ଲଗାଣ ବର୍ଷା: ରାଜ୍ୟରେ ୯ ମୃତ, ୭ ଜିଲ୍ଲାର ୨ଲକ୍ଷ ପ୍ରଭାବିତ, ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ରାଜ୍ୟର ୭ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଆଉ ୬ଟି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ଦେଢ଼ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୪୧୬୭୫ଜଣ ଲୋକଙ୍କୁ ୧୧୫ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ୧୫ଟି ଜିଲ୍ଲାରେ ୧୮ଟି ଓଡ୍ରାଫ ଓ ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି। ରାଜ୍ୟ ସ୍ୱତନ୍ତ୍ର […]

malkangiri-123

Biswobandita Swain
  • Published: Tuesday, 13 August 2019
  • , Updated: 13 August 2019, 09:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ରାଜ୍ୟର ୭ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଆଉ ୬ଟି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ଦେଢ଼ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୪୧୬୭୫ଜଣ ଲୋକଙ୍କୁ ୧୧୫ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ୧୫ଟି ଜିଲ୍ଲାରେ ୧୮ଟି ଓଡ୍ରାଫ ଓ ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁ ଏବେ ବଲାଙ୍ଗୀର, କନ୍ଧମାଳ, ବରଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାର ମୋଟ ୨ଲକ୍ଷ ୫ହଜାର ୫୫୦ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବଲାଙ୍ଗୀରର ୫ଟି ବ୍ଲକ ଓ ୫ଟି ପୌରାଞ୍ଚଳରେ ମୋଟ ଦେଢ଼ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୫୯ଟି ଆଶ୍ରୟସ୍ଥଳୀରେ ୧୬,୩୯୭ଜଣ ଲୋକ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ସେହିଭଳି କନ୍ଧମାଳ ଜିଲ୍ଲାର ୩ଟି ବ୍ଲକ ଓ ୧ଟି ସହରାଞ୍ଚଳରେ ମୋଟ ୩୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ବୌଦ୍ଧ ଜିଲ୍ଲାର ୧ଟି ବ୍ଲକରେ ୧୮୫୦୦ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ୧୫ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହପରି ବରଗଡ଼ରେ ୨୫୦ଜଣ, ସୁବର୍ଣ୍ଣପୁରରେ ୫୭୮୮ଜଣ, କଳାହାଣ୍ଡିରେ ୮୯୨ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଚଳିତବର୍ଷ ଲଗାଣ ବର୍ଷା ଯୋଗୁ ଜୁନ ୧ ତାରିଖ ପରଠୁ କଳାହାଣ୍ଡିରେ ୩ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କାନ୍ଥ ପଡ଼ି ଓ ଅନ୍ୟ ଦୁଇଜଣ ପାଣି ସୁଅରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ସେହିପରି କନ୍ଧମାଳରେ ୨ଜଣ ପାଣିରେ ଭାସି ଯାଇ ପ୍ରାଣ ହରାଇଛନ୍ତି। କୋରାପୁଟ,ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଜଣେ ଲେଖାଏ ଲୋକ କାନ୍ଥ ପଡ଼ି ପ୍ରାଣ ହରାଇଛନ୍ତି। ମାଲକାନଗିରିରେ ଅନ୍ୟ ଜଣେ ଲୋକର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି।

ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ହେଉଥିବାରୁ ୧୫ତାରିଖ ସକାଳ ୬ଟାରୁ ୧୦ଟା ମଧ୍ୟରେ ମୁଣ୍ଡୁଳିଠାରେ ପ୍ରାୟ ୧୧.୫ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ। ଯାହାର ପ୍ରଭାବରେ କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ଥିତି ଉପରେ ସତର୍କ ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନଙ୍କୁ ଆଲର୍ଟ ରଖାଯାଇଛି ଓ ସବୁପ୍ରକାରର ପୂର୍ବ ପ୍ରସ୍ତୁତି ନିମନ୍ତେ କଡ଼ା ତାଗିଦ୍ କରାଯାଇଥିବା ଜଣାପଡ଼ିଛି।

Related story