
ଆବଶ୍ୟକ ପରିମାଣର ଭିତ୍ତିଭୂମିର ଅଭାବ ଓ ପର୍ଯ୍ୟାପ୍ତ ସମୟ ନଦେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶନାମା ଜାରି କରିବା ଯୋଗୁ ଏବେ ସାଧାରଣ ଲୋକଙ୍କୁ ‘ପଲ୍ୟୁସନ୍ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସି)’ ପାଇଁ ହନ୍ତସନ୍ତ ହେବାକୁ ପଡ଼ିଛି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାନୁୟାରୀ ୧ରୁ ‘ନୋ ପିୟୁସି, ନୋ ଫୁଏଲ’ ନିୟମ ଜାରି କରାଯିବାକୁ ନେଇ ବିଗତ ୩ଦିନ ଧରି ରାଜ୍ୟରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି ।
ଦୀର୍ଘବର୍ଷ ଧରି ଆଇନରେ ‘ପିୟୁସି ବାଧ୍ୟତାମୂଳକ’ ନେଇ ପ୍ରାବଧାନ ଥିଲେ ମଧ୍ୟ ଏବେ ଏହାକୁ କଡ଼ାକଡ଼ି ପାଳନ ପାଇଁ ସରକାରଙ୍କ ତରବରିଆ ନିଷ୍ପତ୍ତି ଏବେ ସାଧାରଣ ଲୋକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ହାତରେ ମାତ୍ର ସପ୍ତାହେ ଥିବାବେଳେ ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ସତ୍ତ୍ୱେ ୧୦ହଜାର ଟଙ୍କାର ଜୋରିମାନାର ଭୟ ଦେଖାଇବାର ରାଜ୍ୟ ସରକାରଙ୍କ ତୋଗଲକୀ ମାନସିକତାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖାଦେଇଥିବା ଜଣାପଡ଼ିଛି ।
ଭିତ୍ତିଭୂମିର ନଗ୍ନ ଚିତ୍ର: ୧କୋଟି ୨୦ଲକ୍ଷ ଗାଡ଼ିକୁ ପିୟୁସି କେନ୍ଦ୍ର ମାତ୍ର ୮୦୦
ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗତ ବିଧାନସଭା ଶୀତ ଅଧିବେଶନରେ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ଗାଡ଼ି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୦୨୪ ମସିହା ସୁଦ୍ଧା ରାଜ୍ୟରେ ମୋଟ ପଞ୍ଜିକୃତ ଗାଡ଼ି ସଂଖ୍ୟା ୧,୧୭,୮୯,୬୪୬ରେ ପହଂଚିଛି । ବିଗତ ୫ବର୍ଷର ପଞ୍ଜିକରଣ ତଥ୍ୟକୁ ଦେଖିଲେ, ୨୦୨୫ ମସିହା ଶେଷ ସୁଦ୍ଧା ରାଜ୍ୟରେ ଗାଡ଼ି ସଂଖ୍ୟା ୧.୨୫କୋଟି ଛୁଇଁଥିବ ବୋଲି ଆକଳନ କରାଯାଉଛି । ୨୦୧୯-୨୦ ମସିହାରେ ରାଜ୍ୟରେ ୧୦.୯୧ ଲକ୍ଷ ନୂଆ ଗାଡ଼ି ପଞ୍ଜିକୃତ ହୋଇଥିବାବେଳେ ୨୦୨୦-୨୧ରେ ୭.୧୦ଲକ୍ଷ , ୨୦୨୧-୨୨ ରେ ୮.୧୩ ଲକ୍ଷ, ୨୦୨୨-୨୩ ରେ ୯.୮୭ ଲକ୍ଷ, ୨୦୨୩-୨୪ ରେ ୯.୭୧ଲକ୍ଷଟି ଗାଡ଼ି ପଞ୍ଜିକୃତ ହୋଇଛି ।
