ରାଜ୍ୟରେ ବାଲି,ଗୋଡ଼ି,ମୋରମ ଓ ପଥର ଭଳି ଲଘୁ ଖଣିଜ ସମ୍ପଦର ଚୋରାଚାଲାଣ ଉପରେ ମୋହନ ମାଝୀଙ୍କ ସରକାର ଶକ୍ତ ପ୍ରହାର କରିଛନ୍ତି । ଏସବୁ ଲଘୁ ଖଣିଜ ସମ୍ପଦ ଉପରେ ବର୍ଷବର୍ଷ ଧରି ରହିଥିବା ଏକଚାଟିଆ କବାର ଓ କୃତ୍ରିମ ଦରବୃଦ୍ଧିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ରାଜ୍ୟ ସରକାର ‘ଓଡ଼ିଶା ଲଘୁ ଖଣିଜ ରିହାତି(ସଂଶୋଧନ) ନିୟମ-୨୦୨୫’ ଗାଇଡଲାଇନ୍ ପ୍ରଣୟନ କରିଛନ୍ତି । ଏହି ସଂଶୋଧିତ ନିୟମ ବା ସଂସ୍କାର ମାଧ୍ୟମରେ ରାଜ୍ୟରେ ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ଖୋଲା ଟେଣ୍ଡର ପରିବର୍ତ୍ତେ ଇ-ଲଟେରୀ ବ୍ୟବସ୍ଥା, ସର୍ବାଧିକ ବିକ୍ରୟ ମୂଲ୍ୟ(ଏମଏସପି) ନିର୍ଦ୍ଧାରଣ ସହ ଜଣେ ବ୍ୟକ୍ତି ବା ପରିବାର ପାଇଁ ଲିଜ୍ ସୀମା ଧାର୍ଯ୍ୟ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଦ୍ୱାରା ଆଜି(ସୋମବାର) ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଣିକି ଲିଜ୍ ପାଇଁ ଇ-ନିଲାମ ନୁହେଁ ଇ-ଲଟେରୀ
ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ନିଲାମ ଡକା ହେବ ନାହିଁ, ବରଂ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର ଅତିରିକ୍ତ ଚାର୍ଜରେ ଇ-ଲଟେରୀ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯିବ । ଆବେଦନକାରୀଙ୍କୁ ଏମଏସଟିସି ପୋର୍ଟାଲରେ ‘ଫର୍ମ-ସି’ରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ୧୦ହଜାର ଟଙ୍କା ଅଣଫେରସ୍ତ ଆବେଦନ ଫି' ଜମା ସହ ୧୦% ଅମାନତ ରାଶି (ଇଏମଡି) ଜମା କରିବାକୁ ପଡ଼ିବ । ଆବେଦନ ସହିତ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଥିବା ଏକ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ । ପ୍ରତ୍ୟେକ ଆବେଦନର ସୂକ୍ଷ୍ମ ଯାଂଚ ପାଇଁ ଏକ ଜିଲ୍ଲାସ୍ତରୀୟ ଟେକ୍ନିକାଲ୍ ଯାଂଚ କମିଟି ଗଠନ କରାଯାଇଛି, ଯେଉଁମାନେ ଆବେଦନକାରୀଙ୍କ ଯୋଗ୍ୟତା ଏବଂ ସେମାନଙ୍କ ପରିବାରର ପୂର୍ବ ରେକର୍ଡକୁ ଆଇ୪ଏମଏସ ଡାଟାବେସ୍ ସହ ମିଳାଇ ଦେଖିବେ । ସଂପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ୍ କରାଯାଇଥିବାରୁ ଏଥିରେ କୌଣସି ହେରଫେର ମଧ୍ୟ ହୋଇପାରିବ ନାହିଁ । ଯେଉଁମାନେ ପୂର୍ବରୁ ନିଲାମ ମାଧ୍ୟମରେ ଲିଜ୍ ପାଇଛନ୍ତି, ସେମାନେ ମଧ୍ୟ ଚାହିଁଲେ ନୂଆ ନିୟମ ଅନୁଯାୟୀ ମାଇଗ୍ରେଟ୍ ବା ସାମିଲ ହୋଇପାରିବେ ।
