅ ସହ ବୋହୂ ଆସିଲେ ତାକୁ ଆପଣାଇ ନେବାରେ ତିଳେ ମାତ୍ର କୁଣ୍ଠା ନଥିବା କହିଛନ୍ତି ସରସ୍ବତୀ।
ରେଭେନସାରେ ପାଠପଢ଼ି ଜଣେ ଉଚ୍ଚଶିକ୍ଷିତାରୁ ନକ୍ସଲ ଆଦର୍ଶକୁ ଆପଣାଇ ୨୦୦୭ରୁ ଘର ଛାଡ଼ି ଥିବା କଟକ ଜିଲ୍ଲା ଟାଙ୍ଗି ବ୍ଲକ୍ର ସିକନଗର ଗାଁର ଇନ୍ଦୁ ଓରଫ ରଶ୍ମିତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଓ ପଡ଼ୋଶୀ। ଯଦିଓ ରଶ୍ମିତାଙ୍କ ବାପା-ମାଆ ଗଣମାଧ୍ୟମରେ କିଛି ପ୍ରତିକ୍ରିୟା ରଖି ନାହାନ୍ତି, ହେଲେ ଗାଁ ଲୋକେ କହିଛନ୍ତି ସେ ଫେରିଲେ ତାଙ୍କୁ ସ୍ବାଗତ କରିବୁ।
ରାୟଗଡ଼ାରୁ ମାଉଡି ବାରିକଙ୍କ ସହ ଜଗତସିଂପୁରରୁ ମାନସ କାନୁନଗୋ ଓ ଚୌଦ୍ବାରରୁ ପ୍ରକାଶ ନାୟକଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