ମାତ୍ର ଆଶ୍ଚର୍ଯ୍ୟର କଥା, ପ୍ରତିବର୍ଷ ଏତେ ବିପୁଳ ସଂଖ୍ୟକ ଗାଡ଼ି ପଞ୍ଜିକୃତ ହେଉଥିବାବେଳେ ରାଜ୍ୟରେ ମାତ୍ର ୮୧୮ଟି ସକ୍ରିୟ ପିୟୁସି କେନ୍ଦ୍ର କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି । ଏବେ ସରକାର ପଲ୍ୟୁସନ୍ ସାର୍ଟିଫିକେଟକୁ କଡ଼ାକଡ଼ଇ କରିବା ପରେ ଏହି ଅସନ୍ତୁଳନ ପଦାକୁ ଆସିଛି, ଯାହାକି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶର କାରଣ ହୋଇଛି ।
ଏବେ ପ୍ରଶ୍ନ ଉଠୁଛି, ଯେଉଁ ରାଜ୍ୟରେ ଏକ କୋଟିରୁ ଅଧିକ ଗାଡ଼ି ଅଛି, ସେଠାରେ ମାତ୍ର ୮୦୦ କେନ୍ଦ୍ରରେ କିପରି ଓ କେଉଁ ସମୟ ମଧ୍ୟରେ ସମସ୍ତ ଗାଡ଼ିର ପିୟୁସି ଯାଂଚ ସମ୍ଭବ? ପ୍ରତିବର୍ଷ ଲକ୍ଷ ଲକ୍ଷ ନୂଆ ଗାଡ଼ି ରାସ୍ତାକୁ ଓହ୍ଲାଉଛି । ମାତ୍ର ସେହି ଅନୁପାତରେ ପିୟୁସି କେନ୍ଦ୍ର ଖୋଲିବାରେ ବିଫଳ ଥିବା ରାଜ୍ୟ ପରିବହନ ବିଭାଗ ଏବେ ମୋଟା ଅଙ୍କର ଜୋରିମାନାର ନାଲିଆଖି ଦେଖାଇବାରେ ଲାଗିଛି ।
ପ୍ରାୟ ୧୫ହଜାର ଗାଡ଼ି ପାଇଁ ମାତ୍ର ଗୋଟିଏ କେନ୍ଦ୍ର ଥିବାବେଳେ ସରକାର କେଉଁ ଆଧାରରେ ଜାନୁଆରୀ ୧ରୁ ନିୟମ ବାଧ୍ୟତାମୂଳକ କରୁଛନ୍ତି? ଏହି ଭିତ୍ତିଭୂମିର ଅଭାବ ହିଁ ସରକାରୀ ନିର୍ଦ୍ଦେଶନାମାର ଅସଲ ବିଫଳତାକୁ ପଦାରେ ପକାଇଛି । ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିବା ପୂର୍ବରୁ ପିୟୁସି ନିମନ୍ତେ ଭିତ୍ତିଭୂମିରେ ସୁଧାର କରିବାର ଆବଶ୍ୟକତା ରହିଥିବା ସାଧାରଣରେ ଚର୍ଚ୍ଚା ।
ପିୟୁସି କେନ୍ଦ୍ର ବାହାରେ ଲମ୍ବାଧାଡ଼ି ଓ ଲୋକେ କ୍ଷୁବ୍ଧ
ସରକାରଙ୍କ ଏହି ନିର୍ଦ୍ଦେଶନାମା ଓ ଜୋରିମାନାର ଭୟ ଯୋଗୁ ଏବେ ପ୍ରଦୂଷଣ ଯାଂଚ କେନ୍ଦ୍ର(ପିୟୁସି) ବାହାରେ ଗାଡ଼ି ଚାଳକମାନଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ଶହ ଶହ ମିଟର ଲମ୍ବାର ଧାଡ଼ିରେ ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଗାଡ଼ି ଚାଳକ ଅଶୋକ ମହାନ୍ତି କ୍ଷୋଭର ସହ କହିଛନ୍ତି, “୪ ଘଣ୍ଟା ଧରି ଲାଇନରେ ଛିଡ଼ା ହୋଇଛି । ଏଠାରେ ସର୍ଭର ଡାଉନ୍ ରହୁଛି । ସରକାର ପେଟ୍ରୋଲ ପମ୍ପରେ ତେଲ ବନ୍ଦ କରିବା ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ସୁବିଧା ଦେବା କଥା ।’ ସେହିପରି ଅନ୍ୟ ଜଣେ ଗାଡ଼ି ମାଲିକ ମଧୁସ୍ମିତା ଦାସ କହିଛନ୍ତି, "ମାତ୍ର କିଛି ଦିନର ସମୟ ଦେଇ ସରକାର ଆମ ମୁଣ୍ଡ ଉପରେ ଜୋରିମାନାର ଖଣ୍ଡା ଝୁଲାଇ ଦେଇଛନ୍ତି । ଏହା ସମ୍ପୂର୍ଣ୍ଣ ଅଯୌକ୍ତିକ ।’