ଖଣି ମାଫିଆଙ୍କୁ ଶକ୍ତ ଧକ୍କା, ପରିବାର ପାଇଁ ଲିଜ୍ ସୀମା ଧାର୍ଯ୍ୟ
ଲଘୁ ଖଣିଜ ସମ୍ପଦର ଲିଜ୍ ହାତେଇବା ଓ ଖଣି ମାଫିଆଙ୍କ ଫନ୍ଦିଫିକରକୁ ଦେଖି ସରକାର ଲିଜ୍ ହାତେଇବାର ସୀମା ଧାର୍ଯ୍ୟ କରି ମାଫିଆଙ୍କ ପାଇଁ ସବୁ ଦ୍ୱାର ବନ୍ଦ କରିଦେଇଛନ୍ତି । ନୂଆ ନିୟମ ଅନୁଯାୟୀ, ଗୋଟିଏ ପରିବାର କିମ୍ବା ସଂସ୍ଥା ଜିଲ୍ଲାରେ ସର୍ବାଧିକ ୩ଟି ଓ ସମଗ୍ର ରାଜ୍ୟରେ ୫ଟିରୁ ଅଧିକ ଖଣି ଲିଜ୍ ନେଇପାରିବେ ନାହିଁ । ପରିବାର କହିଲେ ସ୍ୱାମୀ, ସ୍ତ୍ରୀ, ପୁଅ, ଅବିବାହିତ ଝିଅ, ନିର୍ଭରଶୀଳ ପିତାମାତା ଓ ଭାଇଭଉଣୀଙ୍କୁ ବୁଝାଇବ । କେହି ଯେପରି ସମ୍ପର୍କୀୟଙ୍କ ନାମରେ ଅଧିକ ଲିଜ୍ ହାତେଇ ନପାରନ୍ତି, ସେଥିପାଇଁ କଡ଼ାକଡ଼ି ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି କମ୍ପାନୀରେ ଯଦି ପରିବାରର ୧୦% ରୁ ଅଧିକ ଶେୟାର ଥାଏ, ତେବେ ତାହାକୁ ମଧ୍ୟ ଏହି ସୀମା ମଧ୍ୟରେ ଗଣନା କରାଯିବ । ଏହି ନିୟମକୁ ଠିକ୍ ଭାବେ ପାଳନ କରିବା ପାଇଁ ଆବେଦନ ସହ ସମସ୍ତ ପରିବାର ସଦସ୍ୟଙ୍କ ନାମ ଥିବା ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ ।
ସର୍ବାଧିକ ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣ,ଅତିରିକ୍ତ ଫି ଓ ଡିଜିଟାଲ ଟ୍ରାକିଂ
ନୂତନ ବିଜ୍ଞପ୍ତି ଅନୁଯାୟୀ, ବଜାରରେ ବାଲି ଓ ପଥରର ଚଢ଼ା ଦରକୁ ରୋକିବା ପାଇଁ ସରକାର ପ୍ରଥମ କରି ‘ସର୍ବାଧିକ ବିକ୍ରୟ ମୂଲ୍ୟ' (ଏମଏସପି) ଧାର୍ଯ୍ୟ କରିଛନ୍ତି । ଲିଜଧାରୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କା ଗ୍ରାହକଙ୍କ ଠାରୁ ନେଇପାରିବେ ନାହିଁ । ଏହି ମୂଲ୍ୟରେ ଉତ୍ପାଦନ ଖର୍ଚ୍ଚ ଓ ଟିକସ ସହ କେବଳ ୧୫% ଲାଭ ରହିବ । ଏଥିସହିତ ଲଘୁ ଖଣିଜ ପାଇଁ ଅତିରିକ୍ତ ଚାର୍ଜ ଏବେ ରୟାଲଟିର ଠିକ୍ ଦୁଇଗୁଣ ହେବ । ଏହା ଆଉ ପୂବର୍ଭଳି ନିଲାମ ଡାକ ଉପରେ ନିର୍ଭର କରିବ ନାହିଁ, ବରଂ ଏହା ଏକ ସ୍ଥିର ସରକାରୀ ଦେୟ ଭାବେ ଗଣ୍ୟ ହେବ ।
ସମଗ୍ର ପ୍ରକ୍ରିୟାକୁ ଆଇ୪ଏମଏସ ପୋର୍ଟାଲ ଜରିଆରେ ପରିଚାଳନା ଓ ଡିଜିଟାଲ ଟ୍ରାକିଂ କରାଯିବ । ଖଣିଜ ପଦାର୍ଥ ପରିବହନ ପାଇଁ ଅନଲାଇନ୍ ‘ଫର୍ମ ୱାଇ' ଟ୍ରାଞ୍ଜିଟ୍ ପାସ୍ ବାଧ୍ୟତାମୂଳକ, ଯେଉଁଥିରେ ସାମଗ୍ରୀର ବିକ୍ରୟ ମୂଲ୍ୟ ଉଲ୍ଲେଖ ରହିବ । ୩ କ୍ୟୁବିକ୍ ମିଟରରୁ ଅଧିକ ସାମଗ୍ରୀ ନେଉଥିବା ପ୍ରତ୍ୟେକ ଗାଡ଼ିରେ ଭିହିକିଲ୍ ଟ୍ରାକିଂ ୟୁନିଟ୍ (ଭିଟିୟୁ) ଲଗାଇବା ଜରୁରୀ । ଏଥିସହିତ ସମସ୍ତ ଖଣି ଅଞ୍ଚଳକୁ ଜିଓ-ଫେନ୍ସିଂ କରାଯାଇ ସାଟେଲାଇଟ୍ ମାଧ୍ୟମରେ ବେଆଇନ ଖନନ ଉପରେ ନଜର ରଖାଯିବ ।
