Advertisment

ଓଡ଼ିଶାକୁ ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

‘ପେଟ୍ରୋଲିୟମ୍‌ ଉତ୍ପାଦକୁ GSTରେ ସାମିଲ କରିବା ଲାଗି ଆରମ୍ଭରୁ ପ୍ରସ୍ତାବ ରହିଛି। କେବଳ କେଉଁ ହାରରେ GST ଲାଗିବ, ତାହା ଧାର୍ଯ୍ୟ ହୋଇପାରୁନି। ଏ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବାର ଦାୟିତ୍ୱ GST କାଉନସିଲର।’

author-image
Manoranjan Sial
Nirmala Sitharaman

Nirmala Sitharaman

ଓଡ଼ିଶାକୁ ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା। କେବଳ ଓଡ଼ିଶା ନୁହେଁ, କୌଣସି ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବ ନାହିଁ। ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି। ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

Advertisment

ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ। ବଜେଟରେ ମନରେଗା ଅର୍ଥ କମାଯାଇଥିବା ଅଭିଯୋଗ ନେଇ ସେ କହିଛନ୍ତି, ମନରେଗା ହେଉଛି ଚାହିଦା ଭିତ୍ତିକ ଯୋଜନା। ଲୋକଙ୍କ ଚାହିଦା ବଢ଼ିଲେ, ବ୍ୟୟବରାଦ ବଢ଼ିବ। ନରେନ୍ଦ୍ର ମୋଦି ସରକାର ଆସିବା ପରେ ମନରେଗାରେ ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ବିନିଯୋଗ ହେଉଛି। ଯାହା ୧୦ ବର୍ଷର ୟୁପିଏ ସରକାରରେ ହେଉନଥିଲା। ମନରେଗା ଅର୍ଥ କମାଯାଇଥିବା ଅଭିଯୋଗ ଆଣି କିଛି ରାଜ୍ୟ ଏହାକୁ ପ୍ରସଙ୍ଗ କରୁଛନ୍ତି। କିନ୍ତୁ ଏମିତି ମଧ୍ୟ ରାଜ୍ୟ ଅଛନ୍ତି, ଯେଉଁମାନଙ୍କୁ ଆର୍ଥିକ ବର୍ଷ ଆରମ୍ଭରୁ ପାଣ୍ଠି ଦିଆଯାଉଥିଲେ ବି ଖର୍ଚ୍ଚ କରିପାରୁନାହାନ୍ତି। ଏହି ଯୋଜନାର ବ୍ୟୟ ବରାଦ ଅତିରିକ୍ତ ବ୍ୟୟ ବରାଦ ଜରିଆରେ ବଢାଇବାର ବିକଳ୍ପ ରହିଛି ବୋଲି ସେ କହିଛନ୍ତି।

ଶସ୍ୟ ସଂଗ୍ରହ ପାଇଁ ପାଣ୍ଠି କମାଯିବା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି, “କୌଣସି ଶସ୍ୟ ସଂଗ୍ରହ କମାଇ ନାହିଁ। ଚାଷୀଙ୍କୁ ଆବଶ୍ୟକତା ପରିମାଣରେ ଦିଆଯାଉଥିବା ଚାହିଦା ବଢିଛି। ଏମ୍‌ଏସ୍‌ପି ମଧ୍ୟ ବଢିଛି। ତେଣୁ ଶସ୍ୟ କିଣା ପରେ ଚାଷୀଙ୍କୁ ଦିଆଯାଉଥିବା ଅର୍ଥ ମଧ୍ୟ ଅଧିକ ରହୁଛି। ଏମ୍‌ଏସ୍‌ପି ସିଧା ସଳଖ ଚାଷୀଙ୍କ ପାଖକୁ ଯାଉଛି। ଫଳରେ ଚାଷୀଙ୍କ ଅର୍ଥ ମଧ୍ୟସ୍ଥି ନେବା ପ୍ରକ୍ରିୟା ବନ୍ଦ ହୋଇଛି। ମୋଦି ସରକାରଙ୍କ ଅମଳରେ ଚାଷୀଙ୍କଠାରୁ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ହେଉଛି। ତାହା ପୁଣି MSP ଦରରେ।”

Advertisment

ଆଦାନୀ ପ୍ରସଙ୍ଗରେ ସେ କହିଛନ୍ତି, ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ଷ୍ଟେଟ ବ୍ୟାଙ୍କ ଓ ସେବି ଯାହା କହିବା କଥା କହି ସାରିଛନ୍ତି। ଏହି ପ୍ରସଙ୍ଗରେ ଅଧିକ କିଛି କହିବା ଠିକ ହେବନି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ପେଟ୍ରୋଲିୟମ୍‌ ଉତ୍ପାଦକୁ GSTରେ ସାମିଲ କରିବା ଲାଗି ଆରମ୍ଭରୁ ପ୍ରସ୍ତାବ ରହିଛି। କେବଳ କେଉଁ ହାରରେ GST ଲାଗିବ, ତାହା ଧାର୍ଯ୍ୟ ହୋଇପାରୁନି। ଏ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବାର ଦାୟିତ୍ୱ GST କାଉନସିଲର। ଯେଉଁଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି ବୋଲି ନିର୍ମଳା କହିଛନ୍ତି।

ଉଜ୍ୱଳା ଯୋଜନାରେ କମ ଅର୍ଥ ବ୍ୟୟ ବରାଦ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି, ଏହା କେନ୍ଦ୍ରର ସବୁଠାରୁ ଭଲ ଯୋଜନା। ଦେଶର ସମସ୍ତ ଟାର୍ଗେଟ ସଂଖ୍ୟକ ହିତାଧିକାରୀଙ୍କୁ ନୂଆ ସିଲିଣ୍ଡର ଦିଆସରିଛି। ଗରିବ ଲୋକ ଏହି ଯୋଜନାରେ ଅଧିକ ଲାଭବାନ ହୋଇଛନ୍ତି। ଏହା କେବଳ ନୂଆ ସଂଯୋଗ ପ୍ରଦାନ ଲାଗି ଉଦ୍ଦିଷ୍ଟ। ଏହା ଗ୍ରାହକଙ୍କୁ ସବ୍‌ସିଡ ପ୍ରଦାନ ପାଇଁ ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ବଜେଟରେ ପିଏମ୍‌ ବିଶ୍ୱକର୍ମା ଯୋଜନାକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି, ପିଏମ ବିଶ୍ୱକର୍ମା ଯୋଜନାରେ ସବୁଠୁ ଅଧିକ ଲାଭବାନ ହେବ ଓଡ଼ିଶା କାରିଗର। ଓଡ଼ିଶାର ପଟ୍ଟଚିତ୍ର କାରିଗର, ପଥର ଶିଳ୍ପୀ ଅଧିକ ଲାଭ ପାଇବ। ସମ୍ବଲପୁରୀ ଶାଢ଼ି ମୋତେ ବହୁତ ଭଲ ଲାଗେ। ମୋର ୱାର୍ଡରୋବରେ ଥିବା ଅଧିକାଂଶ ଶାଢ଼ୀ ସମ୍ବଲପୁରୀ। ବମକାଇ, କଟକି ଶାଢ଼ୀ ମଧ୍ୟ ମୋତେ ଭଲ ଲାଗେ। ଏବେ ବି ମୁଁ ଏସବୁ ଶାଢ଼ୀ କିଣୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Bjp Business Updates Union Budget 2023 Nirmala Sitharaman