ସରକାରଙ୍କ ଏହି ତରବରିଆ ନିଷ୍ପତ୍ତି ପାଇଁ ଆସନ୍ତା ଜାନୁୟାରୀ ପହିଲାରୁ ପେଟ୍ରୋଲ ପମ୍ପଗୁଡ଼ିକରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରଶାସନିକ ସ୍ତରରେ ସୁବିଧା ନକରି କେବଳ ଦଣ୍ଡବିଧାନ ଦ୍ୱାରା ପ୍ରଦୂଷଣ ରୋକାଯାଇ ପାରିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
ଲୋକଙ୍କ ଆକ୍ରୋଶ ଦେଖି ନରମିଲେ ପରିବହନ କମିଶନର
ପରିବହନ କମିଶନର ଅମିତାଭ ଠାକୁର ସବୁ ତୈଳ ବିତରଣ କମ୍ପାନୀଗୁଡ଼ିକୁ ଚିଠି ଲେଖି ଜାନୁୟାରୀ ପହିଲାରୁ ଓଡ଼ିଶାରେ ‘ନୋ ପିୟୁସି ନୋ ଫୁଏଲ’ ନେଇ ଅବଗତ କରିବା ପରେ ସାଧାରଣ ଲୋକଙ୍କ ଭିତରେ ଆକ୍ରୋଶ ବୃଦ୍ଧି ପାଇଛି । ଲୋକଙ୍କ ଲମ୍ବାଧାଡ଼ି ଓ କଡ଼ା ପ୍ରତିକ୍ରିୟା ପରେ ପରିବହନ କମିଶନର ଶ୍ରୀ ଠାକୁର ଆଜି କୋହଳ ଆଭିମୁଖ୍ୟ ପୋଷଣ କରି ସ୍ଥିତି ସ୍ପଷ୍ଟ ପାଇଁ ଚେଷ୍ଟା କରିଛନ୍ତି । ଗଣମାଧ୍ୟମରେ ସେ କହିଛନ୍ତି ଯେ ଆଇନ ଅନୁସାରେ ପିୟୁସି ସାର୍ଟିଫିକେଟ୍ ନେବା ଏକ ବାଧ୍ୟତାମୂଳକ ନିୟମ । ନୈତିକତା ଦୃଷ୍ଟିରୁ ଆଗାମୀ ପିଢ଼ି ପାଇଁ ପରିବେଶକୁ ଭଲ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ତେଣୁ ଜାନୁଆରୀ ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ‘ସଡ଼କ ସୁରକ୍ଷା ମାସ' ପାଳନ କରାଯିବ ଓ ଏହି ସମୟ ମଧ୍ୟରେ ଯାଂଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ ।
ତେବେ ଲୋକଙ୍କ ସୁବିଧା ପାଇଁ ପେଟ୍ରୋଲ ପମ୍ପ ନିକଟରେ ‘ପିୟୁସି ପରୀକ୍ଷା’ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ବ୍ୟବସ୍ଥା କରାଯାଉଛି । ଯଦି କୌଣସି ବ୍ୟକ୍ତି ପ୍ରଥମ ଥର ପାଇଁ ଧରାପଡ଼ନ୍ତି, ତେବେ ଜୋରିମାନାକୁ ନଜରଅନ୍ଦାଜ କରାଯାଇପାରେ । ସମସ୍ତ ପେଟ୍ରୋଲ ପମ୍ପରେ ବ୍ୟାନର ଓ ପୋଷ୍ଟର ଲଗାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