ବାର୍ଷିକ ସର୍ବନିମ୍ନ ଉତ୍ପାଦନ ପରିମାଣ (ଏମଜିକ୍ୟୁ) ଅନୁଯାୟୀ ଦେୟ ଦେବାକୁ ପଡ଼ିବ, ଯାହାଫଳରେ ଲିଜ୍ ନେଇ ଖଣିକୁ ପକାଇ ରଖୁଥିବା ଲୋକଙ୍କୁ ମଧ୍ୟ ଜରିମାନା ସହ ରୟାଲଟି ଦେବାକୁ ପଡ଼ିବ । ଲିଜଧାରୀଙ୍କୁ ପ୍ରତି ତିନି ମାସରେ ଥରେ ଅଗ୍ରୀମ ଭାବେ ରୟାଲଟି ଓ ଅତିରିକ୍ତ ଚାର୍ଜ ପୈଠ କରିବାକୁ ପଡ଼ିବ । ଯଦି କୌଣସି ଦେୟ ବାକି ରହେ, ତେବେ ବାର୍ଷିକ ୨୪% ସୁଧ ହାରରେ ଜୋରିମାନା ଆଦାୟ କରାଯିବ । ଯଦି କୌଣସି ଲିଜ୍ଧାରୀ ଏହି ନିୟମ ଖିଲାପ କରନ୍ତି, ତେବେ ପ୍ରଥମଥର ପାଇଁ ୫୦ହଜାର ଟଙ୍କା ଜୋରିମାନା ଓ ଦ୍ୱିତୀୟ ଥର ପାଇଁ ଲିଜ୍ ରଦ୍ଦ ସହ ସେମାନଙ୍କୁ ସବୁଦିନ ପାଇଁ କଳାତାଲିକାଭୁକ୍ତ କରାଯିବ ।
ମହଜୁଦକାରୀଙ୍କ ପାଇଁ ଷ୍ଟୋରେଜ୍ ଲାଇସେନ୍ସ ବାଧ୍ୟତାମୂଳକ
ବାଲି,ଗୋଡ଼ି କିମ୍ବା ଅନ୍ୟ ଲଘୁ ଖଣିଜକୁ ବେଆଇନ ଭାବେ ମହଜୁଦ ରଖି କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଣିକି କୌଣସି ବି ବ୍ୟକ୍ତି ବିନା ‘ଷ୍ଟୋରେଜ୍ ଲାଇସେନ୍ସ'ରେ ଖଣିଜ ପଦାର୍ଥ ସାଇତି ରଖିପାରିବେ ନାହିଁ । ଏଥିପାଇଁ ଆଇ୪ଏମଏସ ମାଧ୍ୟମରେ ଆବେଦନ କରିବା ସହ ୫୦ହଜାର ଟଙ୍କାର ସୁରକ୍ଷା ଜମା ରଖିବାକୁ ପଡ଼ିବ । ଏହି ଲାଇସେନ୍ସ ପ୍ରତି ୫ ବର୍ଷରେ ନବୀକରଣ ହେବ ଓ ଷ୍ଟକୟାର୍ଡରେ ସିସିଟିଭି(CCTV) କ୍ୟାମେରା ଲଗାଇବା ସହ ନିୟମିତ ଭାବେ ହିସାବ ସରକାରଙ୍କୁ ଦେବାକୁ ପଡ଼ିବ । ସରକାର ଚାହିଁଲେ ରାଜ୍ୟର ବିଭିନ୍ନ ଜନହିତକର ପ୍ରକଳ୍ପ ପାଇଁ ଯେକୌଣସି ଖଣିରୁ ୪୦% ଉତ୍ପାଦିତ ସାମଗ୍ରୀ ସିଧାସଳଖ କ୍ରୟ କରିପାରିବେ ।
ଏହି ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଓ ଖଣି ବିଭାଗର ଅଧିକାରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାର ରୋକଠୋକ୍ ଶୁଣାଇ ଦେଇଛନ୍ତି । ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ସରକାର ସ୍ୱଚ୍ଛ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଦୀର୍ଘବର୍ଷ ଧରି ବାଲି, ଗୋଡ଼ି, ପଥର ଓ ମୋରମ୍ ଆଦି ଖଣି ଉପରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦବଦବା ରହିଛି ଓ ଏସବୁ ଲଘୁ ଖଣିଜ ସାମଗ୍ରୀ(mineral resources Odisha)ର ଖୁଲମଖୁଲା ଲୁଟ୍ ଚାଲିଥିବାକୁ ନେଇ ସରକାରଙ୍କୁ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us